ଭାରତୀୟ କୃଷି କ୍ଷେତ୍ରରେ ଅଭିବୃଦ୍ଧି, ୩୫୭୭ ଲକ୍ଷ ନିୟୁତ ଟନ ଛୁଇଁଲା ଖାଦ୍ୟଶସ୍ୟ ଉତ୍ପାଦନ
ସ୍ଥିରତା ପ୍ରଦର୍ଶନ କରିଛି ଭାରତୀୟ କୃଷି କ୍ଷେତ୍ର । ସ୍ଥିର ଅଭିବୃଦ୍ଧି ହାସଲ କରିଛି । ସହଯୋଗୀ କ୍ଷେତ୍ରରୁ ଆସିଛି ଅଧିକାଂଶ ବିକାଶ । ବିକଶିତ ଭାରତ ଲକ୍ଷ୍ୟ ହାସଲରେ କୃଷି କ୍ଷେତ୍ର ଅଗ୍ରଣୀ ଭୂମିକା ଗ୍ରହଣ କରିବ । ନିରନ୍ତର ଅଭିବୃଦ୍ଧି ଏବଂ ସହସ୍ରାଧିକ ଲୋକଙ୍କ ଜୀବନମାନରେ ଉନ୍ନତି ଆଣିବାରେ ଏହା ବଡ଼ ଯୋଗଦାନ ଦେବ। ଗୁରୁବାର ସଂସଦରେ ଉପସ୍ଥାପିତ ଅର୍ଥନୈତିକ ସର୍ଭେ ରିପୋର୍ଟ ୨୦୨୫-୨୬ରେ ଏହା ଉଲ୍ଲେଖ କରାଯାଇଛି ।

ଗତ କିଛି ବର୍ଷ ହେବ ଖାଦ୍ୟଶସ୍ୟ ଉତ୍ପାଦନରେ ଉଲ୍ଲେଖନୀୟ ବୃଦ୍ଧି ଘଟିଥିବାବେଳେ ପଶୁପାଳନ, ମତ୍ସ୍ୟଚାଷ ଏବଂ ଉଦ୍ୟାନକୃଷି ଆଦି ଉଚ୍ଚ-ମୂଲ୍ୟ ସହାୟକ କ୍ଷେତ୍ରର ଗୁରୁତ୍ୱ ମଧ୍ୟ ବୃଦ୍ଧି ପାଇଛି । ରୋଜଗାର ସୁଯୋଗ ବଢ଼ାଇବା ସହ ଗ୍ରାମୀଣ ଆଜୀବିକାକୁ ମଜଭୁତ କରିବାରେ ଏସବୁ କ୍ଷେତ୍ର ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ସର୍ଭେ ମୁତାବକ ଗତ ୫ ବର୍ଷରେ କୃଷି ଏବଂ ସହାୟକ କ୍ଷେତ୍ରଗୁଡ଼ିକରେ ହାରାହାରି ବାର୍ଷିକ ଅଭିବୃଦ୍ଧି ସ୍ଥିର ମୂଲ୍ୟରେ ପ୍ରାୟ ୪.୪% ରହିଛି । ୨୦୨୫-୨୬ ଆର୍ଥିକବର୍ଷର ଦ୍ୱିତୀୟ ତ୍ରୟମାସରେ କୃଷି କ୍ଷେତ୍ର ୩.୫% ଅଭିବୃଦ୍ଧି ହାସଲ କରିଥିଲା ।
୨୦୧୫-୧୬ରୁ ୨୦୨୪-୨୫ ଦଶନ୍ଧିରେ ଏ କ୍ଷେତ୍ରର ହାରହାରି ବାର୍ଷିକ ଅଭିବୃଦ୍ଧି ହାର ରହିଛି ୪.୪୫% । ପୂର୍ବ ଦଶନ୍ଧିଗୁଡ଼ିକ ତୁଳନାରେ ଏହା ଅଧିକ । ପଶୁପାଳନ, ମତ୍ସ୍ୟଚାଷ ଏବଂ ଜଳକୃଷି ଆଦି ସହାୟକ କ୍ଷେତ୍ରର ମଜଭୁତ ପ୍ରଦର୍ଶନ ଯୋଗୁ ଏହା ସମ୍ଭବ ହୋଇଛି । ରେକର୍ଡ ଶସ୍ୟ ଉତ୍ପାଦନ ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରିଛି । ୨୦୨୪-୨୫ କୃଷି ବର୍ଷରେ ଭାରତରେ ରେକର୍ଡ ଖାଦ୍ୟଶସ୍ୟ ଉତ୍ପାଦନ ହୋଇଛି । ଆଲୋଚ୍ୟ ସମୟରେ ଏହା ୩,୫୭୭.୩ ଲକ୍ଷ ମେଟ୍ରିକ୍ଟନ୍କୁ ବୃଦ୍ଧି ପାଇଛି, ଯାହାକି ପୂର୍ବ ବର୍ଷ ତୁଳନାରେ ୨୫୪.୩ ଲକ୍ଷ ମେଟ୍ରିକ୍ଟନ୍ ଅଧିକ । ପ୍ରଚୁର ପରିମାଣରେ ଚାଉଳ, ଗହମ, ମକା ଏବଂ ଶ୍ରୀଅନ୍ନ ଉତ୍ପାଦନ ଯୋଗୁ ଏହା ସମ୍ଭବ ହୋଇପାରିଛି । ଦେଶର କୃଷି ଅଭିବୃଦ୍ଧି ଧାରାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ଉଦ୍ୟାନକୃଷି । କୃଷି ଜିଭିଏରେ ଏହାର ଭାଗ ହେଉଛି ୩୩% ।
