କୋଚର ଦମ୍ପତିଙ୍କ ଗିରଫଦାରୀ ବେଆଇନ: ବମ୍ୱେ ହାଇକୋର୍ଟ
କୋଚର ଦମ୍ପତିଙ୍କ ଗିରଫଦାରୀ ବେଆଇନ: ବମ୍ୱେ ହାଇକୋର୍ଟ
ମୁମ୍ବାଇ: ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ସିଇଓ ଚନ୍ଦା କୋଚର ଏବଂ ତାଙ୍କ ବ୍ୟବସାୟୀ ସ୍ୱାମୀ ଦୀପକ କୋଚରଙ୍କୁ ବମ୍ବେ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି । ଉଭୟଙ୍କ ଗିରଫଦାରୀକୁ ବେଆଇନ କହିଛନ୍ତି ବମ୍ବେ ହାଇକୋର୍ଟ । ଗିରଫଦାରୀକୁ ଚ୍ୟାଲେଞ୍ଜ କରି ଆବେଦନ ଶୁଣାଣି ବେଳେ କୋର୍ଟ ଜାମିନ ଆଦେଶ ଦେଇଛନ୍ତି ।
ସୂଚନା ଅନୁସାରେ, ଦୁର୍ନୀତି ନିବାରଣ ଆକ୍ଟ ଅନୁସାରେ ଉଭୟଙ୍କ ଗିରଫଦାରିକୁ ବେଆଇନ ବୋଲି କୋଚର ଦମ୍ପତି ହାଇକୋର୍ଟରେ ଯୁକ୍ତି ବାଢିଛନ୍ତି । ଧାରା ୧୭୪ ଅନୁଯାୟୀ ତଦନ୍ତ କରିବା ପୂର୍ବରୁ ଆଇନଗତ ମଞ୍ଜୁରୀର ଆବଶ୍ୟକତା ରହିଥାଏ । ହେଲେ CBIକୁ ତଦନ୍ତ ପାଇଁ କୌଣସି ମଞ୍ଜୁରୀ ମିଳି ନାହିଁ । ତେଣୁ ଉଭୟଙ୍କ ଗିରଫକୁ ବେଆଇନ ବୋଲି ଦର୍ଶାଯାଇଛି ।

ବିଚାରପତୀ ରେବତୀ ମୋହିତେ ଡେରେ ଓ ପି.କେ ଚୱନଙ୍କୁ ନେଇ ଗଠିତ 'ଡିଭିଜନ୍ ବେଞ୍ଚ୍' କହିଛନ୍ତି ଯେ, କୋଚର ଦମ୍ପତିଙ୍କ ଗିରଫଦାରି 'କୋଡ୍ ଅଫ୍ କ୍ରିମିନାଲ୍ ପ୍ରୋସିଜ୍ୟୋର୍'ର ଧାରା ୪୧ଏ'ର ଉଲ୍ଲଂଘନ । ଅର୍ଥାତ୍ ସିଆରପିସିର ଧାରା ୪୧(A) ଅନୁଯାୟୀ ସେମାନଙ୍କୁ ଗିରଫ କରାଯାଇ ନାହିଁ । ଆବେଦେନକାରୀଙ୍କ ପିଟିସନ୍ ଉପରେ ଶୁକ୍ରବାର ଦିନ ଶୁଣାଣି କରି ଖଣ୍ତପିଠ ରାୟ ସଂରକ୍ଷିତ ରଖାଯାଇଥିଲା । ଅନ୍ୟପକ୍ଷରେ ଚଳିତ ମାସରେ ପୁଅ ବାହାଘର ଥିବାରୁ ସେମାନଙ୍କ ଜାମିନ ମଞ୍ଜୁର କରାଯାଉ ବୋଲି ମଧ୍ୟ ଆବେଦନରେ ଉଲ୍ଲେଖ କରାଯାଇଥିଲା । କୋର୍ଟଙ୍କ ଆଦେଶ ଅନୁସାରେ, ପ୍ରତ୍ୟକଙ୍କୁ ୧ ଲକ୍ଷ ଟଙ୍କା ମୁଚାଲିକା ବିନିମୟରେ ସାମୟିକ ଭାବେ ଜାମିନ ମିଳିବ ।
ବାସ୍ତବରେ, ଡିସେମ୍ବର ୨୩ରେ, ସିବିଆଇ ଉଭୟ କୋଚର ଦମ୍ପତିଙ୍କୁ ଗିରଫ କରିଥିଲା । ଅଭିଯୋଗ ଅନୁଯାୟୀ, ଯେତେବେଳେ ଚନ୍ଦା କୋଚର ଆଇସିଆଇସିଆଇ ବ୍ୟାଙ୍କର ଦାୟିତ୍ୱରେ ଥିଲେ, ସେ ଭିଡିଓକନ୍ ଗ୍ରୁପକୁ ଋଣ ଦେଇଥିଲେ । ଏହାର ବଦଳରେ ଭିଡିଓକନ୍ ଚନ୍ଦା କୋଚରଙ୍କ ସ୍ୱାମୀ ଦୀପକଙ୍କ କମ୍ପାନୀ ନ୍ୟୁ ରିନ୍ୟୁଆବଲ୍ସରେ ବିନିଯୋଗ କରିଥିଲେ । ଯେତେବେଳେ ଭିଡିଓକନ୍ ଋଣକୁ ଠିକ୍ ସମୟରେ ପରିଶୋଧ କରିପାରିଲା ନାହିଁ, ଏହା NPA ହୋଇଗଲା । କୋଚର ଦମ୍ପତି ଏବଂ ଧୁତ୍ ଏକାଠି ପ୍ରାୟ 3250 କୋଟି ଟଙ୍କା ଠକେଇ କରିଥିବା ନେଇ ଅଭିଯୋଗ ହୋଇଥିଲା । ଭିଡିଓକନ୍ ଗ୍ରୁପକୁ୨୦୨୧ ମସିହା ଋଣ ଠକେଇ ମାମଲାରେ ପଚରାଉଚରା ପାଇଁ ଡକାଯାଇଥିଲା । ସିବିଆଇ କହିଛି ଯେ, ଉଭୟ ପ୍ରଶ୍ନର ସଠିକ୍ ଉତ୍ତର ଦେଉ ନାହାଁନ୍ତି ତଦନ୍ତରେ ସହଯୋଗ କରୁନାହାଁନ୍ତି । ଏହା ପରେ ଉଭୟଙ୍କୁ ଗିରଫ କରାଯାଇଥିଲା।












Click it and Unblock the Notifications