ସେନା ଟ୍ରକ ଉପରକୁ ଗ୍ରେନେଡ୍ ମାଡ଼, ୫ ଯବାନ ସହିଦ: ଜଣେ ଓଡିଆ ଯବାନ ମଧ୍ୟ ସହିଦ
ଶ୍ରୀନଗର: ଜମ୍ମୁ-କଶ୍ମୀରର ପୁଞ୍ଚ ଜିଲ୍ଲାରେ ହୋଇଥିବା ସେନା ଟ୍ରକ ଅଗ୍ନିକାଣ୍ଡ ଘଟଣାରେ ଏକ ନୂଆ ମୋଡ଼ ଆସିଛି । ଏହା ଏକ ଆତଙ୍କବାଦୀ ଆକ୍ରମଣ ଥିବା ବୋଲି ସେନା ପକ୍ଷରୁ ସ୍ପଷ୍ଟ କରାଯାଇଛି । ଏହି ଆକ୍ରମଣରେ ରାଷ୍ଟ୍ରୀୟ ରାଇଫଲ୍ସର ୫ ଜଣ ଯବାନ ସହିଦ ହୋଇଥିବା ସୂଚନା ରହିଛି ।
ସେମାନଙ୍କୁ କାଉଣ୍ଟର ଟେରରିଷ୍ଟ ଅପରେସନ୍ ପାଇଁ ସେଠାରେ ମୁତୟନ କରାଯାଇଥିଲା । ଏହି ଆକ୍ରମଣରେ ଜଣେ ଯବାନ ଗୁରୁତର ହୋଇଥିବା ବେଳେ ତାଙ୍କୁ ସେଠାରୁ ଉଦ୍ଧାର କରି ତୁରନ୍ତ ନିକଟସ୍ଥ ଆର୍ମି ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି ।

ତେବେ ଏହି ୫ ଜଣ ଯବାନଙ୍କ ମଧ୍ୟରେ ଜଣେ ଓଡିଆ ଯବାନ ରହିଛନ୍ତି । ତାଙ୍କ ନାମ ଦେବାଶିଷ ବିଶ୍ୱାଳ । ପୁରୀ ଅଳଗୁମ ପଞ୍ଚାୟତ ଖଣ୍ଡାୟତ ସାହିରେ ଦେବାଶିଷଙ୍କ ଘର ।
ଜାମ୍ମୁ-କାଶ୍ମୀରର ରାଜୌରୀ ଇଲାକାରେ ଥିବା ଭିମ୍ବର ଗଲି ଏବଂ ପୁଞ୍ଛ ଘାଟି ରାସ୍ତାରେ ଯାଉଥିବା ବେଳେ ଅଚାନକ ଆତଙ୍କବାଦୀମାନେ ସେନା ଗାଡ଼ି ଉପରକୁ ଆକ୍ରମଣ କରିଥିଲେ । ଗାଡ଼ିକୁ ଆଖିବୁଜା ଗ୍ରେନେଡ୍ ମାଡ଼ କରିଥିଲେ ଆତଙ୍କବାଦୀ । ବର୍ଷା ଏବଂ ଲୋ-ଭିଜିବିଲିଟିର ଫାଇଦା ନେଇଥିଲେ ଆତଙ୍କବାଦୀ । ଏବେ ସେଠାରେ ଅଧିକ ଫୋର୍ସ ପହଞ୍ଚି ଜୋରଦାର ଅପରେସନ୍ ଆରମ୍ଭ କରିଛନ୍ତି । ତେବେ ଏହି ଆତଙ୍କୀ ହମଲା ପାଇଁ ଆତଙ୍କବାଦୀ ସଂଗଠନ PAFF ନିଜକୁ ଦାୟୀ କରିଛି । PAFF ହେଉଛି ଜୈଶ ସମର୍ଥିତ ଆତଙ୍କବାଦୀ ସଂଗଠନ ।
ପ୍ରଥମେ ଅନୁମାନ କରାଯାଉଥିଲା ଯେ ବଜ୍ରପାତ କାରଣରୁ ଟ୍ରକରେ ନିଆଁ ଲାଗିଯାଇଥିଲା । କିନ୍ତୁ ଏବେ ଆତଙ୍କବାଦୀ ଆକ୍ରମଣ ହୋଇଥିବା ସ୍ପଷ୍ଟ ହୋଇଛି । ସେନା ପକ୍ଷରୁ ଘଟଣାର ତଦନ୍ତ (କୋର୍ଟ ଅଫ ଇନକ୍ବାରୀ) ନିର୍ଦ୍ଦେଶ ଦିଆଯାଇଛି ।
ଏହି ଦୁର୍ଘଟଣା ସଂପର୍କିତ ଏକ ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି । ସେଥିରେ ଦେଖାଯାଉଛି ଯେ ଟ୍ରକଟି ହୁତ୍ ହୁତ୍ ହୋଇ ଜଳୁଛି । ସେନାର ଆଉ ଏକ ଟ୍ରକରେ ଯବାନମାନେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଚଳାଇଛନ୍ତି । ରାସ୍ତାରେ ବହୁ ସଂଖ୍ୟକ ଯାନବାହାନ ଅଟକି ଯାଇଛି ।












Click it and Unblock the Notifications