ଲୋକସଭା ନିର୍ବାଚନ ଲଢ଼ିବେ ନାହିଁ ଗୋବିନ୍ଦା, କରିବେ ପ୍ରଚାର !
୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ମହାରାଷ୍ଟ୍ରର ଏକନାଥ ସିନ୍ଧେଙ୍କ ଶିବସେନା ଏକ ବଡ ପଦକ୍ଷେପ ନେଇଥିଲା ଏବଂ ପ୍ରସିଦ୍ଧ ଅଭିନେତା ଗୋବିନ୍ଦାଙ୍କୁ ଦଳରେ ଅନ୍ତର୍ଭୁକ୍ତ କରିଥିଲା। ତେବେ ବର୍ତ୍ତମାନ ସୂଚନାନୁସାରେ ଗୋବିନ୍ଦା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ ବରଂ ଦଳ ପାଇଁ ଲୋକସଭା ନିର୍ବାଚନ ପ୍ରଚାର କରିବେ। ନିକଟରେ ଗୋବିନ୍ଦା ଶିବସେନାରେ ଯୋଗ ଦେଇଥିଲେ ଏବଂ ସେ ମୁମ୍ବାଇ ଉତ୍ତର-ପଶ୍ଚିମ ଆସନରୁ ନିର୍ବାଚନ ଲଢିବେ ବୋଲି ଅନୁମାନ କରାଯାଉଥିଲା। ତେବେ ବର୍ତ୍ତମାନ ଏକ ଖବର ଆସିଛି ଯେ ସେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ।

ସେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ପରିବର୍ତ୍ତେ ପ୍ରଚାର କରିପାରନ୍ତି ବୋଲି କୁହାଯାଉଛି। ସୂତ୍ରରୁ ପ୍ରକାଶ ରିପୋର୍ଟ ଅନୁସାରେ, ଅଭିନେତା ତଥା ରାଜନେତା ଗୋବିନ୍ଦା ବିଦର୍ଭ ଅଞ୍ଚଳରେ ପ୍ରଚାର କରିବେ।
ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ମହାରାଷ୍ଟ୍ରର ରାମଟେକ, ନାଗପୁର, ଭଣ୍ଡାର-ଗୋନ୍ଦିଆ, ଗଡଚିରୋଲି ଏବଂ ଚନ୍ଦ୍ରପୁର ଲୋକସଭା ଆସନରେ ନିର୍ବାଚନ ଅନୁଷ୍ଠିତ ହେବ। ଗୋବିନ୍ଦା ଏହି ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ।
ଗୋବିନ୍ଦା ଦୀର୍ଘ ୧୪ ବର୍ଷ ହେବ ସକ୍ରୀୟ ରାଜନୀତିରୁ ଦୂରେଇ ରହିଥିଲେ। ସେ ୨୦୦୪ରେ କଂଗ୍ରେସ ଟିକେଟରୁ ଲୋକସଭା ନିର୍ବାଚନ ଜିତିଥିଲେ।୨୦୦୯ ଯାଏ ରାଜନୀତିରେ ବେଶ ସକ୍ରିୟ ଥିଲେ। କିନ୍ତୁ ୨୦୧୦ରୁ ୨୦୨୪ ଯାଏ ତାଙ୍କୁ ଆଉ ରାଜନୀତିରେ ଦେଖିବାକୁ ମିଳିନଥିଲା।
ଏଥର ଲୋକସଭା ନିର୍ବାଚନ ପୂର୍ବରୁ ସେ ରାଜନୀତିକୁ ଫେରିଛନ୍ତି। ସେ ମାର୍ଚ୍ଚ ୨୮ରେ ଏକନାଥ ସିନ୍ଦେଙ୍କ ଉପସ୍ଥିତିରେ ଶିବସେନାରେ ଯୋଗ ଦେଇଥିଲେ ଏବଂ ୧୪ ବର୍ଷର ବନବାସ ପରେ ରାମରାଜ୍ୟକୁ ଫେରିଥିବା କହିଥିଲେ।












Click it and Unblock the Notifications