ପରିଣତ ବୟସରେ ଥକିନି ମନ, 450 ପତାକା ତିଆରି କରି ରେକର୍ଡ କଲେ ବୃଦ୍ଧ
ଏହା ପୂର୍ବରୁ ହର ଘର ତିରଙ୍ଗା ନେଇ ଦେଶରେ ଜାତୀୟ ପତାକା ତିଆରି ହୋଇଛି । ଏହି ଅବସରରେ ଜଣେ 91 ବର୍ଷିୟ ବୃଦ୍ଧ ମାତ୍ର 7 ଦିନରେ 450ଟି ଜାତୀୟ ପତାକା ତିଆରି କରି ରେକର୍ଡ କରିଛନ୍ତି ।
ପାଟନା: କିଛି ଦିନ ତଳେ ସ୍ବାଧୀନତା ଦିବସ ପାଳନ କରିଛି ସାରା ଦେଶ । ଏହା ପୂର୍ବରୁ ହର ଘର ତିରଙ୍ଗା ନେଇ ଦେଶରେ ଜାତୀୟ ପତାକା ତିଆରି ହୋଇଛି । ଏହି ଅବସରରେ ଜଣେ 91 ବର୍ଷିୟ ବୃଦ୍ଧ ମାତ୍ର 7 ଦିନରେ 450ଟି ଜାତୀୟ ପତାକା ତିଆରି କରି ରେକର୍ଡ କରିଛନ୍ତି । 'ଏଜ୍ ଇଜ ଜଷ୍ଟ ଏ ନମ୍ବର' ଏହାକୁ ସତ୍ୟ ପ୍ରମାଣିତ କରିଛନ୍ତି ଏହି ବୃଦ୍ଧ ।

ଏହି ସବୁ ପତାକା ତିଆରି କରିବା ପାଇଁ ସେ ଦିନକୁ 12 ଘଣ୍ଟା ପରିଶ୍ରମ କରୁଥିଲେ । ନିଜେ ସିଲେଇ ମେଶିନ ସହାୟତାରେ ଏହି ପତାକା ସବୁ କରିଛନ୍ତି । ଏହି ବୃଦ୍ଧ ଜଣକ ହେଲେ ଲାଲ ମୋହନ ପାସୱାନ । ନେପାଳ ସୀମାରେ ଥିବା ସୁପଲ ଅଞ୍ଚଳରେ ରୁହନ୍ତି ଲାଲମୋହନ। ତେବେ ଏହି ରେକର୍ଡ କରିବା ପରେ ସେ ଲୋକପ୍ରିୟ ହୋଇପାରିଛନ୍ତି । ଆଜାଦୀ କା ଅମୃତ ମହୋତ୍ସବର ଅଂଶବିଶେଷ ହେଲପ ଏଜ ଇଣ୍ଡିଆ ନାମକ ଏକ ଅଣଲାଭକାରୀ ସଂଗଠନ ଦ୍ୱାରା ଏହି ପତାକା ପ୍ରସ୍ତୁତିର ଅର୍ଡର ତାଙ୍କୁ ମିଳିଥିଲା ।
ପତାକା ତିଆରି ପରେ ତାକୁ ସ୍ଥାନୀୟ ସ୍କୁଲ ଓ କାର୍ଯ୍ୟାଳୟମାନଙ୍କୁ ଯୋଗାଇବା ଲାଗି ପାସୱାନଙ୍କୁ ଏହି ଅର୍ଡର ମିଳିଥିଲା । ପରିଣତ ବୟସରେ ବି ଏତକ କରିବା ପାଇଁ ସେ ଆଗ୍ରହର ସହିତ ଏହି ଅର୍ଡର ପୁରା କରିଥିଲେ । ଏତେ ବୟସରେ ବି ତାଙ୍କର ଏହି ଉତ୍ସାହ ସମସ୍ତଙ୍କୁ ଖୁବ ପ୍ରେରଣା ଦେଇଥିବା କହିଛନ୍ତି ହେଲପେଜ ଇଣ୍ଡିଆର ଜିଲ୍ଲା ପ୍ରୋଗ୍ରାମ କୋର୍ଡିନେଟର ଜ୍ୟୋତିଶ ଝା ।
ଲାଲମୋହନଙ୍କ କହିବା ଅନୁସାରେ, ତାଙ୍କର ରୋଲ୍ ମଡେଲ ହେଉଛନ୍ତି ଜୱାହରଲାଲ ନେହେରୁ ଓ ରାଜେନ୍ଦ୍ର ପ୍ରସାଦ । ତାଙ୍କରି ପ୍ରେରଣା ଆଜି ବି ଶକ୍ତ ରହିବା ଶିଖାଏ । କେବଳ ନେହେରୁ ନୁହନ୍ତି ମହାତ୍ମା ଗାନ୍ଧୀଙ୍କ ଅହିଂସା ବାର୍ତ୍ତାରେ ମଧ୍ୟ ବିଶ୍ବାସ କରନ୍ତି ସେ ।












Click it and Unblock the Notifications