ବଢିବ ବର୍ଷା; ଆହୁରି ୫ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା
ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ଓଡ଼ିଶାର ତଟୀୟ କ୍ଷେତ୍ରରେ ସୃଷ୍ଟ ଲଘୁଚାପବଳୟ ଯୋଗୁ ଉପକୂଳ ସମେତ ଆଭ୍ୟନ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି । ଆସନ୍ତା ୫ଦିନ ପର୍ଯ୍ୟନ୍ତ ରାଜ୍ୟର ଅନେକ ଜିଲ୍ଲାରେ ପ୍ରବଳ ଏବଂ କେତେକ ସ୍ଥାନରେ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବା ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କହିଛି।
ଚଳିତ ମୌସୁମୀ ଋତୁରେ, ୧ ଜୁନରୁ ଆଜି ୨୧ ଜୁଲାଇ ମଧ୍ୟରେ ୩୭୨.୧ ମିମି ବର୍ଷା ରେକର୍ଡ କରାଯାଇଛି । ଯାହା ସ୍ୱାଭାବିକ ବର୍ଷା ୪୩୪.୧ ମିମି ତୁଳନାରେ ୧୪ ପ୍ରତିଶତ କମ ରହିଛି।
୬୪୨.୪ ମିମି ସହ ମାଲକାନଗିରି ରେ ସର୍ବାଧିକ ୪୧% ଅଧିକ ଏବଂ ମୟୁରଭଞ୍ଜ ଜିଲ୍ଲାରେ ୨୬୦.୬ ମିମି ସହ ସର୍ବନିମ୍ନ ୪୫% କମ ବର୍ଷା ରେକର୍ଡ ହୋଇଛି।

ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ଘୂର୍ଣ୍ଣିବଳୟ ଓ ଲଘୁଚାପ କ୍ଷେତ୍ର ଦକ୍ଷିଣ ଓଡ଼ିଶା ଆଡ଼କୁ ରହିଛି । ଫଳରେ ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଅଧିକ ବର୍ଷା ହେଉଛି। ରାଜ୍ୟରେ ନିଅଣ୍ଟିଆ ବର୍ଷାର ଭରଣା ହୋଇଛି ।
ଗତ ୨୪ ଘଣ୍ଟାରେ ରାଜ୍ୟରେ ବିସ୍ତୃତି ବର୍ଷା ଅନୁଭୂତ ହୋଇଥିବା ବେଳେ ସର୍ବାଧିକ ବର୍ଷା ନୟାଗଡ ସହରରେ ୧୩୯ମିମି ରେକର୍ଡ ହୋଇଛି। ଦୁଇ ସ୍ଥାନରେ ଅତି ପ୍ରବଳ ଏବଂ ୧୦ ସ୍ଥାନରେ ପ୍ରବଳ ବର୍ଷା ଅନୁଭୂତ ହୋଇଛି।
ପ୍ରବଳ ବର୍ଷା ନେଇ ଜାରି ହୋଇଛି ଅରେଞ୍ଜ ଆଲର୍ଟ । ନବରଙ୍ଗପୁର, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ନୂଆପଡ଼ା, ବଲାଙ୍ଗୀର, ସୋନପୁର, ସମ୍ବଲପୁର, ଅନୁଗୁଳ, ନୟାଗଡ଼, ବୌଦ୍ଧ, ପୁରୀ ଓ ଖୋର୍ଦ୍ଧାକୁ ପ୍ରବଳ ବର୍ଷା ନେଇ ୟଲୋ ଆଲର୍ଟ ଦିଆଯାଇଛି।
ଅତି ପ୍ରବଳ ବର୍ଷା ହେବାକୁ ଥିବାରୁ ଦକ୍ଷିଣ ଓଡ଼ିଶା ସ୍ଥିତି ବେହାଲ ହେବା ସହ ବନ୍ୟା ସ୍ଥିତି ଜଟିଳ ହେବ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି ।












Click it and Unblock the Notifications