ଲୋକସଭାରେ ପାରିତ ହେଲା ଶିଳ୍ପ ସମ୍ପର୍କ ସଂହିତା ସଂଶୋଧନ ବିଲ୍୨୦୨୬
ଶିଳ୍ପ ସମ୍ପର୍କ ସଂହିତା ସଂଶୋଧନ ବିଲ୍-୨୦୨୬ ଲୋକସଭାରେ ପାରିତ ହୋଇଛି । ଟ୍ରେଡ୍ ୟୁନିୟନ୍ ଆଇନ-୧୯୨୬, ଶିଲ୍ପ ନିଯୁକ୍ତି ସ୍ଥାୟୀ ଆଦେଶ ଆଇନ-୧୯୪୬ ଏବଂ ଶିଳ୍ପ ବିବାଦ ଆଇନ - ୧୯୪୭କୁ ଏକିକୃତ କରାଯାଇ ପ୍ରସ୍ତୁତ ଶିଳ୍ପ ସମ୍ପର୍କ ସଂହିତା-୨୦୨୦ର କାର୍ଯ୍ୟକାରିତାକୁ ଦୃଷ୍ଟିରେ ରଖି ଏହି ସଂଶୋଧନ କରାଯାଉଛି ।
ନୂତନ ଆଇନରେ ଥିବା ଧାରା ୧୦୪ ଅନୁଯାୟୀ ପୂର୍ବ ଆଇନଗୁଡ଼ିକ ଆଧାରରେ ଗ୍ରହଣ କରାଯାଇଥିବା ପଦକ୍ଷେପକୁ ବୈଧ ଦର୍ଶାଇବା ନେଇ ସୃଷ୍ଟ ଦ୍ୱନ୍ଦ୍ୱକୁ ସମାଧାନ କରିବା ଲକ୍ଷ୍ୟରେ ଏହି ସଂଶୋଧନ ସହାୟକ ହେବ । ଶ୍ରମ ଓ ନିୟୋଜନ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବୀୟ ଗତକାଲି ଏହି ବିଲ୍କୁ ଲୋକସଭାରେ ଆଗତ କରିଥିଲେ । ଆଜି ଆଲୋଚନାର ଉତ୍ତର ଦେଇ ଶ୍ରୀ ମାଣ୍ଡବୀୟ କହିଛନ୍ତି, ୧୭ଟି ଜାତୀୟ ଶ୍ରମ ସଙ୍ଗଠନ ଏହି ସଂହିତାକୁ ପ୍ରଶଂସା କରିଛନ୍ତି ।
ଏହି ସଂହିତା ଶ୍ରମିକଙ୍କ ସ୍ୱାର୍ଥକୁ ସୁରକ୍ଷିତ ରଖିବା ସହିତ ନିଯୁକ୍ତିଦାତାଙ୍କୁ ବ୍ୟବସାୟ କରିବାର ସହଜତା ପ୍ରଦାନ କରୁଛି । ଲିଙ୍ଗଭିତ୍ତିକ ମଜୁରି ଅସମାନତାକୁ ଏହି ସଂହିତା ଦୂର କରିବା ସହିତ ଶ୍ରମିକଙ୍କୁ ସମୟାନୁଯାୟୀ ମଜୁରି ପ୍ରଦାନ କରିବାକୁ ସୁନିଶ୍ଚିତ କରିଥାଏ । ଶ୍ରୀ ମାଣ୍ଡବୀୟ କହିଛନ୍ତି, ୪୦ ବର୍ଷରୁ ଅଧିକ ବୟସ୍କ ଶ୍ରମିକଙ୍କୁ ପ୍ରତିବର୍ଷ ସ୍ୱାସ୍ଥ୍ୟ ପରୀକ୍ଷା କରିବା ବାଧ୍ୟତାମୂଳକ କରାଯାଇଛି । ବିଲ୍ ଆଲୋଚନାରେ ବିଭିନ୍ନ ଦଳର ସଦସ୍ୟ ଅଂଶଗ୍ରହଣ କରିଥିଲେ ।

ମନ୍ତ୍ରୀ ଶ୍ରୀ ମାଣ୍ଡବୀୟଙ୍କ ଉତ୍ତର ପରେ ବିଲ୍ଟି ଗୃହରେ ପାରିତ ହୋଇଥିଲା । ଏହାପରେ ଗୃହରେ କେତେକ ଜରୁରୀ ପ୍ରସଙ୍ଗ ନେଇ ଆଲୋଚନା ଆରମ୍ଭ ହେବାକୁ ଥିବାବେଳେ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଏହା ସମ୍ଭବ ହୋଇପାରି ନ ଥିଲା । ବି.ଜେ.ପି. ସଦସ୍ୟ ନିଶିକାନ୍ତ ଦୁବେ' ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ ବିରୋଧରେ କେତେକ ପ୍ରସଙ୍ଗ ନେଇ ଆଲୋଚନା କରିଥିଲେ । ଏହାକୁ ଆଧାର କରି ବିରୋଧୀ ସଦସ୍ୟମାନେ ଗୃହରେ ହଟ୍ଟଗୋଳ ଆରମ୍ଭ କରିଥିଲେ । ପରିସ୍ଥିତିକୁ ଦୃଷ୍ଟିରେ ରଖି ବାଚସ୍ପତି ଗୃହକୁ ଦିନକପାଇଁ ମୁଲତବୀ ରଖିଥିଲେ ।












Click it and Unblock the Notifications