୧୨ ହଜାର କୋଟି ଟଙ୍କାର ଡ୍ରଗ୍ସ ସିଜ୍ କଲା ଭାରତୀୟ ନୌସେନା
କୋଚି: ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଏବଂ ଭାରତୀୟ ନୌସେନାକୁ ବଡ଼ ସଫଳତା ମିଳିଛି। ଉଭୟେ 'ସମୁଦ୍ରଗୁପ୍ତ' ଅଭିଯାନ ଚଳାଇ ଶନିବାର କୋଚି ଉପକୂଳରୁ ପ୍ରାୟ ୨୫୦୦ କେଜିର ଡ୍ରଗ୍ସ ଜବତ କରିଛନ୍ତି । ଅନ୍ତର୍ଜାତୀୟ ବଜାରରେ ଏହି ମେଥାଫେଟାମାଇନର ମୂଲ୍ୟ ପ୍ରାୟ ୧୨ ହଜାର କୋଟି ଟଙ୍କା ହେବ ।
ନୌସେନାର ଜଣେ ଅଧିକାରୀଙ୍କ ଅନୁଯାୟୀ, ଜବତ କରାଯାଇ ଥିବା ଡ୍ରଗ୍ସ ଇରାନରୁ ଭାରତ ଆସୁଥିଲା । ଗୁଜରାଟର ବନ୍ଦରରେ ପହଞ୍ଚିବା ପୂର୍ବରୁ ହିଁ ଏହି ଡ୍ରଗ୍ସକୁ ଜବତ କରି ନିଆଯାଇଛି । ତେବେ ପ୍ରଥମ ଥର ପାଇଁ ଭାରତୀୟ ପ୍ରବର୍ତ୍ତନ ଏଜେନ୍ସିଗୁଡିକ ଏତେ ପରିମାଣର ମେଥାଫେଟାମାଇନ ଜବତ କରିଛନ୍ତି। ଏହି ମାମଲାରେ ଜଣେ ପାକିସ୍ତାନୀକୁ ଗିରଫ କରାଯାଇଛି । ଏକ ଡଙ୍ଗାକୁ ମଧ୍ୟ ଜବତ କରାଯାଇଛି। ତେବେ ଏହାକୁ ନେଇ ଯାଉଥିବା ବଡ଼ ଜାହାଜକୁ ଜବତ କରାଯାଇ ପାରି ନାହିଁ । କାରଣ ଏହା ସମୁଦ୍ରରେ ବୁଡି ଯାଇଛି ।

ପାକିସ୍ତାନରୁ ଏକ ବଡ଼ ଜାହାଜରେ ଏହି ଡ୍ରଗ୍ସ ଆସିଥିଲା। ଭାରତ, ଶ୍ରୀଲଙ୍କା ଏବଂ ମାଳଦ୍ବୀପରେ ଏହା ବିକ୍ରି ହେବାର ଥିଲା। ଉକ୍ତ ଜାହାଜ ନିଜ ଯାତ୍ରା ସମୟରେ ଅନେକ ଡଙ୍ଗାକୁ ଡ୍ରଗ୍ସ ଯୋଗାଇ ଆସୁଥିଲା। ପାକିସ୍ତାନ ଏବଂ ଇରାନ ନିକଟରେ ଥିବା ମାର୍କନ ଉପକୂଳରୁ ଏହା ଯାତ୍ରା ଆରମ୍ଭ କରିଥିଲା। ଏଥିରୁ ୧୩୪ ପ୍ୟାକେଟ ମେଥାପେଟାମାଇନ, ଏକ ବୋଟ ଏବଂ ଅନ୍ୟ କିଛି ସାମଗ୍ରୀ ଜବତ କରାଯାଇ କୋଚିର ମ୍ୟାଟନଚେରୀ ୱାର୍ଫକୁ ଅଣା ଯାଇଥିଲା। ପରେ ନୌସେନା ଏହାକୁ ଏନ୍ସିବିକୁ ହସ୍ତାନ୍ତର କରିଥିଲା।
ସୂଚନାଥାଉକି ଏହା ପୂର୍ବରୁ ଭାରତୀୟ ନୌସେନାର ନାଭାଲ ଇଣ୍ଟେଲିଜେନ୍ସ ୟୁନିଟ୍ ଫେବ୍ରୁଆରୀ ୨୦୨୨ରେ ୨୦୦୦ କୋଟି ଟଙ୍କାର ଡ୍ରଗ୍ସ ଜବତ କରିଥିଲା । ଗୁଜୁରାଟକୁ ଲାଗି ସମୁଦ୍ରୀ ଅଞ୍ଚଳରୁ ଅନେକଥର କୋଟି କୋଟି ଟଙ୍କାର ଡ୍ରଗ୍ସ ଧରାଯାଇଛି । କିନ୍ତୁ ସମୁଦ୍ରୀ ମାର୍ଗରେ ଭାରତ ଅଣାଯାଉ ଥିବା ଏହା ଏପର୍ଯ୍ୟନ୍ତ ସୁଦ୍ଧା ସବୁଠୁ ବଡ଼ ଡ୍ରଗ୍ସ କନସାଇନମେଣ୍ଟ ଅଟେ ।












Click it and Unblock the Notifications