ଜମ୍ମୁ ଓ କାଶ୍ମୀର ବିଧାନସଭା ନିର୍ବାଚନ: ୧୩ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଡିପିଏପି
ଶ୍ରୀନଗର : ଆଉ ମାତ୍ର କିଛି ଦିନ ପରେ ଜମ୍ମୁ ଓ କଶ୍ମୀରରେ ହେବ ବିଧାନସଭା ନିର୍ବାଚନ । ୩ଟି ପର୍ଯ୍ୟାୟରେ ହେବ ଜମ୍ମୁ କଶ୍ମୀରର ୯୦ଟି ଆସନରେ ମତଦାନ। ଜମ୍ମୁ କଶ୍ମୀରରେ ସେପ୍ଟମ୍ବର ୧୮ ତାରିଖରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବାକୁ ଥିବାବେଳେ ସେପ୍ଟମ୍ବର ୨୫ରେ ଦ୍ୱିତୀୟ ଓ ଅକ୍ଟୋବର ୧ ତାରିଖରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ହେବ। ଫଳାଫଳ ଅକ୍ଟୋବର ୪ ତାରିଖରେ ପ୍ରକାଶ ପାଇବ। ରାଜନୈତିକ ବୈତରଣୀ ପାର କରିବା ପାଇଁ ଅଙ୍କକଷା ଆରମ୍ଭ କରିଛନ୍ତି ।
ଆଉ ବର୍ତ୍ତମାନ ଗୁଲାମ ନବୀ ଆଜାଦଙ୍କ ନେତୃତ୍ୱାଧୀନ ଡିପିଏପି ଜମ୍ମୁ ଓ କଶ୍ମୀରର ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ୧୩ଟି ଆସନ ପାଇଁ ପ୍ରଥମ ପ୍ରାର୍ଥୀ ତାଲିକା ଜାରି କରିଛି। ମୀର ଅଲତାଫ ହୁସେନଙ୍କୁ ଅନନ୍ତନାଗରୁ ପ୍ରାର୍ଥୀ କରାଯାଇଥିବାବେଳେ ହଜରତବଲରୁ ପୀର ବିଲାଲ ଅହମ୍ମଦଙ୍କୁ ପ୍ରାର୍ଥୀ କରାଯାଇଛି । ଦୋଡା ପୂର୍ବରୁ ଆବ୍ ମାଜିଦ୍ ୱାନିଙ୍କୁ ପ୍ରାର୍ଥୀ କରାଯାଇଥିବାବେଳେ ଖାନାୟରୁ ଅମୀର ଅହମ୍ମଦ ଭଟଙ୍କୁ ପ୍ରାର୍ଥୀ କରାଯାଇଛି ।

ସେହିପରି ଜମ୍ମୁ-କଶ୍ମୀର ବିଧାନସଭା ପାଇଁ ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଯେଉଁଥିରେ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନାମ ଚୂଡ଼ାନ୍ତ ହେବ। ସେହିପରି ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟି (ପିଡିପି) ୩ ଜଣ ପ୍ରାର୍ଥୀ ଙ୍କ ନାମ ଘୋଷଣା କରିସାରିଛି। ପିଡିପି କିସ୍ତୱାରରୁ ପୂର୍ବତନ ଏମଏଲସି ଫିରଦୌସ ଟାକ୍, ଇନ୍ଦ୍ରୱାଲରୁ ଶେଖ ନାସିର ହୁସେନ ଏବଂ ପଦର-ନାଗସେନି ବିଧାନସଭା ଆସନରୁ ଗାସନଦେଶ ମହାଜନଙ୍କୁ ଟିକେଟ ଦେଇଛି।












Click it and Unblock the Notifications