ଟାରିଫ ମାଡ଼ ପରେ ଭାରତ ନେଲା ବଡ ନିଷ୍ପତ୍ତି, ଆମେରିକା ଗସ୍ତ ବାତିଲ କଲେ ଏହି ନେତା !
ଭାରତରୁ ଆମଦାନୀ କରୁଥିବା ସାମଗ୍ରୀ ଉପରେ ୫୦% ଟାରିଫ୍ ଲଗାଇବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଘୋଷଣା କରିବା ପରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଅନେକ ଦଶନ୍ଧି ମଧ୍ୟରେ ସର୍ବନିମ୍ନ ସ୍ତରରେ ପହଞ୍ଚତ୍ଛି। ଏହାର ପ୍ରତିବାଦରେ କେନ୍ଦ୍ର ଆମେରିକାରୁ ଅସ୍ତ୍ରଶସ୍ତ୍ର ଏବଂ ଯୁଦ୍ଧବିମାନ କିଣିବା ଯୋଜନାକୁ ସ୍ଥଗିତ ରଖିଥିବା ଜଣାପଡ଼ିଛି। ଏହି ଘଟଣା ସହ ଜଡ଼ିତ ୩ ଜଣ ବରିଷ୍ଠ ଅଧିକାରୀ ଉପରୋକ୍ତ ସୂଚନା ଦେଇଥିବା ରଏଟର୍ସ ରିପୋର୍ଟରେ ପ୍ରକାଶ ପାଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଆଗାମୀ ସପ୍ତାହରେ ଓ୍ବାଶିଂଟନ ପଠାଇବାକୁ ଭାରତ ଯୋଜନା କରିଥିଲା। ସେଠାରେ ସେ ନୂଆ କ୍ରୟ ସମ୍ପର୍କରେ ଘୋଷଣା କରିଥାନ୍ତେ। ତେବେ ଉକ୍ତ ଗସ୍ତକୁ ବାତିଲ କରିଦିଆଯାଇଥିବା ୨ ଜଣ ଅଧିକାରୀ କହିଛନ୍ତି। ଅନ୍ୟପକ୍ଷରେ ପ୍ରତିରକ୍ଷା ମନ୍ତ୍ରଣାଳୟ ଶୁକ୍ରବାର ରଏଟର୍ସର ଉପରୋକ୍ତ ରିପୋର୍ଟକୁ ଖଣ୍ଡନ କରିଛି। ଏହା ମିଥ୍ୟା ଏବଂ ମନଗଢ଼ା ଖବର ବୋଲି ମନ୍ତ୍ରଣାଳୟ କହିଛି।

ଗତବର୍ଷ ଭାରତ ଏହାର ମୋଟ ଅଶୋଧିତ ତୈଳ ଆବଶ୍ୟକତାର ପାଖାପାଖି ୩୬ ପ୍ରତିଶତ ରୁଷିଆରୁ ଆମଦାନୀ କରିଥିଲା। ଏହାଦ୍ୱାରା ଭାରତର ବହୁ ବିଲିୟନ ଡଲାର ସଞ୍ଚୟ ହୋଇଥିଲା ଏବଂ ଘରୋଇ ବଜାରରେ ତେଲ ଦର ସ୍ଥିର ରଖିବାରେ ସହାୟକ ହୋଇଥିଲା। ରୁଷିଆ ପରିବର୍ତ୍ତେ ଅନ୍ୟ ଦେଶରୁ ତେଲ କିଣିଲେ ଭାରତକୁ ଅଧିକ ବ୍ୟୟ କରିବାକୁ ପଡ଼ିବ ଏବଂ ନ କଲେ ଭାରତର ରପ୍ତାନି ବାଧାପ୍ରାପ୍ତ ହେବ। ଆମେରିକାର ଅତିରିକ୍ତ ଟାରିଫ୍ ଯୋଗୁ ଅଧିକାଂଶ ବ୍ୟବସାୟ କରିବା ସମ୍ଭବ ହେବ ନାହିଁ ବୋଲି ଫେଡେରେଶନ ଅଫ୍ ଇଣ୍ଡିଆନ୍ ଏକ୍ସପୋର୍ଟସ୍ ଅର୍ଗାନାଇଜେଶନ୍ସ ପକ୍ଷରୁ ସତର୍କ କରିଦିଆଯାଇଛି। ଅନ୍ୟପକ୍ଷରେ ଟ୍ରମ୍ପ୍ଙ୍କ ଚାପରୁ ବର୍ତ୍ତିବା ଲାଗି ଭାରତ ଅନ୍ୟ ସହଯୋଗୀ ଦେଶଗୁଡ଼ିକ ସହ ସମ୍ପର୍କ ବଢ଼ାଇବାକୁ ଉଦ୍ୟମ କରିଛି। ଗୁରୁବାର ପ୍ରଧାନମନ୍ତ୍ରୀ ବ୍ରାଜିଲ ରାଷ୍ଟ୍ରପତି ଲୁଇଜ୍ ଇନାସିଓ ଲୁଲା ଡା ସିଲ୍ଭାଙ୍କ ସହ ଫୋନ୍ ଯୋଗେ କଥା ହୋଇଥିଲେ। ବହୁପାକ୍ଷିକବାଦ ବିରୋଧରେ ଲଢ଼ିବା ଆବଶ୍ୟକତାକୁ ନେଇ ସେମାନେ ରାଜି ହୋଇଥିବା ଜଣାପଡ଼ିଛି। ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ମସ୍କୋ ଗସ୍ତରେ ଯାଇଥିବାବେଳେ ଖୁବ୍ଶୀଘ୍ର ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ ଭାରତ ଆସିବେ ବୋଲି କହିଛନ୍ତି। ଅଗଷ୍ଟ ଶେଷ ଭାଗରେ ପ୍ରଧାନମନ୍ତ୍ରୀ ଚାଇନା ଗସ୍ତରେ ଯିବା କାର୍ଯ୍ୟକ୍ରମ ରହିଛି।












Click it and Unblock the Notifications