ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିୟାଙ୍କ ଅନ୍ତିମ ସଂସ୍କାରରେ ସାମିଲ ହେବେ ଜୟଶଙ୍କର
ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଏବଂ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟିର ଅଧ୍ୟକ୍ଷା ବେଗମ ଖାଲିଦା ଜିଆଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବା ପାଇଁ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ବୁଧବାର ବାଂଲାଦେଶ ଗସ୍ତରେ ଯିବେ। ଦୀର୍ଘ ଦିନର ଅସୁସ୍ଥତା ପରେ ଖାଲିଦା ଜିଆ ମଙ୍ଗଳବାର ଦିନ ଦେହାନ୍ତ କରିଛନ୍ତି। ତାଙ୍କର ବୟସ ୮୦ ବର୍ଷ ଥିଲା। ଖାଲିଦା ଜିଆଙ୍କ ବୁଧବାର ଦିନ ଶେଷକୃତ୍ୟ ରହିଛି।
ତାଙ୍କ ସ୍ୱାମୀ ତଥଶ ପୂର୍ବତନ ରାଷ୍ଟ୍ରପତି ଜିଆଉର ରହମାନଙ୍କ କବର ପାଖରେ ତାଙ୍କୁ କବର ଦିଆଯିବ। ଖାଲିଦା ଜିଆ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP)ର ଦୀର୍ଘକାଳୀନ ନେତା ଏବଂ ତିନି ଥର ପ୍ରଧାନମନ୍ତ୍ରୀ ଥିଲେ। ଜିଆଙ୍କ ମୃତ୍ୟୁରେ ବାଂଲାଦେଶରେ ତିନି ଦିନିଆ ଜାତୀୟ ଶୋକ ଘୋଷଣା କରାଯାଇଛି, ଆସନ୍ତାକାଲି ତାଙ୍କ ଅନ୍ତିମ ସଂସ୍କାର ଦିନ ଗୋଟିଏ ଦିନ ଛୁଟି ଘୋଷଣା କରାଯାଇଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ପୂର୍ବତନ ବାଂଲାଦେଶୀ ପ୍ରତିପକ୍ଷ ଖାଲିଦା ଜିଆଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ଏବଂ କହିଛନ୍ତି ଯେ ପଡ଼ୋଶୀ ଦେଶର ବିକାଶ ଏବଂ ଭାରତ-ବାଂଲାଦେଶ ସମ୍ପର୍କରେ ତାଙ୍କର ଅବଦାନ ସର୍ବଦା ମନେ ରହିବ। ପ୍ରଧାନମନ୍ତ୍ରୀ କହିଛନ୍ତି, ବାଂଲାଦେଶ ଜାତୀୟ ପରିଷଦର ପୂର୍ବତନ ବାଚସ୍ପତି ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ବେଗମ ଖାଲିଦା ଜିଆଙ୍କ ଢାକାରେ ମୃତ୍ୟୁ ଖବର ଶୁଣି ମୁଁ ଗଭୀର ଦୁଃଖିତ।

ତାଙ୍କ ପରିବାର ଏବଂ ବାଂଲାଦେଶର ସମସ୍ତ ଲୋକଙ୍କ ପ୍ରତି ଆମର ସମବେଦନା। ଭଗବାନ ତାଙ୍କ ପରିବାରକୁ ଏହି ଦୁଃଖଦ ମୁହୂର୍ତ୍ତକୁ ସହ୍ୟ କରିବା ପାଇଁ ଶକ୍ତି ଦିଅନ୍ତୁ।' ସେ ଆହୁରି ଲେଖିଛନ୍ତି, ମୁଁ ୨୦୧୫ରେ ଢାକାରେ ତାଙ୍କ ସହ ଆମର ସୌହାର୍ଦ୍ଦ୍ୟପୂର୍ଣ୍ଣ ସାକ୍ଷାତକୁ କରିଥିଲି। ଆମେ ଆଶା କରୁଛୁ ଯେ ତାଙ୍କର ଦୃଷ୍ଟିକୋଣ ଏବଂ ଐତିହ୍ୟ ଆମର ସହଭାଗୀତାକୁ ମାର୍ଗଦର୍ଶନ କରିବ। ତାଙ୍କ ଆତ୍ମାକୁ ଶାନ୍ତି ମିଳୁ।'
ଉଲ୍ଲେଖନୀୟ ଯେ, ଖାଲିଦାଙ୍କ ମୃତ୍ୟୁ ଏପରି ଏକ ସମୟରେ ଘଟିଛି ଯେତେବେଳେ ବାଂଲାଦେଶ ଆଭ୍ୟନ୍ତରୀଣ ହିଂସାର ସମ୍ମୁଖୀନ ହେଉଛି। ହାଦିଙ୍କ ହତ୍ୟା ଯୋଗୁଁ ବ୍ୟାପକ ବିରୋଧ ଏବଂ ଭଙ୍ଗାରୁଜା ଚାଲିଛି। ଦେଶରେ ଫେବୃଆରୀରେ ସାଧାରଣ ନିର୍ବାଚନ ମଧ୍ୟ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ଅଛି, ଯାହା ପାଇଁ ନାମାଙ୍କନ ପ୍ରକ୍ରିୟା ଚାଲିଛି। ଖାଲିଦାଙ୍କ ଅନୁପସ୍ଥିତିରେ ତାଙ୍କ ଦଳ ନିଜର ପ୍ରାଧାନ୍ୟ ବଜାୟ ରଖିପାରିବ କି ନାହିଁ ତାହା ଦେଖିବାକୁ ବାକି ଅଛି।












Click it and Unblock the Notifications