ଆଜି ଦେଶ ପାଳୁଛି ଗୌରବମୟ 77ତମ ଭାରତୀୟ ସେନା ଦିବସ ,ଜାଣନ୍ତୁ କାହିଁକି ପାଳନ କରାଯାଏ ଏହି ଦିବସ?
Indian Army Day 2025: ଆଜି ହେଉଛି 'ଆର୍ମି ଡେ' (Army Day 2025) ବା ସ୍ଥଳସେନା ଦିବସ । ଦେଶ ପାଳୁଛି ଗୌରବମୟ 77 ତମ ଆର୍ମି ଡେ । ପ୍ରତିବର୍ଷ ଜାନୁୟାରୀ 15 ତାରିଖକୁ ଏହି ଦିବସ ପାଳନ କରାଯାଇଥାଏ । ଦେଶର ସୀମାରେ ମୁତୟନ ବୀର ଯବାନଙ୍କ ବୀରତ୍ବ, ଶୌର୍ଯ୍ୟ, ପରାକ୍ରମ, ସେବା, ତ୍ୟାଗ ଓ ବଳିଦାନକୁ ସମ୍ମାନ ଜଣାଇବାର ଦିନଟିଏ । ଭାରତୀୟ ସେନାର ଏକ ପ୍ରମୁଖ ଅଙ୍ଗ ହେଉଛି ସ୍ଥଳ ସେନା । ବା ପଦାତିକ ବାହିନୀ। ଭାରତୀୟ ସେନା ସର୍ବଦା ଦେଶର ସୁରକ୍ଷା ପାଇଁ ପ୍ରତିବଦ୍ଧ।
ସେ ଯୁଦ୍ଧ ହେଉ କି ପ୍ରାକୃତିକ ବିପର୍ଯ୍ୟୟ ପରର ଉଦ୍ଧାର କାର୍ଯ୍ୟ ଅଥବା ଜରୁରିକାଳୀନ ପରିସ୍ଥିତି, ସବୁକ୍ଷେତ୍ରରେ ଅସହାୟ ଲୋକଙ୍କୁ ସାହାଯ୍ୟ ସହଯୋଗ ଯୋଗାଇ ଦେବା ପାଇଁ ଆଗଭର ଭାରତୀୟ ସେନା। ଦେଶପାଇଁ ବଳିଦାନ ଦେବାକୁ ଭାରତୀୟ ଯବାନମାନେ ସର୍ବଦା ପ୍ରସ୍ତୁତ। ଆତଙ୍କବାଦୀ ମୁକାବିଲା ପାଇଁ ସୈନିକମାନେ ନିଜ ଜୀବନକୁ ବିପଦରେ ପକାଇବାକୁ ମଧ୍ୟ ଭୟ କରନ୍ତି ନାହିଁ । ଭାରତୀୟ ସେନାର ପରାକାଷ୍ଠା ଏବଂ ପରାକ୍ରମକୁ ସମ୍ମାନ ଜଣାଇ ପ୍ରତିବର୍ଷ ଜାନୁଆରୀ ୧୫ ତାରିଖକୁ ସ୍ଥଳସେନା ଦିବସ ଭାବେ ପାଳନ କରାଯାଏ।
1949ରେ ଭାରତୀୟ ସ୍ଥଳସେନାକୁ ମିଳିଥିଲା ପ୍ରଥମ ସେନା ଅଧ୍ୟକ୍ଷ । ଫିଲ୍ଡ ମାର୍ଶଲ କରିୟପ୍ପା ହୋଇଥିଲେ ଭାରତୀୟ ସ୍ଥଳସେନାର ପ୍ରଥମ ଅଧ୍ୟକ୍ଷ । ତାଙ୍କରି ସମ୍ମାନରେ ଜାନୁୟାରୀ 15 କୁ ଆର୍ମି ଡେ' ବା ସ୍ଥଳସେନା ଦିବସ ଭାବେ ଦେଶ ପାଳନ କରି ଆସୁଛି । କିଏ ଏହି ଫିଲ୍ଡ ମାର୍ଶଲ କେଏମ କରିୟପ୍ପା - 1947 ରେ ଦେଶ ସ୍ବାଧୀନତା ହେବା ସତ୍ତ୍ବେ 1949 ପର୍ଯ୍ୟନ୍ତ ଭାରତ ଉପରେ ବ୍ରିଟିଶ ସେନାର ପ୍ରଭୁତ୍ବ ଥିଲା । ଅର୍ଥାତ 1949 ପର୍ଯ୍ୟନ୍ତ ଭାରତୀୟ ସେନାର ମୁଖ୍ୟଥିଲେ ବ୍ରିଟିଶ ସେନାଧ୍ୟକ୍ଷ ।

ସ୍ବାଧୀନ ଭାରତର ଶେଷ ବ୍ରିଟିଶ ସେନାଧ୍ୟକ୍ଷ ଥିଲେ କମାଣ୍ଡର ଇନ ଚିଫ ଜେନେରାଲ ଫ୍ରାନ୍ସିସ ବୁଚର । ତାଙ୍କ ଠାରୁ ଲେଫ୍ଟନାଣ୍ଟ କେଏମ କରିୟପ୍ପା (KM Cariappa) ନେଇଥିଲେ ଭାରତୀୟ ସେନାର ଦାୟିତ୍ବ । ପରେ ଭାରତ-ପାକିସ୍ତାନ ଯୁଦ୍ଧ ବେଳେ ସେ ନେଇଥିଲେ ଭାରତୀୟ ସେନାର ନେତୃତ୍ବ । ତାଙ୍କର ଦକ୍ଷତା ଓ ବୀରତ୍ବକୁ ସମ୍ମାନ ଜଣାଇ ସରକାର ଲେଫ୍ଟନାଣ୍ଟ କେଏମ କରିୟପ୍ପାଙ୍କୁ ଫିଲ୍ଡ ମାର୍ଶଲ ଭାବେ ପଦନ୍ନୋତି ଦେଇଥିଲେ ।
