ଏହି ଦୁଇ ଦେଶ ପାଇଁ ବଢ଼ୁଛି ଦିଲ୍ଲୀରେ ବାୟୁ ପ୍ରଦୂଷଣ!
ନୂଆଦିଲ୍ଲୀ: ଦିଲ୍ଲୀରେ ବାୟୁର ମାନ ଅତ୍ୟନ୍ତ ଗମ୍ଭୀର ସ୍ଥିତିରେ ପହଞ୍ଚିଛି । ଫଳରେ ଅସମ୍ଭାଳ ହୋଇପଡିଛି ସ୍ଥିତି । ନିଶ୍ୱାସ ନେବା ଏଠି ମୁସକିଲ ହୋଇପଡିଛି । ଦିଲ୍ଲୀ, ନୋଏଡା, ଗାଜିଆବାଦ ଏବଂ ଗୁରୁଗ୍ରାମରେ ବାୟୁ ଗୁଣବତା ଚରମସ୍ତରରେ ପହଞ୍ଚିଛି । ନଭେମ୍ବର ୧୯ ତାରିଖ ଅର୍ଥାତ୍ ମଙ୍ଗଳବାର ସକାଳୁ ଏୟାର କ୍ବାଲିଟି ଇଣ୍ଡେକ୍ସ ୫୦୦ ଅଙ୍କ ପାର୍ କରିଛି ।
ଫଳରେ ଏନସିଆରରେ ଲଗାତାର ସମସ୍ତ ଦିନରେ ବିଷାକ୍ତ ବାୟୁ ପ୍ରଦୂଷଣ ସହିତ ଘନ କୁହୁଡି ଦେଖିବାକୁ ମିଳିଛି । ଅନ୍ୟପକ୍ଷରେ ପାକିସ୍ତାନର ଦୁଇଟି ସହର ଲାହୋର ଓ ମୁଲତାନରେ ବାୟୁ ଗୁଣବତ୍ତା ସୂଚକାଙ୍କ ଏକ୍ୟୁଆଇ ୨୦୦୦ ଅତିକ୍ରମ କରିଛି। ଏହାକୁ ଦୃଷ୍ଟିରେ ରଖି ପାକିସ୍ତାନ ସରକାର ଏହି ଦୁଇ ସହରରେ ସମ୍ପୂର୍ଣ୍ଣ ଲକଡାଉନ ଲାଗୁ କରିଛନ୍ତି ।

ଭାରତ-ଗାଙ୍ଗେୟ ସମତଳ ଅଞ୍ଚଳରେ ବାୟୁ ପ୍ରଦୂଷଣ ପ୍ରତି ଶୀତଦିନେ ବିପଜ୍ଜନକ ସ୍ତର ଅତିକ୍ରମ କରିଥାଏ। ପ୍ରତିବର୍ଷ ଦୀପାବଳି ପରେ ଉତ୍ତର ଓ କେନ୍ଦ୍ରୀୟ ଭାରତରେ ଚାଷ ଜମିରେ ନିଆଁ ଲାଗିଥାଏ। ଯାହା ଫଳରେ ଦିଲ୍ଲୀ ସମେତ ଏହାର ଆଖପାଖ ଅଞ୍ଚଳରେ ପ୍ରଦୂଷଣ ଦ୍ରୁତ ଗତିରେ ବଢିବାରେ ଲାଗିଛି । ନିକଟରେ ଆମେରିକୀୟ ମହାକାଶ ଏଜେନ୍ସି ନାସା ଏକ ସାଟେଲାଇଟ୍ ଫଟୋ ଜାରି କରିଛି, ଯେଉଁଥିରେ ଭାରତ ଓ ପାକିସ୍ତାନର ଏକ ବଡ଼ ଅଂଶ କଳା ଧୂଆଁରେ ଆଚ୍ଛାଦିତ ହୋଇଛି।
ଶୀତଦିନେ ଭାରତର ୭୨ ପ୍ରତିଶତ ବାୟୁ ଉତ୍ତର ପଶ୍ଚିମ ଦିଗରୁ ଆସିଥାଏ। ଏହି ପବନ ସହ ରାଜସ୍ଥାନ, ପାକିସ୍ତାନ ଓ ଆଫଗାନିସ୍ତାନର ଧୂଳି ମାଟି ଦେଶର ରାଜଧାନୀ ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ପହଞ୍ଚିଛି। ସେହିପରି ଥର୍ମାଲ ଇନଭର୍ସନ ଯୋଗୁଁ ବାୟୁମଣ୍ଡଳର ଉପର ସ୍ତରକୁ ପ୍ରଦୂଷଣ ବ୍ୟାପିନଥାଏ । ତେଣୁ ଦିଲ୍ଲୀରେ ବାୟୁ ପ୍ରଦୂଷଣର ପ୍ରକୋପ ଦ୍ରୁତ ଗତିରେ ବୃଦ୍ଧି ପାଉଛି।












Click it and Unblock the Notifications