ୟୁକ୍ରେନର ଖରକିବ ସହରରେ ଋଷ ସେନାର ଆକ୍ରମଣରେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ
ନୂଆଦିଲ୍ଲୀ: ୟୁକ୍ରେନରେ ଜାରି ରହିଥିବା ଯୁଦ୍ଧ ଯୋଗୁ ଆଜି ଏକ ଦୁଖଦ ଘଟଣା ଘଟିଛି। ୟୁକ୍ରେନର ଦ୍ଵିତୀୟ ବଡ ସହର ଖରକିବରେ ରହୁଥିବା ଜଣେ ଭାରତୀୟ ଛାତ୍ରଙ୍କ ଆଜି ଋଷ ସେନାର ଗୁଳି ବର୍ଷଣ ଯୋଗୁ ମୃତ୍ୟୁ ହୋଇଛି। ମୃତ ଛାତ୍ରଙ୍କ ନାମ ନବୀନ ଶେଖରପ୍ପା ଏବଂ ସେ କର୍ଣାଟକର ଚେଲାଗିରି ଅଞ୍ଚଳର। ନବୀନଙ୍କୁ 21 ବର୍ଷ ହୋଇଥିଲା ଏବଂ ସେ ଖରକିବରେ ଏକ ମେଡିକାଲ କଲେଜରେ ପାଠ ପଢୁଥିଲେ ।

ଏମିତି ଥିଲା ମୃତ୍ୟୁର ସମୟ:
ଖରକିବରେ ପ୍ରାୟ ତିନି ହଜାର ଛାତ୍ର ଏବେ ବିଭିନ୍ନ ବଙ୍କର ମଧ୍ୟରେ ଅନ୍ୟ ନାଗରିକଙ୍କ ସହିତ ଆଶ୍ରୟ ନେଇଛନ୍ତି। ଖରକିବର ଏକ ବଙ୍କର ମଧ୍ୟରେ ଦୁଇ ଦିନ ଧରି ରହୁଥିବା ନବୀନ ଆଜି ସକାଳେ କିଛି ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ନିକଟସ୍ଥ ଏକ ସୁପର ମାର୍କେଟକୁ ଯାଇଥିଲେ । ଏଥିପାଇଁ ତାଙ୍କୁ ବଙ୍କରରୁ ବାହାରକୁ ବାହାରିବାକୁ ପଡିଥିଲା । ଏହି ସମୟରେ ସମ୍ପୃକ୍ତ ଅଞ୍ଚଳରେ ହଠାତ ଆକ୍ରମଣ କରିଥିଲା ଋଷ ସେନା। ଭୀଷଣ ଗୁଳିଗୋଳା ବର୍ଷଣ ଯୋଗୁ ସେହି ରାସ୍ତାଦେଇ ଯାଉଥିବା ନବୀନଙ୍କ ଦେହରେ ଗୁଳି ବାଜିଥିଲା । ଦୁଇଦିନ ପୂର୍ବେ ନବୀନ ଘର ଲୋକଙ୍କ ସହିତ କଥା ହୋଇଥିଲେ। ଘର ଲୋକଙ୍କ ଆଶା ଥିଲା ଯେ, ଅନ୍ୟ ଛାତ୍ରଙ୍କ ଭଳି ତାଙ୍କ ପୁଅ ଭାରତ ଫେରି ଆସିବେ ବୋଲି।
ବିଦେଶ ମନ୍ତ୍ରାଳୟର ଆଭିମୁଖ୍ଯ:
ଆଜି ଭାରତୀୟ ଛାତ୍ରଙ୍କ ମୃତ୍ୟୁକୁ ନେଇ ଦୁଖ ପ୍ରକାଶ କରିଛି ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ। ଏଥିସହିତ ମନ୍ତ୍ରାଳୟ ତରଫରୁ ଉଭୟ ୟୁକ୍ରେନ ଏବଂ ଋଷ ଦୂତାବାସକୁ ଏନେଇ ସୂଚିତ କରାଯାଇଛି। ଘଟଣାକୁ ଅତ୍ୟନ୍ତ ଗମ୍ଭୀରତାର ସହିତ ନେଇ ଭାରତ ନିଜ ନାଗରିକଙ୍କ ସୁରକ୍ଷାକୁ ନେଇ ଜବାବ ତଲବ କରିଛି ପ୍ରତିପକ୍ଷ ରାଷ୍ଟ୍ ଠାରୁ । ଯୁଦ୍ଧର ପ୍ରଥମ ଦିବସରୁ ହିଁ ଭାରତୀୟ ନାଗରିକଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ପାଇଁ ଭାରତ ପକ୍ଷରୁ ଋଷ ଏବଂ ୟୁକ୍ରେନକୁ କୁହାଯାଇଥିଲା । ଏଥି ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଋଷ ରାଷ୍ଟ୍ରପତି ପୁଟିନଙ୍କ ସହିତ କଥା ହୋଇ ଭାରତୀୟଙ୍କ ସୁରକ୍ଷା ନେଇ ପ୍ରଶ୍ନ ଉଠାଇ ଥିଲେ। କେବଳ ସେତିକି ନୁହେଁ, ଭାରତୀୟ ବିଦେଶ ମନ୍ତ୍ରାଳୟ ପକ୍ଷରୁ ବିଦେଶ ମନ୍ତ୍ରୀ ଏସ. ଜୟଶଙ୍କର ବିଭିନ୍ନ ପଡୋଶୀ ଦେଶ ସହିତ ଭାରତୀୟଙ୍କ ସୁରକ୍ଷିତ ଫେରିବା ସଂକ୍ରାନ୍ତରେ ଆଲୋଚନା କରିଥିଲେ । ପୋଲାଣ୍ଡ, ହଙ୍ଗେରୀ, ରୋମାନିୟା ଆଦି ଦେଶର ସହାୟତାରେ ଭାରତ ନିଜ ନାଗରିକଙ୍କୁ ଫେରାଇ ଆଣିବା ପାଇଁ ଏହାପରେ ଆରମ୍ଭ କରିଥିଲା ଅପରେସନ ଗଙ୍ଗା












Click it and Unblock the Notifications