ଉଡ଼ାଣ ସମୟରେ ରନ୍ଓ୍ବେରେ ଘଟିଲା ଏମିତି.... ବଡ଼ ଦୁର୍ଘଟଣା ଟଳିଲା ,ଡିମ୍ପଲ ଯାଦବଙ୍କ ସହ ଥିଲେ ୧୫୧ ଯାତ୍ରୀ
ଟେକ ଅଫ୍ କରିପାରିଲାନି ଇଣ୍ଡିଗୋ । ଉଡ଼ାଣ ପୂର୍ବରୁ ରନୱେରେ ଅଟକିଲା ବିମାନ । ଟଳିଳା ବଡ଼ ଦୁର୍ଘଟଣା । ତେବେ ରବିବାର (ସେପ୍ଟେମ୍ବର ୧୪) ଉତ୍ତର ପ୍ରଦେଶର ଲକ୍ଷ୍ନୌ ବିମାନବନ୍ଦରରେ ଏକ ଅଘଟଣ ଦେଖିବାକୁ ମିଳିଛି। ଏଠାରେ, ଦିଲ୍ଲୀ ଯାଉଥିବା ଇଣ୍ଡିଗୋ ବିମାନ ଉଡ଼ାଣ ସମୟରେ ରନୱେରେ ଅଟକି ଯାଇଥିଲା।
କ୍ୟାପ୍ଟେନ୍ ସମୟ ମଧ୍ୟରେ ବିମାନକୁ ଅଟକାଇ ସେଥିରେ ଥିବା ୧୫୧ ଜଣ ଯାତ୍ରୀଙ୍କ ଜୀବନ ବଞ୍ଚାଇଥିଲେ। ଏହି ବିମାନରେ ସମାଜବାଦୀ ପାର୍ଟି ସାଂସଦ ଏବଂ ସପ୍ପା ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ପତ୍ନୀ ଡିମ୍ପଲ ଯାଦବ ମଧ୍ୟ ଉପସ୍ଥିତ ଥିଲେ।
ସୂଚନା ଅନୁସାରେ, ବିମାନ ନମ୍ବର ୬ଇ-୨୧୧୧ରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ଉତ୍ତେଜନା ପ୍ରକାଶ ପାଇଥିଲା। ଲକ୍ଷ୍ନୌ-ଦିଲ୍ଲୀ ରୁଟ୍ରେ ଉଡ଼ାଣ କରିବାକୁ ଯାଉଥିବା ଇଣ୍ଡିଗୋ ବିମାନ ଉଡ଼ାଣ ପୂର୍ବରୁ ଅଟକି ଯାଇଥିଲା। ରନୱେରେ ଦ୍ରୁତ ଗତିରେ ଦୌଡ଼ିବା ପରେ ମଧ୍ୟ ଉଡ଼ାଣ ହୋଇପାରିଲା ନାହିଁ। ବିମାନ କ୍ୟାପ୍ଟେନ ଉପସ୍ଥିତ ବୁଦ୍ଧି ଖଟାଇ ବିମାନକୁ ଅଟକାଇ ଦେଇଥିଲେ।

ହଠାତ୍ ଘଟିଥିବା ଏହି ଘଟଣା ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଥିଲା। ସମସ୍ତ ଯାତ୍ରୀଙ୍କ ମୁହଁରେ ଭୟ ସ୍ପଷ୍ଟ ଭାବରେ ଦେଖାଯାଉଥିଲା। ଯାତ୍ରୀମାନେ କହିଥିଲେ ଯେ, ଭଗବାନ ଆମକୁ ରକ୍ଷା କରିଛନ୍ତି ନଚେତ୍ ଏକ ବଡ଼ ଦୁର୍ଘଟଣା ଘଟିଥାନ୍ତା। ବିମାନବନ୍ଦର ସୂତ୍ର ଅନୁସାରେ ବିମାନଟି ପୂର୍ବାହ୍ନ ପ୍ରାୟ ୧୧ଟାରେ ଉଡ଼ାଣ ପାଇଁ ରନୱେରେ ପହଞ୍ଚିଥିଲା। କୁହାଯାଉଛି ଯେ, ବିମାନଟି ବେଗ ବୃଦ୍ଧି କରିବା ମାତ୍ରେ ଏକ ଅସାଧାରଣ ଶବ୍ଦ ଶୁଣିବାକୁ ମିଳିଥିଲା। ବିମାନଟି ପର୍ଯ୍ୟାପ୍ତ ପରିମାଣରେ ଜୋର ପାଇ ନଥିଲା, ଯାହା ଫଳରେ ଏହା ଟେକ୍ ଅଫ୍ କରି ପାରି ନଥିଲା।
ପାଇଲଟ୍ ତୁରନ୍ତ ଏଟିସିକୁ ଉଡ଼ାଣ ବାତିଲ କରିବା ବିଷୟରେ ଜଣାଇଥିଲେ ଏବଂ ଜରୁରୀକାଳୀନ ବ୍ରେକ୍ ଲଗାଇ ଉଡ଼ାଣକୁ ଅଟକାଇ ଦେଇଥିଲେ। ବିମାନବନ୍ଦର ସୂତ୍ର ଅନୁସାରେ ଉଡ଼ାଣରେ ସମସ୍ୟା ଯୋଗୁ ବିମାନଟି ଉଡ଼ିପାରିଲା ନାହିଁ। ସୁରକ୍ଷାକୁ ଧ୍ୟାନରେ ରଖି, ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବରେ ବିମାନରୁ ଓହ୍ଲାଇ ଦିଆଯାଇଥିଲା ଏବଂ ପରେ ଅନ୍ୟ ଏକ ବିମାନ ଦ୍ୱାରା ଦିଲ୍ଲୀ ପଠାଯାଇଥିଲା।












Click it and Unblock the Notifications