ହର୍ ଘର୍ ତ୍ରିରଙ୍ଗା' ଅଭିଯାନ: ୫୪ ଲକ୍ଷ ତ୍ରିରଙ୍ଗା ପ୍ରସ୍ତୁତ କଲେ ମିଶନ ଶକ୍ତି ମା'
ଆଜାଦୀ କା ଅମୃତ 'ମହୋତ୍ସବ' ଅଧୀନରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ 'ହର୍ ଘର୍ ତ୍ରିରଙ୍ଗା' ଅଭିଯାନ ଅନୁଷ୍ଠିତ ହେଉଛି । ପ୍ରତ୍ୟେକ ଭାରତୀୟ ପରିବାରଙ୍କୁ ୦୯ ରୁ ୧୫ ଅଗଷ୍ଟ ମଧ୍ୟରେ ନିଜ ଘରେ ତ୍ରିରଙ୍ଗା ଉତ୍ତୋଳନ କରିବାକୁ ଆହ୍ୱାନ ଦେଇଛନ୍ତି ମୋଦୀ । ଏହି ଉପଲକ୍ଷେ ମିଶନ ଶକ୍ତି ମା'ମାନେ ୫୪ ଲକ୍ଷ ତ୍ରିରଙ୍ଗା ପ୍ରସ୍ତୁତ କରିଛନ୍ତି । ଯାହାକି ଗତବର୍ଷ ତୁଳନାରେ ପ୍ରାୟ ୧୦ଲକ୍ଷ ଅଧିକ । ପ୍ରଭାତୀ ପରିଡ଼ା କହିଛନ୍ତି ଯେ, ହରଘର ତ୍ରିରଙ୍ଗା ପାଇଁ ତ୍ରିରଙ୍ଗା ପ୍ରସ୍ତୁତି କେବଳ ଏକ ଦାୟିତ୍ୱର ସୁପରିଚାଳନା ନୁହେଁ ବରଂ ଆତ୍ମନିର୍ଭର ଭାରତର ଆତ୍ମନିର୍ଭରଶୀଳ ମହିଳାମାନଙ୍କ ପରିଚୟ । ଦେଶ ପାଇଁ ଶ୍ରଦ୍ଧା ଓ ସମର୍ପଣ ସହିତ ପ୍ରସ୍ତୁତ ଏହି ତ୍ରିରଙ୍ଗାରେ ଓଡ଼ିଶାର ହଜାର ହଜାର ମହିଳାଙ୍କ ସ୍ୱପ୍ନ ଓ ଆକାଂକ୍ଷା ଅନ୍ତର୍ନିହିତ ହୋଇଛି ।
ସ୍ୱାଧୀନତା ଦିବସର ଶୁଭ ଅବସର ନିମନ୍ତେ ମିଶନ ଶକ୍ତି ସଦସ୍ୟାମାନେ ଏଥର ମଧ୍ୟ ନିଜ କୌଶଳ, ଦକ୍ଷତା ଓ ଦେଶ ପ୍ରତି ଥିବା ଦୃଢ଼ ସମର୍ପଣଭାବ ପ୍ରଦର୍ଶନ କରିଛନ୍ତି । ଚଳିତ ବର୍ଷ ଏହି ସଦସ୍ୟାମାନେ ୫୪ ଲକ୍ଷ ତିରଙ୍ଗା ପ୍ରସ୍ତୁତି କରୁଛନ୍ତି । ଅଗଷ୍ଟ ମାସ ସୁଦ୍ଧା ସମସ୍ତ ତ୍ରିରଙ୍ଗା ବଣ୍ଟନ ନିମନ୍ତେ ହସ୍ତାନ୍ତର କରାଯିବ ବୋଲି ସୂଚନା ଦେଇଛନ୍ତି ମିଶନ ଶକ୍ତି ବିଭାଗର କମିସିନର ତଥା ଶାସନ ସଚିବ ଶ୍ରୀମତୀ ଶାଲିନୀ ପଣ୍ଡିତ ।

ସୂଚନାଯୋଗ୍ୟ କି, ୨୦୨୨ ମସିହାରେ ପ୍ରଥମ ଥର ପାଇଁ ଓଡ଼ିଶାରେ ମିଶନ ଶକ୍ତି ସଦସ୍ୟାମାନଙ୍କର ଉଦ୍ୟୋଗିତା ଏବଂ ଟେଲରିଂ ପାଇଁ ପ୍ରତିଷ୍ଠିତ ବ୍ୟାପକ ଭିତ୍ତିଭୁମିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ମିଶନ ଶକ୍ତି ଗୋଷ୍ଠୀ ଏବଂ ଉତ୍ପାଦକ ଗୋଷ୍ଠୀ ସଦସ୍ୟାଙ୍କୁ ୩୦ ଲକ୍ଷ ତ୍ରିରଙ୍ଗା ପ୍ରସ୍ତୁତ କରିବାର ଦାୟିତ୍ୱ ପ୍ରଦାନ କରିଥିଲେ । ମା' ମାନେ ମଧ୍ୟ ସେମାନଙ୍କର ଉତ୍ସର୍ଗୀକୃତ ଭାବନା ଏବଂ ଦକ୍ଷତା ବଳରେ ସମୟାନୁବର୍ତ୍ତୀ ଭାବେ ନିଜ ଲକ୍ଷ୍ୟ ପୂରଣ କରିଥିଲେ । ସେହି ଅଭିଜ୍ଞତାକୁ ବ୍ୟବହାର କରି ମିଶନ ଶକ୍ତି ସଦସ୍ୟାମାନେ ଏହି ସଫଳତାକୁ ୨୦୨୩ରେ ଦୋହରାଇଥିଲେ ଏବଂ ୪୪.୨ଲକ୍ଷ ତିରଙ୍ଗା ପ୍ରସ୍ତୁତି କରିଥିଲେ |
ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ 'ହରଘର ତ୍ରିରଙ୍ଗା' ପଦଯାତ୍ରା ଆଜି ସକାଳ ୯ଟା ସମୟରେ ଲିଙ୍ଗରାଜ ମନ୍ଦିର ନିକଟସ୍ଥ ଭଜନମଣ୍ଡପଠାରୁ ମୁକ୍ତେଶ୍ୱର ମନ୍ଦିର ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ହରଘର ତ୍ରିରଙ୍ଗା ଅଭିଯାନରେ ପ୍ରତ୍ୟେକ ଭାରତୀୟ ପରିବାରକୁ ଅଗଷ୍ଟ ୯ରୁ ୧୫ତାରିଖ ମଧ୍ୟରେ ନିଜ ଘରେ ତ୍ରିରଙ୍ଗା ଉତ୍ତୋଳନ ପାଇଁ ପ୍ରଧାନମନ୍ତ୍ରୀ ମୋଦି ଆହ୍ୱାନ ଦେଇଛନ୍ତି ।












Click it and Unblock the Notifications