GST Collection: ମଇରେ ରେକର୍ଡ ୧, ୭୨, ୭୩୯ କୋଟି ଟଙ୍କାର ଜିଏସ୍ଟି ସଂଗ୍ରହ
ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ମାସରେ ମଧ୍ୟ ରେକର୍ଡ ପରିମାଣର ସାମଗ୍ରୀ ଏବଂ ସେବା ଟିକସ (ଗୁଡ୍ସ ଆଣ୍ଡ ସର୍ଭିସ୍ ଟ୍ୟାକ୍ସ ବା ଜିଏସ୍ଟି) ସଂଗ୍ରହ କରାଯାଇଛି ବୋଲି ଶନିବାର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଇଛି । ଉଲ୍ଲେଖଯୋଗ୍ୟ, ୨୦୨୪-୨୫ ଆର୍ଥିକ ବର୍ଷର ଦ୍ୱିତୀୟ ମାସ ବା ମେ'ରେ ଦେଶର ଜିଏସ୍ଟି ସଂଗ୍ରହ ପ୍ରାୟ ୧.୭୩ (୧,୭୨,୭୩୯) ଲକ୍ଷ କୋଟି ଟଙ୍କାର ଟିକସ ରାଜସ୍ବ ଆକାରରେ ଆଦାୟ କରାଯାଇଛି ।
ଏପରିକି ୨୦୨୩-୨୪ ଆର୍ଥିକ ବର୍ଷର ସମାନ ଅବଧି ମଧ୍ୟରେ ୧.୫୭ (୧,୫୭,୦୯୦)ଲକ୍ଷ କୋଟି ଟଙ୍କା ଟିକସ ଆଦାୟ ହୋଇଥିଲାବେଳେ ୨୦୨୩-୨୪ ଆର୍ଥିକ ବର୍ଷର ୨ୟ ମାସରେ ସଂଗୃହୀତ ଟିକସ ପରିମାଣଠାରୁ ୨୦୨୪-୨୫ ଆର୍ଥିକ ବର୍ଷର ଟିକସ ପରିମାଣ ୧୦% ଅଧିକ ହୋଇଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ ବିସ୍ତୃତ ଭାବେ ଉଲ୍ଲେଖ କରାଯାଇଛି।

ଉଲ୍ଲେଖଯୋଗ୍ୟ, ୨୦୨୪ ମେ'ରେ ସଂଗୃହୀତ ମୋଟ ଜିଏସ୍ଟି ରାଜସ୍ବ ୧,୭୨,୭୩୯ କୋଟି ରହିଥିବାବେଳେ ସେଥିମଧ୍ୟରୁ କେନ୍ଦ୍ରୀୟ ଟିକସ (ସିଜିଏସ୍ଟି) ୩୨,୪୦୯ କୋଟି ଟଙ୍କା ଏବଂ ରାଜ୍ୟ ଜିଏସ୍ଟି (ଏସ୍ଜିଏସ୍ଟି) ୪୦,୨୬୫ କୋଟି ଟଙ୍କା ସାମିଲ ରହିଛି। ସେହିଭଳି ଆଇଜିଏସ୍ଟି ବାବଦରେ ୮୭,୭୮୧ କୋଟି (ସାମଗ୍ରୀ ଆମଦାନୀ ବାବଦରେ ୩୯,୮୭୯ କୋଟି ଟଙ୍କା ଅନ୍ତର୍ଭୁକ୍ତ) ଏବଂ ସେସ୍ ବାବଦରେ ୧୨,୨୮୪ କୋଟି (ସାମଗ୍ରୀ ଆମଦାନୀ ଉପରେ ୧୦୭୬ କୋଟି ଟଙ୍କା ସାମିଲ) ଟଙ୍କାର ରାଜସ୍ବ ଟିକସ ଆକାରରେ ଆଦାୟ କରାଯାଇଛି। ସେହିପରି ସରକାର ସିଜିଏସ୍ଟି ବାବଦରେ ୩୮,୫୧୯ କୋଟି ଟଙ୍କା ଏବଂ ଆଇଜିଏସ୍ଟିରୁ ଏସ୍ଜିଏସ୍ଟି ବାବଦରେ ୩୨,୭୩୩ କୋଟି ଟଙ୍କା ସରକାର ପରିଶୋଧ କରିଛନ୍ତି।
ଅପରପକ୍ଷରେ ଓଡ଼ିଶାରୁ ମଧ୍ୟ ଚଳିତ ଆର୍ଥିକ ବର୍ଷର ୨ୟ ମାସରେ ୫୦୨୭ କୋଟି ଟଙ୍କାର ଟିକସ ସଂଗ୍ରହ କରାଯାଇଥିଲାବେଳେ ଗତ ଆର୍ଥିକ ବର୍ଷର ଏହି ସମୟ ମଧ୍ୟରେ ଟିକସ ପରିମାଣ ୪୩୯୮ କୋଟି ଟଙ୍କା ଥିଲା। ଚଳିତ ଆର୍ଥକ ବର୍ଷର ୨ୟ ମାସର ଅବଧି ମଧ୍ୟରେ ଏହା ୧୪% ବୃଦ୍ଧି ପାଇଛି ବୋଲି ଅର୍ଥ ମନ୍ତ୍ରଣାଳୟ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି।












Click it and Unblock the Notifications