‘ଅନୁମତି ଥାଉ କି ନଥାଉ, ପାହାଡ଼ ଖନନ ବନ୍ଦ କର’
ଉତ୍ତର ଭାରତରେ ପରିବେଶ ସୁରକ୍ଷା ପାଇଁ ଗୁରୁବାର ଏକ ବଡ଼ ପଦକ୍ଷେପ ନେଇ ସୁପ୍ରିମ୍କୋର୍ଟ ଆରାବଳୀ ପର୍ବତମାଳାରେ ଚାଲିଥିବା ସମସ୍ତ ପ୍ରକାର ଖନନ କାର୍ଯ୍ୟ ଉପରେ ଅଙ୍କୁଶ ଲଗାଇଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି ଯେ କେନ୍ଦ୍ର ସରକାର ଓ ପରିବେଶ ବିଶେଷଜ୍ଞମାନେ ଆରାବଳୀର ଠିକ୍ ଭୌଗୋଳିକ ସୀମା ନିର୍ଦ୍ଧାରଣ ନ କରିବା ପର୍ଯ୍ୟନ୍ତ ଏହି ଅଞ୍ଚଳରେ ଯଥାସ୍ଥିତି ବଜାୟ ରହିବ।
ଶୁଣାଣି ସମୟରେ କିଛି ଖଣି ମାଲିକ ପୂର୍ବରୁ ମିଳିଥିବା ଅନୁମତିପତ୍ର ବଳରେ ଖନନ ଜାରି ରଖିବାକୁ ଯୁକ୍ତି କରିଥିଲେ, ଯାହାର କଡ଼ା ଜବାବ ଦେଇ ପ୍ରଧାନ ବିଚାରପତି କହିଥିଲେ, ଏସବୁ ଅନୁମତିର କୌଣସି ମୂଲ୍ୟ ନାହିଁ। ଆମେ କହୁଛୁ ଆରାବଳୀରେ ଖନନ ବନ୍ଦ କର, ତେଣୁ ତୁରନ୍ତ ଏହାକୁ ବନ୍ଦ କରିବାକୁ ହେବ।
ଆରାବଳୀର ସଂଜ୍ଞା ଓ ଏହାର ପରିସୀମାକୁ ନେଇ ରହିଥିବା ଅସ୍ପଷ୍ଟତା ଦୂର କରିବା ପାଇଁ କୋର୍ଟ ଏକ ଉଚ୍ଚସ୍ତରୀୟ ବିଶେଷଜ୍ଞ କମିଟି ମଧ୍ୟ ଗଠନ କରିଛନ୍ତି। ଏହି କମିଟି ଆରାବଳୀ ପାହାଡ଼ର ସୀମା ନିର୍ଦ୍ଧାରଣ କରିବା ସହ ଏହାର ଜୈବ ବିବିଧତା ଉପରେ ରିପୋର୍ଟ ପ୍ରଦାନ କରିବ। ପରିବେଶବିତ୍ଙ୍କ ମତରେ, ଆରାବଳୀ କେବଳ ଏକ ପାହାଡ଼ ନୁହେଁ, ବରଂ ଥର୍ ଭଳି ମରୁଭୂମିକୁ ଅଟକାଉଥିବା ଏକ ପ୍ରାକୃତିକ ପ୍ରାଚୀର।

ପ୍ରାକୃତିକ ବିପର୍ଯ୍ୟୟ ପ୍ରତିରୋଧ ସାଙ୍ଗକୁ ଭୂତଳ ଜଳସ୍ତର ବୃଦ୍ଧିରେ ମଧ୍ୟ ଏହାର ପ୍ରମୁଖ ଭୂମିକା ରହିଛି। ସୁପ୍ରିମକୋର୍ଟ ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟକୁ ବିଶେଷଜ୍ଞଙ୍କ ନାମ ପ୍ରସ୍ତାବ ଦେବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଆରାବଳୀ ଅଞ୍ଚଳରେ କୌଣସି ଖନନ ହୋଇପାରିବ ନାହିଁ ବୋଲି ସର୍ବୋଚ୍ଚ ଅଦାଲତ ସ୍ପଷ୍ଟ କରିଛନ୍ତି।












Click it and Unblock the Notifications