ଆମକୁ ସହଯୋଗୀ ଆବଶ୍ୟକ,ଉପଦେଶ ଦେଉଥିବା ରାଷ୍ଟ୍ର ନୁହେଁ, ଜାଣନ୍ତୁ କାହିଁକି ଏମିତି କହିଲେ ବୈଦେଶିକ ମନ୍ତ୍ରୀ
ଭାରତ ପାଇଁ ବନ୍ଧୁର ଆବଶ୍ୟକତା ରହିଛି। ଉପଦେଶ ଦେଉଥିବା ଦେଶର ଆବଶ୍ୟକତା ନାହିଁ। ୟୁରୋପ ଉଦ୍ଦେଶ୍ୟରେ ଏଭଳି କଠୋର ମନ୍ତବ୍ୟ ଦେଇଛନ୍ତି ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର। ରବିବାର ଆର୍କଟିକ୍ ସର୍କଲ ଇଣ୍ଡିଆ ଫୋରମ ୨୦୨୫ରେ ଯୋଗଦେଇ ଜୟଶଙ୍କର କହିଛନ୍ତି, ଭାରତ ସହିତ ନିବିଡ଼ ସମ୍ପର୍କ ରଖିବାକୁ ହେଲେ ୟୁରୋପକୁ କିଛି ସମ୍ବେଦନଶୀଳତା ଏବଂ ପରସ୍ପରର ହିତ ସାଧନ ହେଲା ଭଳି ମନୋଭାବ ପ୍ରଦର୍ଶନ କରିବାକୁ ହେବ। ବର୍ତ୍ତମାନ ସମୟରେ ନୂଆଦିଲ୍ଲୀ ବନ୍ଧୁ ଖୋଜୁଛି, ଉପଦେଶ ଦେଉଥିବା ଦେଶ ନୁହେଁ।
ବୈଦେଶିକ ମନ୍ତ୍ରୀଙ୍କୁ ଯେତେବେଳେ ପଚରାଗଲା ଯେ ଭାରତ ୟୁରୋପଠାରୁ କ'ଣ ଆଶା କରେ, ଏହାର ଉତ୍ତରରେ କହିଥିଲେ, 'ଯେତେବେଳେ ଆମେ ବିଶ୍ୱକୁ ଦେଖୁ, ଆମେ ଅଂଶୀଦାର ଖୋଜୁ, ଆମେ ଉପଦେଶ ଚାହୁଁନୁ। ଯେଉଁମାନେ ଏଭଳି ଉପଦେଶ ଦିଅନ୍ତି ସେମାନେ ନିଜ ଦେଶରେ ଏହାକୁ ଅନୁସରଣ କରନ୍ତି ନାହିଁ। ମୁଁ ଭାବୁଛି ୟୁରୋପର କିଛି ଅଂଶ ଏବେ ବି ସେହି ସମସ୍ୟା ସହିତ ସଂଘର୍ଷ କରୁଛନ୍ତି।

ଜୟଶଙ୍କର ପୂର୍ବରୁ ମଧ୍ୟ ଏହି ପ୍ରସଙ୍ଗରେ ଭାରତର ସ୍ଥିତି ସ୍ପଷ୍ଟ କରିସାରିଛନ୍ତି। ଯେତେବେଳେ ଭାରତର ନିଷ୍ପତ୍ତି ପାଶ୍ଚାତ୍ୟ ଦେଶର ଚିନ୍ତାର କାରଣ ହୋଇଥିଲା। ଯେତେବେଳେ ୟୁକ୍ରେନ ବିରୁଦ୍ଧରେ ଯୁଦ୍ଧ ସମୟରେ ମସ୍କୋ ଉପରେ ପାଶ୍ଚାତ୍ୟ ଦେଶ କଟକଣା ଲଗାଇ ଦେଇଥିଲେ ସେ ସମୟରେ ଭାରତ ଋଷରୁ ତେଲ ଆମଦାନୀ କରିବାକୁ ବଡ଼ ନିଷ୍ପତ୍ତି ନେଇଥିଲା। ଏହାକୁ ନେଇ ଜୟଶଙ୍କର କହିଛନ୍ତି, ଭାରତ ଓ ଋଷ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ସାମଞ୍ଜସ୍ୟ ରହିଛି। ଏହି ମାମଲାରେ ଦୁହେଁ ପରସ୍ପରର ପରିପୂରକ। ସେ କହିଛନ୍ତି, ମୁଁ ଯେଉଁଭଳି ଋଷର ଯଥାର୍ଥବାଦର ସମର୍ଥକ, ସେଭଳି ଆମେରିକାର ଯଥାର୍ଥବାଦର ମଧ୍ୟ ସମର୍ଥକ।'












Click it and Unblock the Notifications