ଜାତୀୟ ସମବାୟ ନୀତି-୨୦୨୫ ଘୋଷଣା କଲେ ସ୍ୱରାଷ୍ଟ୍ର ଓ ସମବାୟ ମନ୍ତ୍ରୀ , ଆସନ୍ତା ୫ ବର୍ଷ ମଧ୍ୟରେ....
ଜାତୀୟ ସମବାୟ ନୀତି-୨୦୨୫ ଆଜି ଘୋଷିତ ହୋଇଛି । ନୂଆଦିଲ୍ଲୀର ଅଟଳ ଅକ୍ଷୟ ଉର୍ଜ୍ଜା ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସ୍ୱରାଷ୍ଟ ଓ ସମବାୟ ମନ୍ତ୍ରୀ ଅମିତ ଶାହା ଏହି ନୀତି ଘୋଷଣା କରି କହିଛନ୍ତି, ୨୦୪୭ ବିକଶିତ ଭାରତ ସ୍ୱପ୍ନ ସାକାର କରିବାରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ । ଏ ସମ୍ପର୍କରେ ଏକ ରିପୋର୍ଟ ସହଯୋଗ ମାଧ୍ୟମରେ ସମୃଦ୍ଧି ଦୃଷ୍ଟିକୋଣକୁ ଏହି ନୂତନ ନୀତି ମାଧ୍ୟମରେ ସାକାର କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି ।
ସମବାୟ ସଂସ୍ଥାଗୁଡ଼ିକୁ ସମାବେଶୀ କରିବା, ପେସାଦାର ଭାବେ ଏହାର ପରିଚାଳନା, ଭବିଷ୍ୟତପାଇଁ ପ୍ରସ୍ତୁତ ହେବା ଏବଂ ଗ୍ରାମୀଣ କ୍ଷେତ୍ରରେ ବ୍ୟାପକ ନିଯୁକ୍ତି ଓ ଜୀବିକା ସୃଷ୍ଟି କରିବା ହେଉଛି ଏହି ନୀତିର ମୁଖ୍ୟ ଉଦ୍ଦେଶ୍ୟ ବୋଲି ମନ୍ତ୍ରୀ ଶ୍ରୀ ଶାହା କହିଛନ୍ତି । ୨୦୦୨ ମସିହା ପ୍ରାରମ୍ଭରେ ଅଟଳ ବିହାରୀ ବାଜପେୟୀଙ୍କ ପ୍ରଧାନମନ୍ତ୍ରୀତ୍ୱ ସମୟରେ ଦେଶରେ ଜାତୀୟ ସମବାୟ ନୀତି ଘୋଷଣା କରାଯାଇଥିଲା । ସମବାୟ ଅନୁଷ୍ଠାନଗୁଡ଼ିକର ଆର୍ଥିକ କାର୍ଯ୍ୟକଳାପକୁ ଉନ୍ନତ ଭାବେ ପରିଚାଳନା କରିବାପାଇଁ ଏହି ନୀତି ମୌଳିକ ଢାଞ୍ଚା ପ୍ରଦାନ କରିଥିଲା । ଆଗମୀ ଦୁଇ ଦଶନ୍ଧିରେ ନୂତନ ସମବାୟ ନୀତି ବିଭିନ୍ନ କ୍ଷେତ୍ରକୁ ଗତିଶୀଳ କରିବ ବୋଲି ଶ୍ରୀ ଶାହା କହିଛନ୍ତି ।

ଆସନ୍ତା ୫ ବର୍ଷ ମଧ୍ୟରେ ପ୍ରତ୍ୟେକ ଗ୍ରାମରେ ସମବାୟ ସମିତି ପ୍ରତିଷ୍ଠା କରାଯିବା ନେଇ ସରକାର ନିଷ୍ପତ୍ତି ନେଇଛନ୍ତି । ଆସନ୍ତା ବର୍ଷ ଫେବୃୟାରୀ ମାସ ସୁଦ୍ଧା ଦେଶରେ ୨ ଲକ୍ଷ ପ୍ରାଥମିକ କୃଷି ଋଣ ସମିତି ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ରଖାଯାଇଛି । ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୁରେଶ ପ୍ରଭାକର ପ୍ରଭୁଙ୍କ ଅଧ୍ୟକ୍ଷତାରେ ଗଠିତ ୪୮ ଜଣିଆ କମିଟି ଏହି ସମବାୟ ନୀତି ପ୍ରସ୍ତୁତ କରିଛନ୍ତି ।












Click it and Unblock the Notifications