ସ୍ୱର୍ଣ୍ଣ ମନ୍ଦିରକୁ ଆରଡିଏକ୍ସରେ ଉଡ଼ାଇ ଦେବାକୁ ଧମକ
ଅମୃତସରର ସ୍ୱର୍ଣ୍ଣ ମନ୍ଦିର (ଦରବାର ସାହିବ)ର ଲଙ୍ଗର ହଲକୁ ବୋମା ମାଡ଼ କରିବାକୁ ଧମକପୂର୍ଣ୍ଣ ଇମେଲ୍ ପରେ ଶିରୋମଣି ଗୁରୁଦ୍ୱାର ପ୍ରବନ୍ଧକ କମିଟି (SGPC)ରେ ଆତଙ୍କ ଖେଳିଯାଇଛି। SGPC ଏହି ଧମକ ସମ୍ପର୍କରେ ତୁରନ୍ତ ପୋଲିସରେ ଅଭିଯୋଗ ଦାଖଲ କରିଛି। ଟାସ୍କ ଫୋର୍ସ ନିରନ୍ତର ଯାଞ୍ଚ କରୁଛି। ଯେକୌଣସି ସନ୍ଦିଗ୍ଧ ବ୍ୟକ୍ତି ବା କାର୍ଯ୍ୟକଳାପ ଉପରେ ନଜର ରଖିବା ପାଇଁ ଟାସ୍କ ଫୋର୍ସକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଏସଜିପିସିର ମୁଖ୍ୟ ସଚିବ କୁଲୱନ୍ତ ସିଂହ ମନଣ ଏହା ନିଶ୍ଚିତ କରିଛନ୍ତି।
ସେ କହିଛନ୍ତି , ଥାନା କୋତୱାଲି ଓ ଅମୃତସରର ପୁଲିସ କମିଶନରଙ୍କୁ ମଧ୍ୟ ଏହାର ସୂଚନା ଦିଆଯାଇଛି। ଏସଜିପିସିର ପ୍ରଧାନ ହରଜିନ୍ଦର ସିଂହ ଧାମୀ କହିଛନ୍ତି ଯେ, ଏହି ମାମଲାରେ ଯାଞ୍ଚ କରାଯାଉଛି। ସେ କହିଛନ୍ତି ଯେ, ପ୍ରାରମ୍ଭିକ ଯାଞ୍ଚରେ ଲାଗୁଛି ଯେ , କାହା ପକ୍ଷରୁ ଜାଣିଶୁଣି ଆତଙ୍କ ପ୍ରସାର କରିବାକୁ ଇ-ମେଲ ପଠାଯାଇଛି।

ଧମକକୁ ନଜରରେ ରଖି ଅମୃତସର ପୁଲିସ ଓ ଅନ୍ୟ ସୁରକ୍ଷା ଏଜେନ୍ସିମାନେ ସଂପୂର୍ଣ୍ଣ ଭାବେ ସଂପର୍କ ହୋଇ ଯାଇଛନ୍ତି। ସ୍ୱର୍ଣ୍ଣ ମନ୍ଦିର ଓ ଆଖପାଖ ଅଞ୍ଚଳରେ ସିସିଟିଭିର ନିରୀକ୍ଷଣ ବଢାଇ ଦିଆଯାଇଛି। ଏହା ବ୍ୟତୀତ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ସ୍କାନିଂ ଭଲ ଭାବରେ କରାଯାଉଛି। ଅଧିକାରୀମାନେ ସାଧାରଣ ଲୋକ ଓ ଶ୍ରଦ୍ଧାଳୁଙ୍କୁ ଶାନ୍ତି ବଜାୟ ରଖିବା ସହ ସନ୍ଦିଗ୍ଧ କାର୍ଯ୍ୟକଳାପର ସୂଚନା ତୁରନ୍ତ ଦେବାକୁ ଅପିଲ କରିଛନ୍ତି।
ଉଲ୍ଲେଖନୀୟ ଯେ ,ସ୍ୱର୍ଣ୍ଣ ମନ୍ଦିରର ଆଖାପାଖରେ ପୂର୍ବରୁ ବି ଅନେକ ସନ୍ଦିଗ୍ଧ ବିସ୍ଫୋରଣ ହୋଇ ସାରିଛି। ୬ ମେ ୨୦୨୩ରେ ହେରିଟେଜ ଷ୍ଟ୍ରିଟ୍ରେ ରାତି ୧୧ଟା ୧୫ ସମୟରେ କମ୍ ତୀବ୍ରତାର ଆଇଇଡି ବିସ୍ଫୋରଣ ହୋଇଥିଲା। ହେଲେ ସେତେବେଳେ କୌଣସି ଧନଜୀବନ କ୍ଷୟକ୍ଷତି ହୋଇ ନଥିଲା ,କିନ୍ତୁ ଆତଙ୍କ ଖେଳି ଯାଇଥିଲା।
ଏହାପରେ ୮ ମେ ୨୦୨୩ ସକାଳ ସମୟ ୬ଟା ୩୦ରେ ଆଉ ଏକ ବିସ୍ଫରୋଣ ହୋଇଥିଲା , ଯେଉଁଥିରେ ଜଣେ ବ୍ୟକ୍ତି ଆହତ ହୋଇଥିଲେ ଏବଂ ଦୋକାନ ଗୁ଼ଡ଼ିକ କ୍ଷତିଗ୍ରସ୍ତ ହୋଇଥିଲା। ୧୦ ମେ ୨୦୨୩ରେ ୩ୟ ଧମାକା ହୋଇଥିଲା, ଯେଉଁଥିରେ ଏକ ସନ୍ଦିଗ୍ଧ ବ୍ୟାଗ୍ ଜବତ ହୋଇଥିଲା।












Click it and Unblock the Notifications