ଯୌନ ଉତ୍ପୀଡନ ଅଭିଯୋଗ ପରେ ଇସ୍ତଫା ଦେଲେ ହରିଆଣା କ୍ରୀଡାମନ୍ତ୍ରୀ
ଇସ୍ତଫା ଦେଲେ ହରିଆଣା କ୍ରୀଡାମନ୍ତ୍ରୀ
ଚଣ୍ତିଗଡ଼: ଇସ୍ତଫା ଦେଲେ ହରିଆଣା କ୍ରୀଡାମନ୍ତ୍ରୀ ସନ୍ଦୀପ ସିଂହ । ନିଜ ଉପରେ ଯୌନ ଉତ୍ପୀଡନ ଅଭିଯୋଗ ଆସିବା ପରେ ସେ ନିଜ ଇସ୍ତଫା ଘୋଷଣା କରିଛନ୍ତି । ଏଥିସହ ସେ ଖେଳ ବିଭାଗ ଦାଇତ୍ୱ ମୁଖ୍ୟମନ୍ତ୍ରୀଙ୍କୁ ହସ୍ତାନ୍ତର କରିଛନ୍ତି । ମନ୍ତ୍ରୀଙ୍କ ବିରୋଧରେ ଆସିଥିବା ଅଭିଯୋଗର ଅଧିକ ତଦନ୍ତ ପାଇଁ ଡିଜିପି ତିନି ଜଣିଆ ଏସଆଇଟି ଟିମ୍ ଗଠନ କରିଛନ୍ତି ।

ଜୁନିଅର ଆଥଲେଟିକ୍ସ ବିଭାଗର ମହିଳା କୋଚ୍ ଆଣିଥିବା ଅଭିଯୋଗକୁ ସନ୍ଦୀପ ସିଂହ ଅସ୍ୱିକାର କରିଛନ୍ତି । ତାଙ୍କ ଛବି ଖରାପ କରିବା ପାଇଁ ଚେଷ୍ଟା କରାଯାଉଛି ବୋଲି ସେ କହିଛନ୍ତି । ଏହି ଘଟଣାର ଅଧିକ ତଦନ୍ତ ହେଉ ବୋଲି ସେ ଡିମାଣ୍ତ କରିଛନ୍ତି । ସେହିପରି ତଦନ୍ତ ରିପୋର୍ଟ ନ ଆସିବା ପର୍ଯ୍ୟନ୍ତ ଖେଳ ବିଭାଗର ଦାୟିତ୍ୱ ସେ ମୁଖ୍ୟମନ୍ତ୍ରୀଙ୍କୁ ହସ୍ତାନ୍ତର କରିଥିବା ନେଇ ସୂଚନା ଦେଇଛନ୍ତି ।
ସେପଟେ କ୍ରୀଡା ମନ୍ତ୍ରୀଙ୍କ ବିରୋଧରେ ଅଭିଯୋଗ ଆଣିଥିବା ମହିଳା କୋଚ୍ ହରିୟାଣା ଗୃହମନ୍ତ୍ରୀ ଅନିଲ୍ ବିଜଙ୍କ ସହ ଭେଟିଛନ୍ତି । ଏହି ମାମଲାର ସଠିତ୍ ତଦନ୍ତ ହେବ ବୋଲି ଗୃହମନ୍ତ୍ରୀ ମହିଳାଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ।
ସୂଚନାଥାଉ ଯେ, ଜୁନିଅର ଆଥଲେଟିକ୍ସର ଜଣେ ମହିଳା କୋଚ୍ ଏସପିଙ୍କୁ ଭେଟି କ୍ରୀଡାମନ୍ତ୍ରୀଙ୍କ ବିରୋଧରେ ଯୌନ ଉତ୍ପୀଡନ ଅଭିଯୋଗ କରିଥିଲେ । ଚଣ୍ତିଗଡ଼ ସେକ୍ଟର-୨୬ ପୋଲିସ ଷ୍ଟେସନରେ ଏହି ଅଭିଯୋଗ ଆଧାରରେ ମାମଲା ରୁଜୁ କରାଯାଇଛି ।












Click it and Unblock the Notifications