ମମତା ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦେଶ, ମାର୍ଚ୍ଚ ୩୧ ସୁଦ୍ଧା ଜମି ହସ୍ତାନ୍ତର କର
ଭାରତ-ବାଂଲାଦେଶ ସୀମାରେ ତାରବାଡ ନିର୍ମାଣ ପ୍ରସଙ୍ଗରେ ମାର୍ଚ୍ଚ ୩୧ ସୁଦ୍ଧା ଜମି ହସ୍ତାନ୍ତର କରିବାକୁ କଲକାତା ହାଇକୋର୍ଟଙ୍କ ପକ୍ଷରୁ ପଶ୍ଚିମବଙ୍ଗରେ କ୍ଷମତାସୀନ ମମତା ବାନାର୍ଜୀଙ୍କ ସରକାରଙ୍କୁ ନିର୍ଦେଶ ଦିଆଯାଇଛି। ବାଂଲାଦେଶ ସୀମା ସଂଲଗ୍ନ ୯ଟି ଜିଲାରେ ଜମି ଅଧିଗ୍ରହଣ କରାଯାଇଥିଲେ ସୁଦ୍ଧା ଏହା ବିଏସଏଫକୁ ହସ୍ତାନ୍ତର କରାଯାଉନାହିଁ। ଏହାର ପ୍ରତିବାଦରେ ହାଇକୋର୍ଟରେ ଏକ ପିଟିସନ ଦାଏର କରାଯାଇଥିଲା। ଜଷ୍ଟିସ ସୁଜୟ ପାଲ ଏବଂ ଜଷ୍ଟିସ ପାର୍ଥସାରଥି ସେନଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁକ୍ରବାର ମାମଲାର ଶୁଣାଣି କରି ରାଜ୍ୟ ସରକାରଙ୍କ ପାଇଁ ଉପରୋକ୍ତ ସମୟସୀମା ଧାର୍ଯ୍ୟ କରିଛନ୍ତି। ଖଣ୍ଡପୀଠ ଏହି ମର୍ମରେ ଆହୁରି କହିଛନ୍ତି ଯେ ଦେଶର ନିରାପତ୍ତା ଏକ ସମ୍ବେଦନଶୀଳ ପ୍ରସଙ୍ଗ। ତେଣୁ ତାରବାଡ ନିର୍ମାଣ ପ୍ରସଙ୍ଗରେ କୌଣସି ପ୍ରକାର କାଳକ୍ଷେପଣ ନୀତିକୁ ପ୍ରଶ୍ରୟ ଦିଆଯିବ ନାହିଁ। ପ୍ରଶାସନିକ ସ୍ଥାଣୁତା କିମ୍ବା ନିର୍ବାଚନର ଦ୍ବାହି ଦେଇ ଏହି ପ୍ରସଙ୍ଗରେ ବିଳମ୍ବ ଘଟିବା ଅନୁଚିତ ବୋଲି ଖଣ୍ଡପୀଠ କହିଛନ୍ତି।

ବାଂଲାଦେଶ ସଂଲଗ୍ନ ସୀମାର ଅଧିକାଂଶ ସ୍ଥାନ ପଶ୍ଚିମବଙ୍ଗ ଦେଇ ଅତିକ୍ରମ କରୁଛି। ଏହାର କିଛି ଅଂଶରେ ତାରବାଡ ନିର୍ମିତ ହୋଇସାରିଥିଲେ ସୁଦ୍ଧା ସୀମା ପ୍ରାୟତଃ ମୁକୁଳା ପଡିଛି। ଏହାର ସୁଯୋଗ ନେଇ ବାଂଲାଦେଶ ନାଗରିକ ଭାରତକୁ ଅନୁପ୍ରବେଶ କରୁଥିବାବେଳେ ଗୋରୁ ଏବଂ ମାଦକଦ୍ରବ୍ୟ ଚାଲାଣ କାରବାର ନିୟନ୍ତ୍ରଣ ବାହାରକୁ ଚାଲିଯାଉଛି। ୨୦୧୬ରୁ ସୀମାରେ ତାରବାଡ ନିର୍ମାଣ ସମ୍ପର୍କିତ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ସତ୍ତ୍ବେ ତାହା ଏ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିନାହିଁ। ମୁକୁଳା ପଡିଥିବା ସ୍ଥାନରେ ବିଏସଏଫ ଯବାନ ମୁତୟନ ହୋଇଥିଲେ ସୁଦ୍ଧା ସେମାନେ ବେଆଇନ କାର୍ଯ୍ୟକୁ ସମ୍ପୂର୍ଣ୍ଣ ରୋକିବାରେ ସଫଳ ହୋଇପାରୁନାହାନ୍ତି। ହାଇକୋର୍ଟଙ୍କ ଏତାଦୃଶ ନିର୍ଦେଶକୁ ବିଜେପି ସ୍ବାଗତ କରିଛି। ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୨କୁ ଧାର୍ଯ୍ୟ କରାଯାଇଛି।












Click it and Unblock the Notifications