ରାଜ୍ୟରେ ଲାଗୁ ହେଲା ଗୃହଲକ୍ଷ୍ମୀ ଯୋଜନା, ପ୍ରତିମାସରେ ମହିଳାଙ୍କ ଆକାଉଣ୍ଟକୁ ଆସିବ ୨ ହଜାର ଟଙ୍କା
ବେଙ୍ଗାଲୁରୁ: ରାଜ୍ୟରେ ଲାଗୁ ହେଲା ଗୃହଲକ୍ଷ୍ମୀ ଯୋଜନା । ଏହି ଯୋଜନା ଅଧିନରେ ପ୍ରତିମାସରେ ମହିଳାଙ୍କ ଆକାଉଣ୍ଟକୁ ଆସିବ 2 ହଜାର ଟଙ୍କା । ଆଜି ମହୀଶୂରର ମହାରାଜା କଲେଜ ଗ୍ରାଉଣ୍ଡରେ ଆୟୋଜିତ କାର୍ଯ୍ୟକ୍ରମ ଅବସରରେ ସାରା ରାଜ୍ୟରେ ଗୃହଲକ୍ଷ୍ମୀ ଯୋଜନା ଲାଗୁ କରିଛନ୍ତି କର୍ଣ୍ଣାଟକ ସରକାର ।
ତେବେ ଗୃହଲକ୍ଷ୍ମୀ ଯୋଜନା ଶୁଭାରମ୍ଭ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ କଂଗ୍ରେସ ନେତା ରାହୁଲ । ସେହିପରି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଏଆଇସିସି ସଭାପତି ମଲ୍ଲିକାର୍ଜୁନେ ଖଡଗେ ଓ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ।

ଏହି ସଭାକୁ ସମ୍ବୋଧିତ କରିଛନ୍ତି, କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ କହିଛନ୍ତି, "ରାଜ୍ୟରେ ମହିଳାଙ୍କ ମାଗଣା ବସ ଯାତ୍ରା ପାଇଁ 'ଶକ୍ତି ଯୋଜନା' କାର୍ଯ୍ୟକାରୀ କରାଯାଇଛି । 'ଗୃହଲକ୍ଷ୍ମୀ ଯୋଜନା'ରେ ପ୍ରତ୍ୟେକ ପରିବାରର ମହିଳାଙ୍କୁ ମାସିକ 2 ହଜାର ଟଙ୍କାର ଆର୍ଥିକ ସହାୟତା, ଗୃହଜ୍ୟୋତି ଯୋଜନାରେ ପ୍ରତ୍ୟେକ ପରିବାରକୁ ମାସିକ 200 ୟୁନିଟ ମାଗଣା ବିଜୁଳି, ଅନ୍ନଭାଗ୍ୟ ଯୋଜନାରେ ପ୍ରତ୍ୟେକ ପରିବାରକୁ 10 କେଜି ଚାଉଳ ମୁଣ୍ଡ ପିଚ୍ଛା ହିସାବରେ ମିଳୁଛି । ସେହିପରି 'ଯୁବାନିଧି ଯୋଜନା'ରେ ପ୍ରତ୍ୟେକ ବେରୋଜଗାର ଶିକ୍ଷିତ ସ୍ନାତକ ଯୁବକ ଯୁବତୀଙ୍କୁ ମାସିକ 3 ହଜାର ଟଙ୍କା ଭତ୍ତା ଯୋଜନାକୁ ଆମେ କାର୍ଯ୍ୟକାରୀ କରାଯିବାକୁ ଯାଉଛୁ ।"
ସୂଚନାଥାଉ କି, କର୍ଣ୍ଣାଟକରେ ନିର୍ବାଚନ ସୟମରେ ଦଳ ଘୋଷଣା କରିଥିବା 5ଟି ଗ୍ୟାରେଣ୍ଟି ମଧ୍ୟରୁ 4ଟି କାର୍ଯ୍ୟକାରୀ ହୋଇ ସାରିଲାଣି । ଆଉ ଗୋଟିଏ ମଧ୍ୟ ଲାଗୁ ହେବା ପ୍ରକ୍ରିୟାରେ ରହିଛି ବୋଲି ରାହୁଲ କହିଛନ୍ତି ।
ସେହିପରି କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡି.କେ. ଶିବକୁମାର କହିଛନ୍ତି- ସାରା ଦେଶ ଲାଗି କର୍ଣ୍ଣାଟକ ମଡେଲ ସାଜିବ ଉଦାହରଣ । ଏହି ଯୋଜନା ଜରିଆରେ ରାଜ୍ୟବାସୀଙ୍କ ଜୀବନ ଧାରଣର ମାନ, ସାମାଜିକ ଓ ଅର୍ଥନୈତିକ ଅବସ୍ଥାର ପରିବର୍ତ୍ତନ ଘଟିବ । ରାଜ୍ୟରେ ସରକାର ଗଠନର 100 ଦିନ ପୂର୍ତ୍ତି ଅବସରରେ ନିର୍ବାଚନ ବେଳେ କଂଗ୍ରେସ ଯାହା ପ୍ରତିଶ୍ରୁତି ଦେଇଥିଲା ତାହା ପୂରଣ କରାଯିବ ବୋଲି ସେ କହିଛନ୍ତି ।
ଗୃହଲକ୍ଷ୍ମୀ ଯୋଜନାରେ ଉପକୃତ ହେବ ରାଜ୍ୟର 1 କୋଟି 30 ଲକ୍ଷ ମହିଳା । ରାଜ୍ୟ ରାଜକୋଷରୁ ବାର୍ଷିକ 33 ହଜାର କୋଟି ଟଙ୍କା ବ୍ୟୟ ହେବ ।












Click it and Unblock the Notifications