ଡ. ବି.ଆର୍.ଆମ୍ବେଦକରଙ୍କ ଦୃଷ୍ଟିକୋଣକୁ ସଫଳ କରିବା ଉଦ୍ଦେଶ୍ୟରେ ସରକାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି: ପ୍ରଧାନମନ୍ତ୍ରୀ
ସମ୍ବିଧାନ ପ୍ରଣେତା ଡକ୍ଟର ବି.ଆର୍.ଆମ୍ବେଦକରଙ୍କ ପ୍ରତି କେନ୍ଦ୍ର ସରକାର ସମ୍ମାନ ପ୍ରଦର୍ଶନ ପୂର୍ବକ ଗତ ୧୦ ବର୍ଷ ମଧ୍ୟରେ ତାଙ୍କର ଦୃଷ୍ଟିକୋଣକୁ ସଫଳ କରିବା ଉଦ୍ଦେଶ୍ୟରେ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି। ରାଜ୍ୟସଭାରେ ଡକ୍ଟର ଆମ୍ବେଦକରଙ୍କ ସମ୍ପର୍କରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ମନ୍ତବ୍ୟକୁ ନେଇ କଂଗ୍ରେସ ପକ୍ଷରୁ କରାଯାଉଥିବା ହଟ୍ଟଗୋଳ ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଏହା କହିଛନ୍ତି।
ସେ କହିଛନ୍ତି, ସ୍ୱରାଷ୍ଟ୍ର ମନ୍ତ୍ରୀ ଦେଇଥିବା ମନ୍ତବ୍ୟରେ କଂଗ୍ରେସ ଦଳର କଳା ଇତିହାସ ଲୋକଲୋଚନକୁ ଆସିଯିବାରୁ ଏହି ଦଳ ସମ୍ପୂର୍ଣ୍ଣ ବିଚଳିତ ହୋଇପଡ଼ିଛି। ଅନ୍ୟପକ୍ଷରେ ତାଙ୍କ ସରକାର ଡକ୍ଟର ଆମ୍ବେଦକରଙ୍କ ସହିତ ଜଡ଼ିତ ଥିବା ୫ଟି ଆଇକନିକ୍ ସ୍ଥାନ ସମେତ ପଞ୍ଚତୀର୍ଥର ବିକାଶ ଲାଗି ଅନେକ ପଦକ୍ଷେପ ନେଇଛନ୍ତି।

ସେହିଭଳି ଦଶନ୍ଧି ଧରି ବିଚାରାଧୀନ ଥିବା ଚୈତ୍ୟ ଭୂମି ଜମି ସମ୍ପର୍କିତ ମାମଲା ମଧ୍ୟ ତାଙ୍କ ସରକାରଙ୍କ ସମୟରେ ସମାଧାନ ହୋଇପାରିଛି। ଏହାଛଡ଼ା ଡକ୍ଟର ଆମ୍ବେଦକର ତାଙ୍କ ଜୀବନର ଶେଷ ବର୍ଷ ଅତିବାହିତ କରିଥିବା ନୂଆଦିଲ୍ଲୀସ୍ଥିତ ୨୬ ଆଲିପୁର ରୋଡ୍କୁ ମଧ୍ୟ କେନ୍ଦ୍ର ସରକାର ବିକଶିତ କରିଛନ୍ତି ଏବଂ ସେ ଲଣ୍ଡନରେ ରହୁଥିବା ଘରଟିକୁ ମଧ୍ୟ ଇତିମଧ୍ୟରେ ସରକାର ନିଜ ଅଧୀନକୁ ନେଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି।
ଡକ୍ଟର ଆମ୍ବେଦକରଙ୍କର ଜୀବନାଦର୍ଶରେ ଅନୁପ୍ରାଣିତ ହୋଇ ତାଙ୍କ ସରକାର ଦେଶରୁ ୨୫ କୋଟି ଲୋକଙ୍କୁ ଦାରିଦ୍ର୍ୟ ସୀମାରେଖା ଉପରକୁ ଆଣିବା ସହିତ ଅନୁସୂଚିତ ଜାତି ଓ ଜନଜାତି ଆଇନକୁ ସଶକ୍ତ କରିପାରିବା ଭଳି ଅନେକ ଜନକଲ୍ୟାଣକାରୀ କାର୍ଯ୍ୟ କରିଛନ୍ତି ବୋଲି ମୋଦୀ କହିଛନ୍ତି।












Click it and Unblock the Notifications