ରାଷ୍ଟ୍ରପତିଙ୍କ ପାଇଁ ପ୍ରଥମ ଥର ସମୟ ସୀମା ଧାର୍ଯ୍ୟ କଲେ ସୁପ୍ରିମକୋର୍ଟ,ତିନି ମାସ ମଧ୍ୟରେ ....
ପ୍ରଥମ ଥର ପାଇଁ ସୁପ୍ରିମକୋର୍ଟ ରାଷ୍ଟ୍ରପତିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ରାଜ୍ୟପାଳମାନଙ୍କ ଦ୍ୱାରା ପଠାଯାଇଥିବା ବିଲ୍ ଉପରେ ତିନି ମାସ ମଧ୍ୟରେ ନିଷ୍ପତ୍ତି ନିଆଯିବା ଉଚିତ। ମଙ୍ଗଳବାର ଦିନ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଅନୁଯାୟୀ ତାମିଲନାଡୁ ରାଜ୍ୟପାଳଙ୍କ ବିଚାରାଧୀନ ବିଲ୍ଗୁଡ଼ିକୁ ଅନୁମୋଦନ ନ ଦେବାର ନିଷ୍ପତ୍ତିକୁ ରଦ୍ଦ କରାଯାଇଛି। ଏହି ନିର୍ଦ୍ଦେଶ ଶୁକ୍ରବାର ସାର୍ବଜନୀନ କରାଯାଇଥିଲା।
ତାମିଲନାଡ଼ୁ ରାଜ୍ୟ ବନାମ ତାମିଲନାଡ଼ୁ ରାଜ୍ୟପାଳ ମାମଲାରେ ସୁପ୍ରିମକୋର୍ଟ ଶୁକ୍ରବାର ବିଳମ୍ୱିତ ରାତିରେ ୪୧୫ ପୃଷ୍ଠାର ଏକ ରାୟ ରିଲିଜ୍ କରିଛନ୍ତି । ସୁପ୍ରିମକୋର୍ଟଙ୍କ ଅଫିସିଆଲ୍ ସାଇଟରେ ଏହି ରାୟକୁ ଅପଲୋଡ୍ କରାଯାଇଛି । ନ୍ୟାୟମୂର୍ତ୍ତି ଜେପି ପରୀଦୱାଲା ଓ ଜଷ୍ଟିସ୍ ମହାଦେବନଙ୍କ ଖଣ୍ଡପୀଠ କହିଛନ୍ତି, 'ରାଜ୍ୟପାଳଙ୍କ ଦ୍ୱାରା ବିଚାର ପାଇଁ ସଂରକ୍ଷିତ ରଖାଯାଇଥିବା ବିଲ୍ ଉପରେ ରାଷ୍ଟ୍ରପତି ତିନି ମାସ ଭିତରେ ନିଷ୍ପତ୍ତି ନେବା ଆବଶ୍ୟକ ।'
ରାୟରେ କୁହାଯାଇଛି ଯେ ଯଦି ଏହି ଅବିଧକୁ ଅତିକ୍ରମ କରାଯାଏ ତେବେ ସମ୍ୱନ୍ଧୀତ ରାଜ୍ୟ ସରକାରଙ୍କୁ ବିଳମ୍ୱ ପଛର କାରଣ ଜଣାଇବାକୁ ହେବ । ତେବେ ଏଥିରେ ରାଜ୍ୟ ସରକାରଙ୍କ ମଧ୍ୟ ସହଯୋଗ କରିବେ । ଆଦେଶରେ କୁହାଯାଇଛି ଯେ ସମ୍ୱିଧାନର ଅନୁଚ୍ଛେଦ ୨୦୧ ଅନୁସାରେ କୌଣସି ବିଧେୟକକୁ ରାଜ୍ୟପାଳଙ୍କ ଦ୍ୱାରା ରାଷ୍ଟ୍ରପତିଙ୍କ ନିକଟକୁ ପଠାଗଲେ, ତାହା ଉପରେ ସହମତି କମ୍ୱା ଅସହମତି ଦେବାକୁ ପଡ଼ିଥାଏ ।
ତେବେ ସମ୍ୱିଧାନରେ ଏହି ପ୍ରକ୍ରିୟା ପାଇଁ କୌଣସି ସମୟ ସୀମା ଧାର୍ଯ୍ୟ କରାଯାଇ ନାହିଁ । ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ ରାଜ୍ୟପାଳଙ୍କ ପରି ରାଷ୍ଟ୍ରପତି ମଧ୍ୟ 'ଆବସୋଲ୍ୟୁଟ୍ ଭିଟୋ'କୁ ବ୍ୟବହାର କରିପାରିବେ ନାହିଁ । ଅର୍ଥାତ୍ ସେ ଅନିଶ୍ଚିତକାଳ ପର୍ଯ୍ୟନ୍ତ ବିଲକୁ ବିଚାରାଧିନ ରଖିପାରିବେ ନାହିଁ ।

ସୁପ୍ରିମକୋର୍ଟ କହିଛନ୍ତି ଯେ ଯଦି ନିର୍ଦ୍ଧାରିତ ସମୟସୀମା ଭିତରେ ରାଷ୍ଟ୍ରପତି କୌଣସି ନିର୍ଣ୍ଣୟ ନନିଅନ୍ତି ତେବେ ସମ୍ୱନ୍ଧୀତ ରାଜ୍ୟ କୋର୍ଟଙ୍କ ଦ୍ୱାରସ୍ଥ ହୋଇପାରିବେ । ଯଦି କୌଣସି ବିଧେୟକକୁ ତାର ସାମ୍ୱିଧାନିକ ବୈଧତା କାରଣରୁ ରୋକା ଯାଏ ତେବେ ସେହି କ୍ଷେତ୍ରରେ କାର୍ଯ୍ୟପାଳିକା ଅଦାଲତ ଭୂମିକା ନଗ୍ରହଣ କରିବା ଦରକାର ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ।












Click it and Unblock the Notifications