ହିମାଚଳ ପ୍ରଦେଶରେ ପ୍ରବଳ ବର୍ଷା ; ୮ ମୃତ ୫୦ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
ପ୍ରବଳ ବର୍ଷା ହିମାଚଳ ପ୍ରଦେଶରେ ବିପଦ ସୃଷ୍ଟି କରିଛି। ରାଜ୍ୟର ଅନେକ ଜିଲ୍ଲାରେ ମେଘ ବିସ୍ଫୋରଣ ହେତୁ 8 ଜଣଙ୍କର ମୃତ୍ୟୁ ଘଟିଛି। 50 ରୁ ଅଧିକ ଲୋକ ନିଖୋଜ ଅଛନ୍ତି। ରାଜ୍ୟର ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ। ଏ ସମ୍ପର୍କରେ ସ୍ଥାନୀୟ ପ୍ରଶାସନ ସତର୍କ ହୋଇପଡିଛି। ପ୍ରବଳ ବର୍ଷା ପରେ ଭୂସ୍ଖଳନ ଘଟିଛି।

ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗର ସ୍ୱତନ୍ତ୍ର ସଚିବ ଡିସି ରାଣା କହିଛନ୍ତି ଯେ ଶିମଲା ଜିଲ୍ଲାର ସମଜେ ଅଞ୍ଚଳ, ରାମପୁର, କୁଲ୍ଲୁର ବାଗିପୁଲ ଅଞ୍ଚଳ ଏବଂ ମାଣ୍ଡିର ପଦ୍ଦାର ଅଞ୍ଚଳରେ ବାଦଲ ଫାଟି ବ୍ୟାପକ ଧ୍ୱଂସ ଘଟାଇଛି।
ଏବେବି ଆହୁରି ୫୩ ଜଣ ନିଖୋଜ ଅଛନ୍ତି ଏବଂ ୮ ଟି ମୃତଦେହ ଉଦ୍ଧାର କରାଯାଇଛି। ୬୦ରୁ ଅଧିକ ଘର ଧୋଇ ହୋଇଯାଇଛି। ବନ୍ୟା ଯୋଗୁଁ ଅନେକ ଗାଁ ବ୍ୟାପକ ରୂପେ ପ୍ରଭାବିତ ହୋଇଛି। NDRF ଏବଂ SDRF ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଫସି ରହିଥିବା ଲୋକଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କରାଯାଉଛି।
ନିଖୋଜ ଲୋକଙ୍କ ମଧ୍ୟରରେ ୧୭ରୁ ୧୮ ଜଣ ମହିଳା ଅଛନ୍ତି। ସେହିପରି ୮ରୁ ୯ ଜଣ ଛୋଟ ଛୁଆ ଥିବା ସୂଚନା ମିଳିଛି। ହିମାଚଳ ପ୍ରଦେଶ ମୁଖମନ୍ତ୍ରୀ ସିଖବିନ୍ଦର ସିଂହ ସୁଖୁ ପୀଡିତ ପରିବାରଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି। କେବଳ ସେତିକି ନୁହେଁ ଆସନ୍ତା ତିନି ମାସ ପାଇଁ ଭଡା ବାବାଦକୁ ମାସକୁ ୫ ହଜାର ଟଙ୍କା ପ୍ରଦାନ କରାଯିବ ବୋଲି ମଧ୍ୟ କହିଛନ୍ତି। ଏହା ବ୍ୟତୀତ ରନ୍ଧନ ଗ୍ୟାସ୍, ଖାଦ୍ୟ ଏବଂ ଅନ୍ୟାନ୍ୟ ଜରୁରୀ ଜିନିଷ ମଧ୍ୟ ଯୋଗାଇ ଦିଆଯିବ ବୋଲି ସିଏମ୍ ସୁଖୁ ଘୋଷଣା କରିଛନ୍ତି।
ସେପଟେ ପ୍ରବଳ ବର୍ଷା ଯୋଗୁ ପାହାଡିଆ ଅଞ୍ଚଳରେ ଭୂସ୍ଖଳନ ଘଟଣା ବଢ଼ିବାରେ ଲାଗିଛି। ନଦୀ ସ୍ତର ବି ବିଢ଼ ଚାଲିଛି। ପ୍ରବଳ ବର୍ଷା ଓ ବନ୍ୟାକୁ ଦୃଷ୍ଟିରେ ରଖି ପର୍ଯ୍ୟଟକଙ୍କୁ ବାହାରକୁ ନ ବାହାରିବା ପାଇଁ ପରାମର୍ଶ ଦିଆଯାଇଛି। ସେପଟେ ଆଗକୁ ରାଜ୍ୟର ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ।
କହିରଖୁ ଯେ, ବୁଧବାର ରାତିରେ ହିମାଚଳ ପ୍ରଦେଶର ତିନୋଟି ଜିଲ୍ଲା କୁଲ୍ଲ, ମଣ୍ଡି ଓ ଶିମଲାରେ ବାଦଲ ଫଟା ବର୍ଷା ଯୋଗୁ ହଠାତ୍ ବନ୍ୟା ଆସିଥିଲା। ଏଥିରେ ଅନେକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦୦ରୁ ଅଧିକ ଫସି ରହିଥିଲେ। ସେମାନ ସମସ୍ତଙ୍କୁ ଉଦ୍ଧାର କରାଯାଇଛି।












Click it and Unblock the Notifications