ବିଭିନ୍ନତାକୁ ଦୃଢ଼ କରି ଭାରତ ବିଶ୍ୱର ଦ୍ରୁତ ବିକାଶଶୀଳ ଅର୍ଥନୀତି ହୋଇପାରିଛି; ପ୍ରଧାନମନ୍ତ୍ରୀ ମୋଦୀ
ଭାରତରେ ଗଣତନ୍ତ୍ର କହିଲେ ଶେଷତମ ବ୍ୟକ୍ତିପାଖରେ ପହଞ୍ଚିବା ଏବଂ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଖରେ କୌଣସି ବାଛବିଚାର ନକରି ସେମାନଙ୍କ ମଙ୍ଗଳ କରିବା ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ଆଜି ନୂଆଦିଲ୍ଲୀରେ ସମ୍ବିଧାନ ସଦନରେ ରାଜ୍ୟଗୋଷ୍ଠୀ ଦେଶମାନଙ୍କ ବାଚସ୍ପତି ଏବଂ ପ୍ରିଜାଇଡିଂ ଅଫିସରମାନଙ୍କ ସମ୍ମିଳନୀକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତ ତା'ର ବିଭିନ୍ନତାକୁ ବ୍ୟବହାର କରି ଗଣତନ୍ତ୍ରକୁ ସୁଦୃଢ଼ କରିପାରିଛି । ସେ କହିଛନ୍ତି ଗଣତାନ୍ତ୍ରିକ ପ୍ରତିଷ୍ଠାନ ଏବଂ ପ୍ରକ୍ରିୟା ଗତି, ସ୍ଥାୟିତ୍ୱ ଏବଂ ଗଣତାନ୍ତ୍ରିକ ବିକାଶକୁ ତ୍ୱରାନ୍ୱିତ କରିଛି । ଗତ କିଛିବର୍ଷ ମଧ୍ୟରେ ଦେଶର ୨୫କୋଟି ଲୋକ ଦାରିଦ୍ର୍ୟରୁ ମୁକ୍ତି ପାଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି ।
ଶ୍ରୀ ମୋଦୀ କହିଛନ୍ତି ଦେଶ ଏହାର ବିଭିନ୍ନତାକୁ ଦୃଢ଼କରି ଆଜି ବିଶ୍ୱର ଦ୍ରୁତ ବିକାଶଶୀଳ ଅର୍ଥନୀତିରେ ପରିଣତ ହୋଇପାରିଛି । ସେ କହିଛନ୍ତି ଭାରତର ୟୁପିଆଇ ବିଶ୍ୱର ବୃହତ୍ ଡିଜିଟାଲ ଦେୟ ବ୍ୟବସ୍ଥାରେ ପରିଣତ ହୋଇଛି । ଏହାବ୍ୟତୀତ ବିଶ୍ୱରେ ଭାରତ ସବୁଠାରୁ ଅଧିକ ଟୀକା ଉତ୍ପାଦନ କରୁଥିବା ଦେଶ ହୋଇଥିବାବେଳେ ଷ୍ଟିଲ ଉତ୍ପାଦନରେ ମଧ୍ୟ ଦ୍ୱିତୀୟ ସ୍ଥାନରେ ରହିଛି । ସେ କହିଛନ୍ତି ଚତୁର୍ଥଥର ଲାଗି ରାଜ୍ୟଗୋଷ୍ଠୀ ବାଚସ୍ପତି ଓ ପ୍ରିଜାଇଡିଂ ଅଫିସରମାନଙ୍କ ସମ୍ମିଳନୀ ଭାରତରେ ଅନୁଷ୍ଠିତ ହେଉଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତ ପ୍ରତ୍ୟେକଟି ବିଶ୍ୱସ୍ତରୀୟ ମଞ୍ଚରେ ଗ୍ଲୋବାଲ ସାଉଥ୍ର ସମସ୍ୟା ଦୃଢ଼ଭାବେ ଉତ୍ଥାପନ କରୁଛି । ଭାରତ ଏହାର ଜି-୨୦ ଅଧ୍ୟକ୍ଷତା ସମୟରେ ଗ୍ଲୋବାଲ ସାଉଥ୍କୁ ଆଲୋଚନାର ମୁଖ୍ୟ ବିଷୟବସ୍ତୁ ଭାବେ ଚୟନ କରିଥିଲା । ଶ୍ରୀ ମୋଦୀ କହିଛନ୍ତି ରାଜ୍ୟଗୋଷ୍ଠୀ ଦେଶଗୁଡ଼ିକର ମୋଟ୍ ଜନସଂଖ୍ୟାର ୫୦ ପ୍ରତିଶତ ଭାରତରେ ବସବାସ କରୁଛନ୍ତି । ଭାରତ ପ୍ରତ୍ୟେକଟି ଦେଶର ବିକାଶ ଲାଗି ଯଥାସମ୍ଭବ ସହାୟତା ପ୍ରଦାନ କରିଆସୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ଏହି ଅବସରରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା କହିଛନ୍ତି କୃତ୍ରିମ ବୁଦ୍ଧିମତା ଏବଂ ସାମାଜିକ ଗଣମାଧ୍ୟମ ଗଣତାନ୍ତ୍ରିକ ପ୍ରତିଷ୍ଠାନ ଗୁଡ଼ିକର କାର୍ଯ୍ୟଦକ୍ଷତା ଏବଂ ସାମର୍ଥ୍ୟ ବୃଦ୍ଧି କରିବା ଦିଗରେ ସହାୟକ ହୋଇଛି । ସେ କହିଛନ୍ତି ଉଭୟ ଏଆଇ ଏବଂ ସାମାଜିକ ଗଣମାଧ୍ୟମ ଅମୂଳକ ସୂଚନା ପ୍ରଦାନ, ସାଇବର ଅପରାଧ ଏବଂ ସାମାଜିକ ବିଭାଜନ ଭଳି ଆହ୍ୱାନ ସୃଷ୍ଟି କରିଛି । ଶ୍ରୀ ବିର୍ଲା ଆଲୋଚନା ଜରିଆରେ ଗୁରୁତ୍ୱ ବହନ କରୁଥିବା ସମସ୍ୟା ଗୁଡ଼ିକର ଆଲୋଚନା ମାଧ୍ୟମରେ ସମାଧାନ ଲାଗି ଆହ୍ୱାନ ଦେଇଛନ୍ତି । ରାଜ୍ୟଗୋଷ୍ଠୀ ସଂସଦୀୟ ସଂଘର ଅଧ୍ୟକ୍ଷ ଡକ୍ଟର ଖ୍ରୀଷ୍ଟୋଫର କାଲିଲା କହିଛନ୍ତି ଭାରତୀୟ ଗଣତନ୍ତ୍ର ବିଶ୍ୱର ବୃହତ୍ତମ ଏବଂ ସମସ୍ତ ଗଣତନ୍ତ୍ରର ଜନନୀ ବୋଲି ପରିଚିତ । ଏହି ଅବସରରେ ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ କହିଛନ୍ତି ଏହି ସମ୍ମିଳନୀ ଗଣତାନ୍ତ୍ରିକ ପ୍ରତିଷ୍ଠାନଗୁଡ଼ିକୁ ପୂର୍ଣ୍ଣ ରୂପ ଦେବା କ୍ଷେତ୍ରରେ ସଫଳ ସାବ୍ୟସ୍ତ ହେବ ।












Click it and Unblock the Notifications