ଜାନୁଆରୀ ୨୬ ଦିଲ୍ଲୀ ପରେଡ ପାଇଁ ଖର୍ଚ୍ଚ ହୁଏ କେତେ ଟଙ୍କା, ଜାଣିଲେ ହେବେ ଆଶ୍ଚର୍ଯ୍ୟ
ଭାରତ ୨୬ ଜାନୁୟାରୀ ୨୦୨୫ରେ ତାର ୭୬ତମ ଗଣତନ୍ତ୍ର ଦିବସ ପାଳନ କରିବ। ଗଣତନ୍ତ୍ର ଦିବସ ପାଳନ ୧୯୫୦ ମସିହାରେ ସମ୍ବିଧାନକୁ ଐତିହାସିକ ରୂପେ ଆପଣେଇବାର ପ୍ରତୀକ, ଯେଉଁଥିରେ ଦେଶକୁ ଗାଣତାନ୍ତ୍ରିକ ରାଷ୍ଟ୍ର ଘୋଷଣା କରାଯାଇଥିଲା। ଏଥି ପାଇଁ ପ୍ରତିବର୍ଷ ଜାନୁୟାରୀ ୨୬ ତାରିଖରେ ରାଜଧାନୀ ଦିଲ୍ଲୀର କର୍ତ୍ତବ୍ୟ ପଥ (ପୂର୍ବରୁ ରାଜପଥ)ରେ ଏକ ଭବ୍ୟ ପରେଡ ଅନୁଷ୍ଠିତ ହୁଏ। ଚଳିତବର୍ଷ ଗଣତନ୍ତ୍ର ଦିବସର ବିଷୟ 'ସ୍ୱର୍ଣ୍ଣିମ ଭାରତ-ଐତିହ୍ୟ ଓ ବିକାଶ' ରଖାଯାଇଛି।
ଚଳିତବର୍ଷ ଏହି ପରେଡ ସକାଳ ସାଢେ ୮ଟା ବେଳେ ଆରମ୍ଭ ହେବ। ପରେଡ ରାଷ୍ଟ୍ରପତି ଭବନ ନିକଟସ୍ଥ ରାୟସିନା ହିଲରୁ ଆରମ୍ଭ ହୋଇ କର୍ତ୍ତବ୍ୟପଥ, ଇଣ୍ଡିଆ ଗେଟ୍ ଦେଇ ଲାଲକିଲ୍ଲା ପର୍ଯ୍ୟନ୍ତ ଯିବ। ଚଳିତବର୍ଷ ଗଣତନ୍ତ୍ର ଦିବସ ପରେଡରେ ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରବୋଭୋ ସୁବିୟାଣ୍ଟୋ ମୁଖ୍ୟ ଅତିଥି ରୂପେ ଯୋଗ ଦେବେ। ଗଣତନ୍ତ୍ର ଦିବସ ଉତ୍ସବ ଓ ପରେଡ ପ୍ରସ୍ତୁତି ବର୍ଷକ ପୂର୍ବରୁ ଜୁଲାଇ ମାସରୁ ଆରମ୍ଭ ହୁଏ। ଏଥିରେ ଅଂଶଗ୍ରହଣକାରୀଙ୍କୁ କେନ୍ଦ୍ର ସରକାର ସେମାନଙ୍କ ଭୂମିକା ସମ୍ପର୍କରେ ଅବଗତ କରାଇଥାନ୍ତି। ପରେଡରେ ଅଂଶଗ୍ରହଣକାରୀ ୬୦୦ ଘଣ୍ଟାରୁ ଅଧିକ ପରେଡ ପ୍ରସ୍ତୁତି କରନ୍ତି।
ଏହି ପରେଡ ଦେଖିବା ପାଇଁ ଇଛୁକ ଲୋକଙ୍କ ନିମନ୍ତେ ରକ୍ଷା ମନ୍ତ୍ରାଳୟ ଟିକେଟ୍ ବୁକିଂ ମଧ୍ୟ କରିଥାନ୍ତି। ଏହି ଟିକେଟ ଉଭୟ ଅନଲାଇନ ଓ ଅଫଲାଇନରେ ମିଳିଥାଏ। ଏହି ଆୟୋଜନରୁ ହେଉଥିବା ଆୟର ଏକ ବଡ଼ ଅଂଶ ଟିକେଟ୍ ବିକ୍ରିରୁ ଆସିଥାଏ। ଏକ ଆରଟିଆଇ ସୂଚନାରୁ ଜଣାପଡିଛି ଯେ କେନ୍ଦ୍ର ୧୯୯୯ ମସିହାରେ ଟିକେଟ୍ ବିକ୍ରିରୁ ୧୦ଲକ୍ଷ ୪୫ ହଜାର ୭୨୦ ଟଙ୍କା ଆୟ କରିଥିଲା, ଯାହା ୨୦୦୮ ମସିହା ବେଳକୁ ବଢି ୧୭ଲକ୍ଷ ୬୩ ହଜାର ୨୧ ଟଙ୍କାକୁ ପହଞ୍ଚିଥିଲା।

ଦି ହିନ୍ଦୁର ଏକ ରିପୋର୍ଟ ଅନୁସାରେ ୨୦୨୧-୨୨ ବର୍ଷର ୨୬ ଜାନୁୟାରୀ ପରେଡ ନିମନ୍ତେ ଡିଫେନ୍ସ ଡିପାର୍ଟମେଣ୍ଟର ଉତ୍ସବ ଉପବିଭାଗକୁ ୧କୋଟି ୩୨ଲକ୍ଷ ୫୩ ହଜାର ଟଙ୍କା ଆଲଟ କରାଯାଇଥିଲା। ତେବେ ଉତ୍ସବ ନିମନ୍ତେ କେତେ ଖର୍ଚ୍ଚ ହୋଇଛି ସେ ନେଇ କୌଣସି ସୂଚନା ଦିଆଯାଇ ନାହିଁ। ରିପୋର୍ଟରେ କୁହାଯାଇଛି ଯେ କେନ୍ଦ୍ର ସରକାର ୨୦୧୮-୨୦୨୦ ମସିହା ମଧ୍ୟରେ ଟିକେଟ୍ ବିକ୍ରିରୁ ୩୪ଲକ୍ଷ ଟଙ୍କା ଆୟ କରିଛନ୍ତି। ତେବେ ଏପରି ଉତ୍ସବ ପାଳନ ନିମନ୍ତେ ଆଲଟ ଓ ଖର୍ଚ୍ଚର ସଠିକ ତଥ୍ୟ ଏପର୍ଯ୍ୟନ୍ତ ଅଧିକାରୀକ ଭାବେ ସାମ୍ନାକୁ ଆସି ନାହିଁ।












Click it and Unblock the Notifications