ସାହସ, ବୀରତ୍ୱ ଏବଂ ବଳିଦାନ ବଳରେ ସୀମା ସୁରକ୍ଷା ବାହିନୀଦେଶର ସୁରକ୍ଷାକୁ ସୁଦୃଢ଼ କରିଛି : ଅମିତ ଶାହା
ସାହସ, ବୀରତ୍ୱ ଏବଂ ବଳିଦାନ ବଳରେ ସୀମା ସୁରକ୍ଷା ବାହିନୀ ୬ ଦଶନ୍ଧି ଧରି ଦେଶର ସୀମା ସୁରକ୍ଷାକୁ ସୁଦୃଢ଼ କରିପାରିଛି ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି। ଯୋଧପୁରଠାରେ ସୀମା ସୁରକ୍ଷା ବଳର ୬୦ତମ ପ୍ରତିଷ୍ଠା ଦିବସ ପାଳନ କାର୍ଯ୍ୟକ୍ରମରେ ଯୋଗଦେଇ ସ୍ୱରାଷ୍ଟ୍ରମନ୍ତ୍ରୀ ଏହା କହିଛନ୍ତି। ସେ କହିଛନ୍ତି ୧୯୬୫ ମସିହାରୁ ପୂର୍ବ ଏବଂ ପଶ୍ଚିମ ସୀମାକୁ ସୁରକ୍ଷିତ ରଖିବା ପାଇଁ ବିଏସ୍ଏଫ୍ ସଫଳତା ହାସଲ କରିଛି ।
୨୫ଟି ବାଟାଲିୟନରୁ ଆରମ୍ଭ ହୋଇଥିବା ସୀମା ସୁରକ୍ଷା ବଳର କଳେବର ଇତିମଧ୍ୟରେ ବୃଦ୍ଧି ପାଇଛି ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍ତି। ଅନୁପ୍ରବେଶ ରୋକିବା, ନକଲି ନୋଟ୍ ସହିତ ସୀମାରେ ଦେଶବିରୋଧି କାର୍ଯ୍ୟକଳାପକୁ ପ୍ରତିହତ କରିବାରେ ବିଏସ୍ଏଫ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଦେଶର ସୁରକ୍ଷା ଦୃଶ୍ୟପଟ୍ଟରେ ବଡ଼ ଧରଣର ପରିବର୍ତ୍ତନ ଆସିପାରିଛି। ସୀମାରେ ଭିତ୍ତିଭୂମି ସୁଦୃଢ଼ ହେବାସହ ପ୍ରତିବର୍ଷ ବଜେଟରେ ଏଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଉଛି ବୋଲି ସେ କହିଛନ୍ତି। ସୀମାନ୍ତ ଗ୍ରାମର ନାଗରିକମାନେ ସମ୍ମାନ, ରୋଜଗାର ଏବଂ ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ନ ହେବେ ସେଥିପାଇଁ କେନ୍ଦ୍ର ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ସେ ସୂଚନା ଦେଇଛନ୍ତି। ପ୍ରାୟ ୩ ହଜାର ସୀମାନ୍ତ ଗ୍ରାମରେ ପରୀକ୍ଷାମୂଳକ ଭାବେ ଏଥିପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି। ପୂର୍ବରୁ ସ୍ୱରାଷ୍ଟମନ୍ତ୍ରୀ ସୀମା ସୁରକ୍ଷା ବାହିନୀ ଦ୍ୱାରା ପ୍ରସ୍ତୁତ ପରେଡର ନିରୀକ୍ଷଣ କରିଥିଲେ। ଏହି ଅବସରରେ ଉତ୍କୃଷ୍ଟ ସେବା ପାଇଁ ବୀରତା ପୁରସ୍କାର ଏବଂ ପୁଲିସ୍ ସେବା ପଦକ ସ୍ୱରାଷ୍ଟ୍ରମନ୍ତ୍ରୀ ପ୍ରଦାନ କରିଛନ୍ତି।












Click it and Unblock the Notifications