ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ:ସ୍ଥଗିତ ରହିଲା ଜ୍ଞାନବ୍ୟାପୀ ମସଜିଦ ସର୍ଭେ
Gyanvapi Masjib Case: ସୁପ୍ରିମକୋର୍ଟ ବାରାଣାସୀର ଜ୍ଞାନବ୍ୟାପୀ ମସଜିଦରେ ଚାଲୁଥିବା ସର୍ଭେକୁ ବୁଧବାର ଅର୍ଥାତ୍ ଜୁଲାଇ 26 ଅପରାହ୍ନ 5ଟା ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି । ଏହି ସମୟରେ ମସଜିଦ କମିଟିକୁ ହାଇକୋର୍ଟଙ୍କ ନିକଟକୁ ଯିବାର ସୁଯୋଗ ଦିଆଯାଇଛି। ଜ୍ଞାନବ୍ୟାପୀ ମସଜିଦ ପରିଚାଳନାକୁ ତଦାରଖ କରୁଥିବା ଅଞ୍ଜୁମନ କମିଟି ବାରାଣାସୀ ଜିଲ୍ଲା କୋର୍ଟଙ୍କ ଆଦେଶ ବିରୋଧରେ କାଶୀ ବିଶ୍ୱନାଥ ମନ୍ଦିର ନିକଟରେ ଥିବା ମସଜିଦ କମ୍ପ୍ଲେକ୍ସ ଉପରେ ସର୍ଭେ କରିବାକୁ ଆବେଦନ କରିଥିଲେ ଯାହା ଉପରେ ଶୁଣାଣି ସମୟରେ ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି।
ତେବେ ସୋମବାର (ଜୁଲାଇ 24) ବାରାଣାସୀ ଜିଲ୍ଲା କୋର୍ଟଙ୍କ ନିର୍ଦ୍ଦେଶରେ ଏଏସଆଇର ଟିମ୍ ସର୍ଭେ ପାଇଁ ମସଜିଦ ପରିସରରେ ପହଞ୍ଚି ଯାଞ୍ଚ କାର୍ଯ୍ୟ ଆରମ୍ଭ କରିଛି ।

ଆମେ ଆବେଦନ କରିବାର ସୁଯୋଗ ପାଇଲୁ ନାହିଁ- ଅଞ୍ଜୁମନ କମିଟି
ଅଞ୍ଜୁମନ କମିଟିର ବରିଷ୍ଠ ଓକିଲ ହୁଜାଇଫା ଅହମ୍ମଦ ବେଞ୍ଚକୁ କହିଛନ୍ତି ଯେ, ଶୁକ୍ରବାର ଦିନ ଏହି ସର୍ଭେ ନିର୍ଦ୍ଦେଶ ଦିଆଯାଇଛି । ଆମେ ଆବେଦନ କରିବାର ସୁଯୋଗ ପାଇଲୁ ନାହିଁ ହେଲେ ସର୍ଭେ ଆରମ୍ଭ ହୋଇଗଲା । ସେ ଆହୁରି କହିଛନ୍ତି, ଯଦି ଖନନ ପାଇଁ ଆଦେଶ ଦିଆଯାଇଛି ତେବେ ଆମକୁ ଆବେଦନ କରିବାର ସୁଯୋଗ ମିଳିବା ଉଚିତ୍।
ସର୍ଭେ ସମୟରେ ଖନନ ହେବ ବୋଲି ଯେତେବେଳେ ସିଜେ ପ୍ରଶ୍ନ କରିଥିଲେ, ଆଧୁନିକ ଟେକ୍ନୋଲୋଜି ସହିତ ଏହି ସର୍ଭେ କରାଯିବ ବୋଲି ୟୁପି ସରକାରଙ୍କ ଓକିଲ ତୁଷାର ମେହେତା କହିଥିଲେ । ଏଥିରେ କୌଣସି କ୍ଷତି ହେବ ନାହିଁ । ବରିଷ୍ଠ ଓକିଲ ଶ୍ୟାମ ଦେୱାନ ମଧ୍ୟ କହିଛନ୍ତି ଯେ, ଏହି ସର୍ଭେରେ କୌଣସି ଖନନ କାର୍ଯ୍ୟ ହେବ ନାହିଁ । ସିଲ ହୋଇଥିବା ଅଞ୍ଚଳକୁ ଛାଡି ଅନ୍ୟ ଅଞ୍ଚଳରେ ସର୍ଭେ କରିବାକୁ କୋର୍ଟ ଅନୁମତି ଦେଇଛନ୍ତି ।
ସୂଚନା ଅନୁସାରେ, ASI'ଟିମର ୪୩ ଜଣ ସଦସ୍ୟ ଆଜି ଯାଞ୍ଚ ପାଇଁ ପହଞ୍ଚିଥିଲା । ସେମାନଙ୍କ ସହ ୪ ଓକିଲ ଓ ୪ ମହିଳା ମଧ୍ୟ ଜ୍ଞାନବ୍ୟାପୀ ମସଜିଦରେ ପ୍ରବେଶ କରିଥିବା ନେଇ ସୂଚନା ରହିଛି । ଯାଞ୍ଚ ସମୟରେ ମସଜିଦ ବାହାରେ ସୁରକ୍ଷା କଡ଼ାକଡି କରାଯାଇଛି । ଆସନ୍ତା ୪ ଅଗଷ୍ଟ ସୁଦ୍ଧା ଏଏସଆଇ ଟିମ ଯାଞ୍ଚ ରିପୋର୍ଟ ବାରଣାସୀ କୋର୍ଟରେ ଦାଖଲ କରିବ । ଜ୍ଞାନବ୍ୟାପୀ ମସଜିଦ ମାମଲାରେ ଆବେଦନକାରୀ ସୋହାନ ଲାଲ ଆର୍ଯ୍ୟ କହିଛନ୍ତି ଯେ ଏହା ଆମ ହିନ୍ଦୁ ସମ୍ପ୍ରଦାୟ ତଥା କୋଟି କୋଟି ହିନ୍ଦୁଙ୍କ ପାଇଁ ଅତ୍ୟନ୍ତ ଗର୍ବର ମୁହୂର୍ତ୍ତ । ସର୍ବେକ୍ଷଣ ହେଉଛି ଏକମାତ୍ର ସମ୍ଭାବ୍ୟ ସମାଧାନ ।












Click it and Unblock the Notifications