ଆର୍ଥିକ ସଂକଟରେ ହିମାଚଳ ପ୍ରଦେଶ,ମନ୍ତ୍ରୀ, ବିଧାୟକ ଓ ସଚିବଙ୍କୁ 2 ମାସ ବିଳମ୍ବରେ ମିଳିବ ଦରମା
ନୂଆଦିଲ୍ଲୀ: କଂଗ୍ରେସ ଶାସିତ ରାଜ୍ୟ ହିମାଚଳ ପ୍ରଦେଶ ଏବେ ଆର୍ଥିକ ସଂକଟ ଦେଇ ଗତିକରୁଛି । ଏକଥା ଆମେ କହୁ ନାହୁଁ ବରଂ ରାଜ୍ୟର ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ ଖୋଦ ମାନିଛନ୍ତି । ଆର୍ଥିକ ସଙ୍କଟ ମଧ୍ୟରେ ହିମାଚଳ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ଏବଂ ତାଙ୍କର ସମସ୍ତ ମନ୍ତ୍ରୀ ଆଗାମୀ ଦୁଇ ମାସ ପର୍ଯ୍ୟନ୍ତ ଦରମା ନ ନେବାକୁ ନିଷ୍ପତ୍ତି ନେଇଛନ୍ତି ।
ସୁଖବିନ୍ଦର ସିଂହ ସୁଖୁ ବିଧାନସଭାରେ ଏନେଇ ପ୍ରସ୍ତାବ ଦେବା ପରେ ସମସ୍ତେ ଏହି ପ୍ରସ୍ତାବରେ ରାଜି ହୋଇଛନ୍ତି। ଏପରିକି ବିଧାୟକମାନେ ମଧ୍ୟ ଦରମା ଓ ଭତ୍ତା ଦୁଇ ମାସ ବିଳମ୍ବରେ ନେବା ପାଇଁ ନିଜ ଆଡ଼ୁ ସହମତି ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ୨୦୨୨ ଜୁନ୍ ପରେ ଜିଏସଟି କ୍ଷତିପୂରଣ ବନ୍ଦ ହେବା ଯୋଗୁଁ ରାଜ୍ୟକୁ ରାଜସ୍ୱ କ୍ଷତି ସହିବାକୁ ପଡ଼ୁଛି । ଏଥିରେ ରାଜ୍ୟକୁ ବାର୍ଷିକ ପ୍ରାୟ ୨୫୦୦-୩୦୦୦ କୋଟି ଟଙ୍କା କ୍ଷତି ହେଉଛି ।
ପୁରୁଣା ପେନ୍ସନ୍ ଯୋଜନା ଲାଗୁ କରିବା ଦ୍ୱାରା ମଧ୍ୟ ରାଜ୍ୟର ଋଣ କ୍ଷମତା ପ୍ରାୟ ୨୦୦୦ କୋଟି ଟଙ୍କା ହ୍ରାସ ପାଇଛି । ଏହି ସବୁ ଆହ୍ୱାନ କଥା ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବର୍ତ୍ତମାନର ଆର୍ଥିକ ସଂକଟରୁ ମୁକୁଲିବା ସହଜ ନୁହେଁ । ସେ ବିଧାନସଭାକୁ ଭରସା ଦେଇ କହିଛନ୍ତି ଯେ ରାଜ୍ୟ ସରକାର ରାଜସ୍ୱ ବୃଦ୍ଧି କରିବା ଏବଂ ବ୍ୟୟ କମ କରିବା ପାଇଁ ଉଦ୍ୟମ କରୁଛନ୍ତି । କିନ୍ତୁ ଏହାର ପରିଣାମ ଆସିବାରେ ସମୟ ଲାଗିବ ।

ସୁଖୁ କହିଛନ୍ତି ଯେ, ୨୦୨୩-୨୪ରେ ରାଜସ୍ୱ କ୍ଷତି ଅନୁଦାନ ୮୦୫୮ କୋଟି ଥିଲା । ଯାହା ଚଳିତ ବର୍ଷ କମ ହୋଇ ୬୨୫୮ କୋଟି ଟଙ୍କା ହୋଇଛି । ଅର୍ଥାତ୍ ୧୮୦୦ କୋଟି ଟଙ୍କା କମ ହୋଇଛି । ଆସନ୍ତା ବର୍ଷ ଏହି ଅନୁଦାନରେ ଆହୁରି ୩୦୦୦ କୋଟି ଟଙ୍କା କମ ହେବାର ଆଶଂକା ରହିଛି ।
ମୁଖ୍ୟମନ୍ତ୍ରୀ ସୁଖୁ କହିଛନ୍ତି ଯେ, ପିଡିଏନ୍ଏରେ ରାଜ୍ୟକୁ ୯୦୪୨ କୋଟି ଟଙ୍କାର ଆବଶ୍ୟକତା ରହିଛି, କିନ୍ତୁ କେନ୍ଦ୍ର ସରକାରଙ୍କ ପାଖରୁ ଏବେ ସୁଦ୍ଧା କୌଣସି ଧନରାଶି ମିଳି ନାହିଁ । ଏହା ବ୍ୟତୀତ ଏନପିଏସ ଅଧିନରେ ପ୍ରାୟ ୯୨୦୦ କୋଟି ଟଙ୍କା ପେନ୍ସନ୍ ନିଧି ନିୟାମକ ଏବଂ ବିକାଶ ପ୍ରାଧିକରଣଠାରୁ ମିଳିବା ବାକି ରହିଛି ବୋଲି ବିଧାନସଭାରେ କହିଛନ୍ତି ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ ।
ପ୍ରକାଶ ଥାଉ କି, ଗତ କିଛି ମାସ ହେବ ପାହାଡ଼ ରାଜ୍ୟ ହିମାଚଳ ପ୍ରଦେଶରେ ବନ୍ୟା ଓ ଭୂସ୍ଖଳନ ଘଟି 30 ଜଣଙ୍କ ମୃତ୍ୟୁ ଘଟି ଥିବାବେଳେ ଅନେକ ଲୋକ ନିଖୋଜ ଅଛନ୍ତି। ରାସ୍ତା-ଘାଟ, ପୋଲ ଧୋଇଯିବା ସହ କୋଠା-ବାଡ଼ି ଭାଙ୍ଗି ବ୍ୟାପକ କ୍ଷୟକ୍ଷତି ଘଟିଛି। ଆକଳନ ଅନୁସାରେ, ବନ୍ୟା କାରଣରୁ ପ୍ରାୟ 842 କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି।












Click it and Unblock the Notifications