ସାହାରାରେ ଟଙ୍କା ଫସି ରହିଛି କି? ତୁରନ୍ତ ପଦକ୍ଷେପ ନିଅନ୍ତୁ, 45 ଦିନ ମଧ୍ୟରେ 10 ଲକ୍ଷ ପର୍ଯ୍ୟନ୍ତ ଟଙ୍କା ଫେରସ୍ତ ପାଆନ୍ତୁ
ସାହାରା ଇଣ୍ଡିଆରେ ଫସିଥିବା ଟଙ୍କାକୁ ନେଇ ଆସିଛି ବଡ଼ ଅପଡେଟ୍ । ଯେଉଁ ଜମାକାରୀଙ୍କ ଆବେଦନରେ କିଛି ତ୍ରୁଟି କିମ୍ବା ପେମେଣ୍ଟ ଫେଲ୍ ସମସ୍ୟା ଥିଲା, ସେମାନଙ୍କୁ ସରକାର ପୁଣି ଥରେ ସୁଯୋଗ ଦେଇଛନ୍ତି । ଏବେ ଜମାକାରୀ ତାଙ୍କ ତ୍ରୁଟି ସୁଧାରି ପୁଣିଥରେ ଆବେଦନ କରିପାରିବେ ।
ଯାହା ପରେ ଜମାକାରୀଙ୍କୁ ତାଙ୍କ ଜମା ଅର୍ଥ ୪୫ଟି କାର୍ଯ୍ୟ ଦିବସ ଭିତରେ ମିଳିଯିବ । ସବୁଠାରୁ ବଡ଼ କଥା ହେଲା ଏବେ ୫୦ ହଜାର ନୁହେଁ ବରଂ ୧୦ ଲକ୍ଷ ପର୍ଯ୍ୟନ୍ତ ରିଫଣ୍ଡ ଦାବି କରିପାରିବେ ସାହାରା ଇଣ୍ଡିଆର ଜମାକାରୀ ।
ଏନେଇ ସରକାର CRCS-ସାହାରା ଇଣ୍ଡିଆ ରିଫଣ୍ଡ ପୋର୍ଟାଲରେ Resubmission Portalର ଆରମ୍ଭ କରିଛନ୍ତି । ଯେଉଁ ଜମାକାରୀଙ୍କୁ ପୂର୍ବରୁ ମେସେଜ କିମ୍ବା ପୋର୍ଟାଲ ଜରିଆରେ ଆବେଦନରେ ତ୍ରୁଟି ନେଇ ସୂଚନା ଦିଆଯାଇଥିଲା । ସେମାନେ ଏବେ ଉକ୍ତ ତ୍ରୁଟି ସୁଧାରି ପୁଣିଥରେ କ୍ଲେମ୍ ଜମା କରିପାରିବେ ।

କେତେ ଜମାକାରୀ ପାଇଲେଣି ଫେରସ୍ତ ?
ମଙ୍ଗଳବାର ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ସଂସଦରେ କହିଛନ୍ତି ଯେ, "ଗତମାସ ପର୍ଯ୍ୟନ୍ତ ସାହାରା ଗ୍ରୁପ୍ ଅଫ୍ କୋ-ଅପରେଟିଭ୍ ସୋସାଇଟ୍ର ୪୦ ଲକ୍ଷରୁ ଅଧିକ ଜମାକାରୀଙ୍କୁ ୮, ୮୦୦ କୋଟି ଟଙ୍କା ଫେରସ୍ତ ଦିଆ ଯାଇ ସାରିଛି ।"
ଲୋକସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତର ରଖି ଅମିତ ଶାହ କହିଛନ୍ତି, ୨୦୨୬ ଫେବ୍ରୁଆରୀ ପର୍ଯ୍ୟନ୍ତ CRCS-ସାହାରା ଇଣ୍ଡିଆ ପୋର୍ଟାଲ୍ରେ ଜମାକାରୀଙ୍କ ଦ୍ଵାରା ୧ କୋଟି ୪୫ କୋଟି ଆବେଦନ ଓ ୪.୦୬ କୋଟି ଦାବି କରାଯାଇଥିଲା । ସାହାରା ସହକାରୀ ସମିତି ସମୂହ ପକ୍ଷରୁ ୪୦, ୩୩, ୪୪୮ ନିବେଶକଙ୍କୁ ୮, ୭୮୩. ୫୫ କୋଟି ଟଙ୍କା ଅର୍ଥ ରାଶି ପ୍ରଦାନ କରାଯାଇଛି ।
ନୂଆ ବ୍ୟବସ୍ଥା ଅନୁସାରେ, ଏଣିକି ଜମାକାରୀ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜମା ରିଫଣ୍ଡ ପାଇଁ ପୁନଃ ଆବେଦନ କରିପାରିବେ । ଏହା ପୂର୍ବରୁ କ୍ଷୁଦ୍ର ଜମାକାରୀଙ୍କ ଆବେଦନ ସ୍ଵୀକାର କରାଯାଉଥିଲା, ଏବେ ପରିମାଣ ବୃଦ୍ଧି କରାଯାଇଛି । ଫଳରେ ସାହାରା ଜମାକାରୀଙ୍କୁ ଆଶ୍ଵସ୍ତି ମିଳିବ । ପୁନଃ ଦାବିକୁ ୪୫ ଦିନ ଭିତରେ ପ୍ରକ୍ରିୟାକରଣ କରାଯିବ ବୋଲି ସରକାରଙ୍କୁ ପକ୍ଷରୁ କୁହାଯାଇଛି ।
ପୂର୍ବରୁ CRCS-ସାହାରା ଇଣ୍ଡିଆ ରିଫଣ୍ଡ ପୋର୍ଟାଲ ଜରିଆରେ କ୍ଷୁଦ୍ର ଜମାକାରୀଙ୍କୁ ଅର୍ଥ ରାଶି ଫେରସ୍ତ କରାଯାଉଥିଲା । ୫୦ ହଜାର ଟଙ୍କା ଜମା ଫେରସ୍ତ କରାଯାଉଥିଲା ।
କେମିତି କରିବେ ଆବେଦନ ?
ସରକାର ପର୍ଯ୍ୟାୟକ୍ରମେ ଏହି ପ୍ରକ୍ରିୟା ଆରମ୍ଭ କରିବେ । ଫଳରେ ପୋର୍ଟାଲ୍ ଉପରେ ଅଧିକ ଚାପ ରହିବ ନାହିଁ । ଏଥିପାଇଁ ଜମାକାରୀ ପୋର୍ଟାଲକୁ ଯାଇ କାଗଜପତ୍ର ଅପଲୋଡ୍ କରିବାକୁ ପଡ଼ିବ । କ୍ଲେମ୍ ପାଇଁ ଆଧାର ଲିଙ୍କ୍ ମୋବାଇଲ୍ ନମ୍ବର ସହ ବ୍ୟାଙ୍କ ଖାତା ଆବଶ୍ୟକ ଅଟେ । ଏଥିସହ ଜମା ସହ ଜଡ଼ିତ କାଗଜପତ୍ର ଅପଲୋଡ୍ କରିବାକୁ ପଡ଼ିବ । ଆବେଦନର ୩୦ ଦିନ ଭିତରେ ଯାଞ୍ଚ ଏବଂ ପରବର୍ତ୍ତୀ ୧୫ ଦିନରେ ନିଷ୍ପତ୍ତି ନେଇ ସୂଚନା ମିଳିବ । ଅର୍ଥାତ୍ ୪୫ ଦିନରେ ମିଳିଯିବ ଫସିଥିବା ସାହାରା ଟଙ୍କା ।












Click it and Unblock the Notifications