ଚୋରି କିମ୍ୱା ହଜି ଯାଇଥିବା ଫୋନକୁ କେମିତି ପାଇବେ ? ଏଥିପାଇଁ ସଞ୍ଚାର ସାଥୀ ପୋର୍ଟାଲ ଲଞ୍ଚ କରିବେ ସରକାର
ନୂଆଦିଲ୍ଲୀ: ଖୁବଶୀଘ୍ର ଭାରତରେ ମୋବାଇଲ୍ ବ୍ଲକିଂ ଓ ଟ୍ରାକିଂ ସେବା ଆରମ୍ଭ ହେବାକୁ ଯାଉଛି । ବିଶ୍ୱ ଟେଲିକମ୍ ଦିବସ ଅବସରରେ ମେ ୧୭ ତାରିଖରେ କେନ୍ଦ୍ର ସରକାର 'ମୋବାଇଲ୍ ବ୍ଲକିଙ୍ଗ୍ ଆଣ୍ଡ ଟ୍ରାକିଙ୍ଗ୍ ସିଷ୍ଟମ' ଆରମ୍ଭ କରିବେ । କେନ୍ଦ୍ରୀୟ ଦୂର ସଞ୍ଚାର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସଞ୍ଚାର ସାଥୀ ପୋର୍ଟାଲ୍ (ସଇଆଇଆର୍) ଲଞ୍ଚ୍ କରି ସେବା ଆରମ୍ଭ କରିବେ ।
ଏହା ଦ୍ୱାରା ମିଳିଯାଇ ପାରିବ ଚୋରି ହୋଇଥିବା କିମ୍ବା ହଜି ଯାଇଥିବା ମୋବାଇଲ ଫୋନ୍ । ଫୋନକୁ ଠାବ କରିହେବ, ବ୍ଲକ ମଧ୍ୟ କରିହେବ । ଯାହା ଦ୍ୱାରା ଚୋରି କରିଥିବା କିମ୍ବା ପାଇଥିବା ଲୋକ ମୋବାଇଲ୍ ଫୋନ୍ ବ୍ୟବହାର କରିପାରିବ ନାହିଁ । ପୂର୍ବରୁ ଏହି ସେବା ମହାରାଷ୍ଟ୍ର, କର୍ଣ୍ଣାଟକ, ଦିଲ୍ଲୀ ଆଦି ସ୍ଥାନ ଗୁଡ଼ିକରେ ପରୀକ୍ଷମୂଳକ ଭାବେ ଚାଲିଥିଲା । ଏବେ ଏହି ବ୍ୟବସ୍ଥା ସଫଳ ହେବା ପରେ ସାରା ଭାରତରେ ଏହା ଆରମ୍ଭ ହେବାକୁ ଯାଉଛି ।

ସରକାରୀ ସଂସ୍ଥା ସି-ଡଟ୍ ଏହି ବ୍ୟବସ୍ଥା ବିକାଶ କରିଛି। ଦିଲ୍ଲୀ, ମହାରାଷ୍ଟ୍ର, କର୍ଣ୍ଣାଟକ ଓ ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ତାହାର ପରୀକ୍ଷଣ ଚାଲିଥିଲା । ସର୍ବଭାରତୀୟ ସ୍ତରରେ ଲାଗୁ ହେବା ପାଇଁ ଏହି ସୁବିଧା ପ୍ରସ୍ତୁତ ହୋଇଯାଇଛି । ସି-ଡଟ୍ର ସିଇଓ ରାଜକୁମାର ଉପାଧ୍ୟାୟ କହିଛନ୍ତି ଯେ ଦେଶର ଟେଲିକମ୍ ନେଟ୍ୱର୍କରେ ଥିବା କ୍ଲୋନ୍ଡ (ନକଲି) ମୋବାଇଲ୍ ଫୋନ୍ଗୁଡ଼ିକୁ ଠାବ କରିବା ଲାଗି ମଧ୍ୟ ଏଥିରେ ସୁବିଧା ରହିବ।
ତେବେ ଦେଶରେ ବିକ୍ରି ହେଉଥିବା ସମସ୍ତ ମୋବାଇଲ୍ ଫୋନର ଆଇଏମ୍ଇଆଇ ନମ୍ବର ଘୋଷଣା ବାଧ୍ୟତାମୂଳକ କରାଯାଇଛି । ସେହି ନମ୍ବର ଗୁଡ଼ିକର ତାଲିକା ବିଭାଗ ପାଖରେ ପହଞ୍ଚୁଛି । ଆଇଏମଇଆଇ ହେଉଛି ଏକ ୧୫ ଅଙ୍କର ସଂଖ୍ୟା ଯାହା ଜରିଆରେ ଫୋନ୍କୁ ଚିହ୍ନଟ କରାଯାଇଥାଏ। ଅନୁମୋଦିତ ଫୋନର ତାଲିକାକୁ ଏହି ବ୍ୟବସ୍ଥାରେ ଯୋଡ଼ିବା ପରେ କେତେ ନକଲି ବା କ୍ଲୋନ୍ଡ ଫୋନ୍ ରହିଛି ତାହା ସହଜରେ ଚିହ୍ନଟ ହୋଇ ପାରିବ ।












Click it and Unblock the Notifications