ସଂସଦର ଅଧିବେଶନକୁ ସୁରୁଖୁରୁରେ ସାରିବା ଲାଗି ଶାସକ ବିରୋଧୀଙ୍କ ମଧ୍ୟରେ ସହମତି
ସଂସଦରେ ଚାଲିଥିବା ଶୀତକାଳୀନ ଅଧିବେଶନକୁ ସୁରୁଖୁରୁରେ ସମ୍ପନ୍ନ କରିବା ସହିତ ଏ ଦିଗରେ ଥିବା ସମସ୍ତ ବାଧା ଦୂର କରିବା ଲାଗି ଆଜି ଉଭୟ ସରକାର ଏବଂ ବିରୋଧୀ ଦଳ ଗୁଡ଼ିକ ମଧ୍ୟରେ ସହମତି ପ୍ରକାଶ ପାଇଛି । ଏଥିଲାଗି ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ଅଧ୍ୟକ୍ଷତାରେ ସଂସଦ ଭବନ ପରିସରରେ ଆଜି ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି ।
ଏହି ବୈଠକରେ ସଂସଦ କାର୍ଯ୍ୟ କିଭଳି ସୁରୁଖୁରୁରେ ସମ୍ପନ୍ନ କରାଯାଇପାରିବ ସେଥିଲାଗି ବାଚସ୍ପତି ବିଭିନ୍ନ ଦଳର ନେତୃବୃନ୍ଦଙ୍କ ସହଯୋଗ ଲୋଡ଼ିଥିଲେ ଏବଂ ବିଭିନ୍ନ ଦଳର ନେତାମାନେ ମଧ୍ୟ ଏହି କାର୍ଯ୍ୟ ଲାଗି ସମର୍ଥନ ଦେବେ ବୋଲି ରାଜି ହୋଇଛନ୍ତି । ସଂସଦ ବାହାରେ ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ କୀରଣ ରିଜିଜୁ କହିଛନ୍ତି, ଆସନ୍ତା ୧୩ ଓ ୧୪ ତାରିଖ ଦିନ ଲୋକସଭାରେ ଏବଂ ୧୬ ଓ ୧୭ ତାରିଖ ଦିନ ରାଜ୍ୟସଭାରେ ସମ୍ବିଧାନ ପ୍ରସଙ୍ଗରେ ଏକ ସ୍ୱତନ୍ତ୍ର ଆଲୋଚନା ଅନୁଷ୍ଠିତ
ହେବ ।

ସଂସଦର ଉଭୟ ସଦନର କାର୍ଯ୍ୟ କିଭଳି ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ ହୋଇପାରିବ ସେଥିଲାଗି ସମସ୍ତ ଦଳର ନେତୃବୃନ୍ଦ ସହମତ ହୋଇଛନ୍ତି ବୋଲି ସେ କହିଛନ୍ତି । ଆଜିର ଏହି ବୈଠକରେ କଂଗ୍ରେସର ଗୌରବ ଗୋଗୋଇ, ତୃଣମୂଳ କଂଗ୍ରେସ କଲ୍ୟାଣ ବାନାର୍ଜୀ, ଟି.ଡି.ପି.ର ଲାଭୁ ଶ୍ରୀକ୍ରିଷ୍ଣ ଦେଭା ରାୟାଲୁ, ଡି.ଏମ୍.କେ.ର ଟି.ଆର୍. ବାଲୁ, ଏନ୍.ସି.ପି.ର ସୁପ୍ରିୟା ସୁଲେ, ସମାଜବାଦୀ ପାର୍ଟିରେ ଧର୍ମେନ୍ଦ୍ର ଯାଦବ, ଜେ.ଡି.ୟୁ.ର ଦିଲେଶ୍ୱର କାମାଇତ୍, ଆର୍.ଜେ.ଡି.ର ଅଭୟ କୁଶୱାହା, ଶିବସେନାର ଅରବୀନ୍ଦ ସାୱନ୍ତ ପ୍ରମୁଖ ଯୋଗଦେଇଥିଲେ ।












Click it and Unblock the Notifications