ଆହୁରି ପଢ଼ନ୍ତୁ :- ଅର୍ଥନୈତିକ ସର୍ଭେ ୨୦୨୬ : ବିଶ୍ୱ ବଜାର ପାଇଁ 'ମେକ୍ ଇନ୍ ଇଣ୍ଡିଆ' ଉତ୍ପାଦକୁ ଗତି ଦେବାକୁ ଯୋଜନା
୨୦୨୪-୨୫ରେ ଉଦ୍ୟାନକୃଷି ଉତ୍ପାଦନ ୩୬୨.୦୮ ଏମ୍ଟିରେ ପହଞ୍ଚିଛି । ଆଲୋଚ୍ୟ ସମୟରେ ୧୧୪,୫୧ ନିୟୁତ ଟନ୍ ଫଳମୂଳ, ୨୧୯.୬୭ ନିୟୁତ ଟନ୍ ପନିପରିବା ଏବଂ ୩୩.୫୪ ନିୟୁତ ଟନ୍ ଅନ୍ୟାନ୍ୟ ଉଦ୍ୟାନକୃଷି ଶସ୍ୟ ଉତ୍ପାଦନ ହୋଇଥିବା ଜଣାପଡ଼ିଛି । ପନିପରିବା, ଫଳାମୂଳ ଏବଂ ଆଳୁ ଉତ୍ପାଦନରେ ସମଗ୍ର ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ରହିଛି ଭାରତ । ଉଦ୍ୟାନକୃଷି ଭାରତର ମଜଭୁତ ଉପସ୍ଥିତିକୁ ଏହା ଦର୍ଶାଉଛି । ବିଶ୍ୱ ଖାଦ୍ୟ ଚାହିଦା ପୂରଣ କରିବାରେ ଆମ ଦେଶର ଭୂମିକା ବୃଦ୍ଧି ପାଇଛି ।
ଚାଷୀ ଆୟ ବୃଦ୍ଧି ପ୍ରାଥମିକତା
କୃଷି ଆୟକୁ ଦୁଇଗୁଣା କରିବା ପାଇଁ କେନ୍ଦ୍ର ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ନେଉଛନ୍ତି । ଉତ୍ପାଦକତା ଏବଂ ଚାଷୀ ଆୟ ବୃଦ୍ଧି ଉପରେ ଫୋକସ୍ ଦିଆଯାଉଥିବା ଅର୍ଥନୈତିକ ସର୍ଭେ ରିପୋର୍ଟରେ ଉଲ୍ଲେଖ କରାଯାଇଛି । ଉତ୍ପାଦନ, ପ୍ରଯୁକ୍ତି, ଆୟ ସହାୟତା, ବଜାର-ଭିତ୍ତିକ ଏବଂ ବୀମା ସହଯୋଗ ମାଧ୍ୟମରେ ଚାଷୀମାନଙ୍କ ଆୟ ବୃଦ୍ଧି ଲକ୍ଷ୍ୟ ରଖାଯାଇଛି। ଡାଲି କ୍ଷେତ୍ରରେ ଆତ୍ମନିର୍ଭର ହେବା ପାଇଁ କେନ୍ଦ୍ର ସରକାର ଏକ ସ୍କିମ୍ କାର୍ଯ୍ୟକାରୀ କରିଛନ୍ତି । ଘରୋଇ ବଜାରରେ ଖାଇବା ତେଲ ଉପଲବ୍ଧତା ବୃଦ୍ଧି ପାଇଛି । ୨୦୧୫-୧୬ରେ ଏହା ୮୬.୩୦ ଲକ୍ଷ ଟନ୍ ଥିବାବେଳେ ୨୦୨୩-୨୪ରେ ୧୨୧.୭୫ ଲକ୍ଷ ଟନ୍କୁ ବୃଦ୍ଧି ପାଇଛି । ଫଳରେ ଆମଦାନି ଭାଗ ହ୍ରାସ ପାଇଛି । ପ୍ରଧାନମନ୍ତ୍ରୀ ଧନଧାନ୍ୟ କୃଷି ଯୋଜନାରେ ୧୦୦ ଆକାଂକ୍ଷୀ କୃଷି ଜିଲାଙ୍କୁ ସାମିଲ କରାଯାଉଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି ।












Click it and Unblock the Notifications