ଭାରତୀୟ ବାୟୁସେନାର MiG-21 କୁ ବିଦାୟ, ଏୟାର ଚିଫ୍ ମାର୍ଶାଲ ଅନ୍ତିମ ଥର ପାଇଁ.....
ଭାରତୀୟ ବାୟୁସେନାର ଲଢୁଆ ବିମାନ ମିଗ୍-୨୧ ଇତିହାସ ହେବାକୁ ଯାଉଛି। ୬୨ ବର୍ଷ ଧରି ସେବା ପ୍ରଦାନ ପରେ ଆସନ୍ତା ମାସ ୨୬ରେ ଚଣ୍ଡିଗଡ଼ରେ ଅନୁଷ୍ଠିତ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ ମିଗ୍-୨୧ ବିମାନ ଆନୁଷ୍ଠାନିକ ଭାବେ ଅବସର ନେବ। ଏହା ପୂର୍ବରୁ ଗତ ୧୮ ଓ ୧୯ରେ ଭାରତୀୟ ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶାଲ ଏପି ସିଂ ରାଜସ୍ଥାନର ନାଲ ଏୟାରଫୋର୍ସ ଷ୍ଟେଶନରୁ ଅନ୍ତିମ ଥର ପାଇଁ ଏହି ଲଢ଼ୁଆ ବିମାନକୁ ଉଡ଼ାଇଛନ୍ତି।
ସେ ଗୋଟିଏ ଟ୍ରେନିଂ ଶର୍ଟ ଏବଂ ୩ରୁ ୪ଟି ସୋଲୋ ଶର୍ଟ ପୂରଣ କରିଥିଲେ। ଉଡ଼ାଣ ପରେ ଏୟାର ଚିଫ୍ ମାର୍ଶାଲ କହିଛନ୍ତି, ଏହି ଲଢ଼ୁଆ ବିମାନରେ ସେ ନିଜର ପ୍ରଥମ ଟ୍ରେନିଂ ନେଇଥିଲେ। ୧୯୮୫ରେ ଆସାମର ତେଜପୁରରେ ସେ ପ୍ରଥମ ଥର ପାଇଁ ମିଗ୍-୨୧ ବିମାନର ଟାଇପ-୭୭ ଭାରିଆଣ୍ଟକୁ ଉଡ଼ାଇଥିଲେ। ସମ୍ପ୍ରତି ବାୟୁସେନା ନିକଟରେ ମିଗ୍-୨୧ର ୨ଟି ସ୍କ୍ବାର୍ଡନ ରହିଛି। ଉଭୟ ସ୍କ୍ବାର୍ଡନକୁ ନାଲ୍ ଏୟାରଫିଲ୍ଡରେ ରଖାଯାଇଛି।

ତେବେ ସବୁକିଛିର ଏକ ସମୟ ରହିଥାଏ। ମିଗ୍-୨୧ ପ୍ରଯୁକ୍ତି ପୁରୁଣା ହୋଇଗଲାଣି, ଯାହାକୁ ବଜାୟ ରଖିବା ବାୟୁସେନା ପାଇଁ କଷ୍ଟସାଧ୍ୟ ହୋଇପଡ଼ିଛି। ବାୟୁସେନାକୁ ଆଗକୁ ବଢ଼ିବାକୁ ପଢ଼ିବ। ତେଣୁ ଏହି ବିମାନକୁ ଅବସର ଦିଆଯାଉଥିବା ନେଇ ଏୟାର ଚିଫ୍ ମାର୍ଶାଲ ସିଂ କହିଛନ୍ତି। ଉନ୍ନତ ପ୍ରଯୁକ୍ତିବିଦ୍ୟା ସହ ତେଜସ୍, ତେଜସ୍ ଏମ୍କେ ୨, ରାଫେଲ, ଏସ୍ୟୁ-୩୦ ଭଳି ବିମାନ ମିଗ୍-୨୧ର ସ୍ଥାନ ନେବେ ବୋଲି ସେ କହିଛନ୍ତି। ରୁଷିଆ ନିର୍ମିତ ଏହି ଯୁଦ୍ଧବିମାନ ୧୯୬୩ ଏପ୍ରିଲରେ ଭାରତୀୟ ବାୟୁସେନାରେ ସାମିଲ ହୋଇଥିଲା।












Click it and Unblock the Notifications