ମମତାଙ୍କ ବଡ଼ ବୟାନ, କହିଲେ ବାଂଲାଦେଶୀଙ୍କୁ ପଶ୍ଚିମବଙ୍ଗରେ ଦେବୁ ଆଶ୍ରୟ
କୋଲକାତା : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୋଲକାତାରେ ସହିଦ ଦିବସ ରାଲିକୁ ସମ୍ବୋଧିତ କରିଛନ୍ତି । ଏହି ଅଭିଭାଷଣରେ ମମତା ବାନାର୍ଜୀ ବାଂଲାଦେଶରେ ଚାଲିଥିବା ହିଂସା ସମ୍ପର୍କରେ ଉଲ୍ଲେଖ କରିଥିଲେ । ଆମକୁ ବାଂଲାଦେଶର ସାମ୍ପ୍ରତିକ ପରିସ୍ଥିତିକୁ ନେଇ ଚିନ୍ତିତ ହେବାର ଆବଶ୍ୟକତା ନାହିଁ । କାରଣ ଏହା ଆଉ ଗୋଟିଏ ଦେଶ ।
ଏ ସମ୍ପର୍କରେ ଭାରତ ସରକାର କହିବେ । କିନ୍ତୁ ଅସହାୟ ଲୋକମାନେ ଯଦି ବେଙ୍ଗଲର କବାଟ ବାଡ଼େଇବେ, ତା'ହେଲେ ଆମେ ନିଶ୍ଚିତ ସେମାନଙ୍କୁ ଆଶ୍ରୟ ଦେବୁ । ମିଳିତ ଜାତିସଂଘ ସଂକଳ୍ପରେ ମଧ୍ୟ ଏହା ରହିଛି । ପଡ଼ୋଶୀମାନେ ଶରଣାର୍ଥୀଙ୍କୁ ସମ୍ମାନ ଦେବାର ନିୟମ ରହିଛି ।"

ଟିଏମସିର ସହିଦ ଦିବସ କାର୍ଯ୍ୟକ୍ରମକୁ କୋଲକତାରେ ସମ୍ବୋଧନ କରିବା ବେଳେ ମମତା ଏକଥା କହିଛନ୍ତି । ମମତାଙ୍କ ଭାଷଣ ସମୟରେ ପ୍ରବଳ ବର୍ଷା ହେଉଥିଲେ ହେଁ ସେ ନିଜର କଥା ବନ୍ଦ କରି ନଥିଲେ । ସେ ଆହୁରି କହିଛନ୍ତି, "ବେଙ୍ଗଲରେ ରହୁଥିବା ଯେଉଁ ଲୋକମାନଙ୍କ ସମ୍ପର୍କୀୟମାନେ ହିଂସା କ୍ଷତିଗ୍ରସ୍ତ ବାଂଲାଦେଶରେ ଫସିଛନ୍ତି, ସେମାନଙ୍କୁ ସମସ୍ତ ପ୍ରକାରର ସହାୟତା କରିବା ମୁଁ ପ୍ରତିଶ୍ରୁତିବଦ୍ଧ ।"
ସୁଚନାନୁସାରେ ସରକାରୀ ଚାକିରିରେ ପ୍ରସ୍ତାବିତ ସଂରକ୍ଷଣ ବ୍ୟବସ୍ଥା ପ୍ରତିବାଦରେ ବାଂଲାଦେଶରେ ଚାଲିଥିବା ବିକ୍ଷୋଭ କ୍ରମଶଃ ଉଗ୍ରରୂପ ଧାରଣ କରିବାରେ ଲାଗିଛି । ଏ ପର୍ଯ୍ୟନ୍ତ ଏହି ହିଂସାରେ ୧୧୫ ଜଣ ପ୍ରାଣ ହରାଇସାରିଥିବାବେଳେ ସହସ୍ରାଧିକ ଆହତ ହୋଇଛନ୍ତି । ବିକ୍ଷୋଭକାରୀଙ୍କୁ ଦମନ କରିବାକୁ ସେନାକୁ ମୁତୟନ କରାଯାଇଛି । ଶନିବାର ସେନା ଯବାନମାନେ ରାଜଧାନୀ ଢାକାର ବିଭିନ୍ନ ସ୍ଥାନରେ ପାଟ୍ରୋଲିଂ କରୁଥିବା ଲକ୍ଷ୍ୟ କରାଯାଇଛି ।
ବିକ୍ଷୋଭକାରୀମାନେ ଯେପରି ସରକାରୀ କାର୍ଯ୍ୟାଳୟ କିମ୍ବା ଅନ୍ୟ ଗୁରୁତ୍ୱପୂର୍ଣ୍ଣ ସରକାରୀ ପ୍ରତିଷ୍ଠାନ ଆଡକୁ ଅଗ୍ରସର ହୋଇନପାରିବେ, ସେଥିପାଇଁ ଯବାନମାନେ ଏକାଧିକ ପ୍ରମୁଖ ରାସ୍ତାକୁ ଅବରୋଧ କରିଛନ୍ତି । ଢାକାରେ ୧୪୪ ଧାରା ଲାଗୁ କରାଯାଇଥିବା ସତ୍ତ୍ୱେ ବିକ୍ଷୋଭକାରୀମାନେ ପୁଲିସ ଉପରେ ଆକ୍ରମଣ ଜାରି ରଖିଛନ୍ତି ।












Click it and Unblock the Notifications