ବର୍ଷା ଧୋଇନେବ ଦଶହରା ! ପହିଲାରୁ ପ୍ରବଳ ଛେଚିବ
ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶା ଉପରେ ଗତକାଲି ରାତିରେ ସୃଷ୍ଟି ହୋଇଥିବା ଅବପାତ ପ୍ରଭାବରେ ଶୁକ୍ରବାର ରାତି ଓ ଶନିବାର ସକାଳେ ରାଜ୍ୟରେ ପ୍ରବଳ ବର୍ଷା ହୋଇଯାଇଛି। ଏହା ଧୀରେ ଧୀରେ ପଶ୍ଚିମ ଆଡ଼କୁ ଗତି କରିବା ସହ ଦକ୍ଷିଣ ଓଡ଼ିଶା ଓ ଦକ୍ଷିଣ ଛତିଶଗଡ଼ ଉପରେ ରହିବ ଏବଂ ଦୁର୍ବଳ ହୋଇ ୱେଲ୍ମାର୍କଡ୍ ଲଘୁଚାପରେ ପରିଣତ ହେବ। ଅନ୍ୟପଟେ ଉତ୍ତର ଆଣ୍ଡାମାନ ସାଗର ଉପରେ ଆସନ୍ତା ୩୦ ତାରିଖ ଆଡ଼କୁ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଏହାର ପ୍ରଭାବରେ ଅକ୍ଟୋବର ପହିଲାକୁ ଉତ୍ତର ଓ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।
ପାଣିପାଗ ବିଭାଗ ନିର୍ଦ୍ଦେଶିକାଙ୍କ ସୂଚନାନୁସାରେ, ୧ ତାରିଖରେ ଉତ୍ତର ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଫଳରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଅପରପକ୍ଷେ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଆଭ୍ୟନ୍ତରୀଣ ଓ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ସକ୍ରିୟ ରହିଛି। ଏହା ଆସନ୍ତା ୨୪ ଘଣ୍ଟାରେ ଦୁର୍ବଳ ହୋଇ ସ୍ପଷ୍ଟଚିହ୍ନିତ ଲଘୁଚାପରେ ପରିଣତ ହେବ। ତେବେ ଲଘୁଚାପ ପ୍ରଭାବରେ ଆହୁରି ୨୪ ଘଣ୍ଟା ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି।

ସାରା ଓଡ଼ିଶାରେ ବିଜୁଳି ଘଡ଼ଘଡ଼ି ନେଇ ୟେଲୋ ଓ୍ବାର୍ନିଂ ଜାରି ହୋଇଛି। ରବିବାର ରାଜ୍ୟର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାକୁ ଥିବାବେଳେ ଉପକୂଳ ଓଡ଼ିଶାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍ସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲାକୁ ପ୍ରବଳ ବର୍ଷା ନେଇ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ବର୍ଷା ସମୟରେ ୩୦ରୁ ୪୦ କି.ମି ବେଗରେ ପବନ ବହିବାର ସମ୍ଭାବନା ରହିଛି। ଅକ୍ଟୋବର ୪ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଜାରି ରହିବ ବୋଲି ସେ କହିଛନ୍ତି।












Click it and Unblock the Notifications