ମହାକାଶରେ କମାଲ୍ କଲା ଇସ୍ରୋ,ଅନ୍ତରୀକ୍ଷରେ ଅନଡକିଂ ପ୍ରକ୍ରିୟା ସଫଳ
ନୂଆଦିଲ୍ଲୀ: ଭାରତୀୟ ମହାକଶ ଗବେଷଣା ସଂସ୍ଥା (ଇସ୍ରୋ) ସ୍ପେସ୍ ଡକିଂ ଏକ୍ସପେରିମେଣ୍ଟ (SPADEX) ମିଶନରେ ଦୁଇ ଉପଗ୍ରହର ସଫଳତାର ସହ ଅନ୍ଡକ୍ (ଅଲଗା) କରି ଐତାହାସିକ ଉପଲବ୍ଧି ହାସଲ କରିଛି । ଏହି ଉପଲବ୍ଧି ଭାରତର ମହାକାଶ ଗବେଷଣା ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲ୍ଖୁଣ୍ଟ ପ୍ରମାଣିତ ହୋଇଛି । ଅନ୍ଡକିଂ ପ୍ରକ୍ରିୟାକୁ ସଫଳ କରିବା ପାଇଁ ବିଶେଷ ଧ୍ୟାନ ଦିଆଯାଇଥିଲା । ଏଥିରେ SDX-01 ଓ SDX-02 ଉପଗ୍ରହକୁ ସଫଳତା ସହ ଅଲଗା କରାଯାଇଛି ।
୩୦ ଡିସେମ୍ବର ୨୦୨୪ରେ ଶ୍ରୀହରିକୋଟାରୁ PSLV-C60 ରକେଟ୍ ସାହାଯ୍ୟରେ SDX-01 (ଚେଜର୍) ଏବଂ SDX-02 (ଟାର୍ଗେଟ୍) ନାମକ ଦୁଇଟି ଉପଗ୍ରହ ଉତକ୍ଷେପଣ ହୋଇଥିଲା। ପରବର୍ତ୍ତୀ ସମୟରେ ଜାନୁଆରୀ ୧୬, ୨୦୨୫ରେ ISRO ସଫଳତାର ସହ ଏହି ଦୁଇଟି ଉପଗ୍ରହକୁ ପରସ୍ପର ସହିତ ସଂଯୋଗ କରିଥିଲା ।
ଆମେରିକା, ରୁଷ ଏବଂ ଚୀନ୍ ପରେ ଭାରତ ଏହି ପ୍ରଯୁକ୍ତି ହାସଲ କରିବାରେ ବିଶ୍ୱର ଚତୁର୍ଥ ଦେଶ ପାଲଟିଥିଲା । ଏହା ପରେ ମାର୍ଚ୍ଚ ୧୩, ୨୦୨୫ରେ ISRO ସଫଳତାର ସହ ଏହି ଦୁଇଟି ଉପଗ୍ରହକୁ ପୃଥକ କରିଛି । ଏହା ଦ୍ବାରା ଜଟିଳ ମହାକାଶ ଅଭିଯାନ ପରିଚାଳନା କରିବାରେ ଭାରତ ପାରଙ୍ଗମ ବୋଲି ବିଶ୍ବକୁ ସନ୍ଦେଶ ଯାଇଛି ।

ଏହି ପ୍ରଯୁକ୍ତି ଭବିଷ୍ୟତର ମହାକାଶ ମିଶନ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଇସ୍ରୋର ଏହି ସଫଳତା ସହିତ ଏହା ସ୍ପଷ୍ଟ ହୋଇଛି ଯେ, ଭାରତ ଏବେ ବଡ଼ ଏବଂ ଉନ୍ନତ ମହାକାଶ ମିଶନ ପାଇଁ ପ୍ରସ୍ତୁତ । କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ଇସ୍ରୋକୁ ଅଭିନନ୍ଦନ ଜଣାଇ କହିଛନ୍ତି ଯେ, ଏହା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବର ବିଷୟ। ସେ ଭାରତର ମହାକାଶ କାର୍ଯ୍ୟକ୍ରମର ସଫଳତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଢ଼ ସମର୍ଥନକୁ ଗୁରୁତ୍ୱପୂର୍ଣ୍ଣ ବୋଲି ମଧ୍ୟ ବର୍ଣ୍ଣନା କରିଛନ୍ତି । ତେବେ ୟୁଆର ରାଓ ସାଟେଲାଇଟ୍ ସେଣ୍ଟର (ୟୁଆରଏସସି) ଏବଂ ଅନ୍ୟାନ୍ୟ ଇସ୍ରୋ କେନ୍ଦ୍ର ମିଳିତ ଭାବରେ ସ୍ପେଡେକ୍ସ ମିଶନ ବିକଶିତ କରିଛନ୍ତି ।












Click it and Unblock the Notifications