ଫିଲ୍ଡ ମାର୍ଶଲ କରିୟପ୍ପା ଭାରତୀୟ ସେନାର ପ୍ରଥମ ଅଧିକାରୀ ଭାବରେ ପାଞ୍ଚ ତାରକା ମାନ୍ୟତା ପାଇଥିଲେ । ଦ୍ବିତୀୟ ବିଶ୍ବଯୁଦ୍ଧ ଓ 1947 ର ପ୍ରଥମ ଇଣ୍ଡୋ-ପାକ ଯୁଦ୍ଧରେ ସେନାର ନେତୃତ୍ବ ନେଇଥିଲେ। 1919 ମସିହାରେ ଫିଲ୍ଡ ମାର୍ଶଲ କେଏମ କରିୟାପ୍ପା ଭାରତୀୟଙ୍କ ଗୋଷ୍ଠୀରେ ସେନା ପାଇଁ ମନୋନୀତ ହୋଇଥିଲେ । ଫିଲ୍ଡ ମାର୍ଶଲ କେଏମ କରିୟାପ୍ପାଙ୍କୁ 'ଅର୍ଡର ଅଫ ଦି ଲେଜିଅନ ଅଫ ମେରିଟ' ପ୍ରଦାନ କରାଯାଇଥିଲା ।
ବ୍ରିଟିଶ ରାଷ୍ଟ୍ରପତି ହ୍ୟାରି ଟ୍ରୁମାନଙ୍କ ଦ୍ବାରା ଭାରତୀୟ ଜେନେରାଲକୁ ଦିଆଯାଇଥିବା ପ୍ରଥମ ପୁରସ୍କାର ଫିଲ୍ଡ ମାର୍ଶଲ କେଏମ କରିୟାପ୍ପା ପାଇଥିଲେ । 1983 ରେ ତାଙ୍କୁ ଫିଲ୍ଡ ମାର୍ଶଲ (ପାଞ୍ଚ ତାରକା) ମାନ୍ୟତା ଦିଆଯାଇଥିଲା । ଭାରତୀୟ ସେନାରୁ ଅବସର ନେବା ପରେ ଫିଲ୍ଡ ମାର୍ଶଲ କେଏମ କରିୟପ୍ପା 1956 ପର୍ଯ୍ୟନ୍ତ ଅଷ୍ଟ୍ରେଲିଆ ଓ ନ୍ୟୁଜିଲ୍ୟାଣ୍ଡରେ ଭାରତୀୟ ହାଇ-କମିଶନର ଭାବେ କାର୍ଯ୍ୟ କରିଥିଲେ। ତାଙ୍କର ସାହସିକତା ଦକ୍ଷତା ସବୁବେଳେ ଭାରତୀୟ ସେନାର ପ୍ରେରଣା ହୋଇ ରହିଛି ।
ଫିଲ୍ଡ ମାର୍ଶଲ କେଏମ କରିୟପ୍ପା ସ୍ବାଧିନ ଭାରତର ପ୍ରଥମ ସ୍ଥଳସେନା ଅଧ୍ୟକ୍ଷ ଭାବେ 15 ଜାନୁୟାରୀରେ ଦାୟିତ୍ବ ନେଇଥିଲେ । ଯାହା ଭାରତୀୟ ସେନା ପାଇଁ ଏକ ଐତିହାସିକ ଦିନ । ଯେତେବେଳେ ଫିଲ୍ଡ ମାର୍ଶଲ କେଏମ କରିୟପ୍ପା ସେନା ମୁଖ୍ୟ ଭାବେ ଦାୟିତ୍ବ ନେଇଥିଲେ ସେତେବେଳେ ଭାରତୀୟ ସେନାର ସୈନ୍ୟ ସଂଖ୍ୟା 2 ଲକ୍ଷ ଥିଲା । ଯାହା ବର୍ତ୍ତମାନ 13 ଲକ୍ଷ ରୁ ଅଧିକ । କେଏମ କରିୟପ୍ପା ଭାରତୀୟ ସେନାରୁ ବର୍ଷ 1953 ରେ ଅବସର ନେଇଥିଲେ । 94 ବର୍ଷ ବୟସରେ 1993ରେ ତାଙ୍କର ନିଧନ ହୋଇଥିଲା ।
ରାଜା ରାଜୁଡା ସମୟରେ ରାଜା ମାନେ ନିଜ ରାଜ୍ୟକୁ ସୁରକ୍ଷିତ ରଖିବା ପାଇଁ ନିଜସ୍ବ ସୈନ୍ୟ ଶକ୍ତି ରଖୁଥିଲେ । ହେଲେ ପ୍ରଥମ ଥର 1776 ରେ ଭାରତରେ ବ୍ରିଟିଶ ସରକାର ତଥା ଇଷ୍ଟ ଇଣ୍ଡିଆ କମ୍ପାନୀ କୋଲକାତା ଠାରେ ସେନା ଗଠନ କରିଥିଲା । ପରେ ଏହାକୁ ବ୍ରିଟିଶ ଭାରତୀୟ ସେନା ଭାବେ ମାନ୍ୟତା ମିଳିଥିଲା । ଦେଶ ସ୍ବାଧୀନ ହେବାର ପରବର୍ତ୍ତୀ ସମୟରେ ଭାରତୀୟ ସ୍ଥଳସେନା ଭାବେ ମାନ୍ୟତା ପାଇଥିଲା ।












Click it and Unblock the Notifications