ବିଶ୍ୱରେ ସୁଲଭ ଚିକିତ୍ସା ପର୍ଯ୍ୟଟନ କେନ୍ଦ୍ର ଭାବେ ଭାରତ କ୍ରମଶଃ ଉଭା ହେଉଛି: ରାଷ୍ଟ୍ରପତି
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି, ବିଶ୍ୱରେ ସୁଲଭ ଚିକିତ୍ସା ପର୍ଯ୍ୟଟନ କେନ୍ଦ୍ର ଭାବେ ଭାରତ କ୍ରମଶଃ ଉଭା ହେଉଛି । ଏ ଦିଗରେ ଡାକ୍ତର ଏବଂ ସ୍ୱାସ୍ଥ୍ୟ ସେବା କର୍ମୀଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ରାଷ୍ଟ୍ରପତି କହିଛନ୍ତି । ଆନ୍ଧ୍ରପ୍ରଦେଶର ମଙ୍ଗଳାଗିରି ଏମସ୍ର ସମାବର୍ତ୍ତନ ଉତ୍ସବରେ ଉଦ୍ବୋଧନ ଦେଇ ରାଷ୍ଟ୍ରପତି ସେବା, ନିରନ୍ତର ଶିକ୍ଷା ଏବଂ ଗବେଷଣା ଉପରେ ଧ୍ୟାନ କେନ୍ଦ୍ରିଭୂତ କରିବାକୁ ଡାକ୍ତରଙ୍କୁ ପରାମର୍ଶ ଦେଇଛନ୍ତି ।

ସାମଗ୍ରୀକ ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ରାଷ୍ଟ୍ରପତି ଗୁରୁତ୍ୱ ଦେବା ସହ ମଙ୍ଗଳାଗିରି ଏମସ୍ର 'ସକଳ ସ୍ୱାସ୍ଥ୍ୟ ସର୍ବଦା' ନୀତିକୁ ଉଚ୍ଚ ପ୍ରଶଂସା କରିଛନ୍ତି । ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ଏସ୍. ଅବଦୁଲ୍ ନଜିର୍, ମୁଖ୍ୟମନ୍ତ୍ରୀ ଏନ୍. ଚନ୍ଦ୍ରବାବୁ ନାଇଡୁ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ରାଓ ଯାଦବଙ୍କ ସମେତ ଆନ୍ଧ୍ରପ୍ରଦେଶ ମନ୍ତ୍ରିମଣ୍ଡଳର ସଦସ୍ୟ ଯୋଗଦେଇଥିଲେ । ସୂଚନା ଯୋଗ୍ୟ ରାଷ୍ଟ୍ରପତି ମୁର୍ମୁ ଆଜିଠାରୁ ଆନ୍ଧ୍ରପ୍ରଦେଶ ଏବଂ ତେଲଙ୍ଗାନାକୁ ୫ ଦିନିଆ ଗସ୍ତରେ ଯାଇଛନ୍ତି ।












Click it and Unblock the Notifications