ଏଚ୍ଡି ରେଭାନ୍ନାଙ୍କୁ କର୍ଣ୍ଣାଟକ ସ୍ୱତନ୍ତ୍ର କୋର୍ଟରୁ ମିଳିଲା ଜାମିନ
ଅପହରଣ ମାମଲାରେ ଗିରଫ ଜେଡିଏସର ବିଧାୟକ ଏଚ୍ଡି ରେଭାନ୍ନାଙ୍କୁ ଆଜି କର୍ଣ୍ଣାଟକାର ସ୍ୱତନ୍ତ୍ର କୋର୍ଟ ଜାମିନ ଦେଇଛନ୍ତି। ପୁଅ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆସିବା ପରେ ବାପା ରେଭାନ୍ନା ଅପହରଣ ମାମଲାରେ ଏସ୍ଆଇଟି ଦ୍ୱାରା ଗିରଫ ହୋଇଥିଲେ।

ତେବେ ସ୍ୱତନ୍ତ୍ର କୋର୍ଟ ୫ ଲକ୍ଷ ଟଙ୍କାର ବ୍ୟକ୍ତିଗତ ବଣ୍ଡ ଓ ସମାନ ଅର୍ଥର ଦୁଇଟି ସ୍ୟୁରିଟି ବଳରେ ତାଙ୍କୁ ଜାମିନ ଦେଇଛନ୍ତି। ଜାମିନ ପାଇଥିଲେ ମଧ୍ୟ ରେଭାନ୍ନାଙ୍କୁ ଏସ୍ଆଇଟି ତଦନ୍ତରେ ସହଯୋଗ କରିବାକୁ ପଡ଼ିବ। ସେହିପରି ସେ ମାମଲା ସହ ଜଡ଼ିତ ପ୍ରମାଣକୁ ନଷ୍ଟ କିମ୍ବା ବିକୃତ କରିବାକୁ ଚେଷ୍ଟା କରିବେ ନାହିଁ।
ଅସଦାଚରଣ ଓ ଅପହରଣ ମାମଲାରେ ଗିରଫ ହୋଇ ରେଭାନ୍ନା ବିଚାର ବିଭାଗୀୟ ହାଜତରେ ରହିଥିଲେ। ଏହାର ଅବଧି ଆସନ୍ତାକାଲି ସରିବାର ଥିଲା। ରେଭାନ୍ନାଙ୍କ ପୁଅ ପ୍ରଜ୍ଜ୍ୱଲଙ୍କ ଦ୍ୱାରା ଯୌନ ନିର୍ଯାତନାର ଶିକାର ହୋଇଥିବା ଜଣେ ପୀଡ଼ିତାଙ୍କୁ ରେଭାନ୍ନା ଅପହରଣ କରିବା ପରେ ଗୋଟିଏ ଫାର୍ମ ହାଉସରେ ବନ୍ଦୀ କରି ରଖିଥିଲେ।
ପୀଡ଼ିତାଙ୍କ ପୁଅ ଏନେଇ ଅଭିଯୋଗ କରିବା ପରେ ଏଚ୍ଡି ରେଭାନ୍ନାଙ୍କ ବିରୋଧରେ ଏଫଆଇଆର ରୁଜୁ ହୋଇଥିଲା। ଶେଷରେ ଯୌନ ଶୋଷଣ ଅଭିଯୋଗର ତଦନ୍ତ କରୁଥିବା ଏସ୍ଆଇଟି ରେଭାନ୍ନାଙ୍କୁ ମେ' ୪ ତାରିଖରେ ଗିରଫ କରିଥିଲା। ଗିରଫଦାରୀରୁ ବର୍ତ୍ତିବା ପାଇଁ ରେଭାନ୍ନା ତାଙ୍କ ବାପା ତଥା ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍ଡି ଦେବଗୌଡ଼ାଙ୍କ ବାସଭବନରେ ରହିଥିଲେ। କିନ୍ତୁ ଏସ୍ଆଇଟି ଟିମ ତାଙ୍କୁ ସେଠାରୁ ଗିରଫ କରିଥିଲା।












Click it and Unblock the Notifications