ଆଜି ଓଡିଶା ଆସୁଛନ୍ତି ଗଡ଼କରୀ: ଭେଟି ଦେବେ ୪ ହଜାର କୋଟିର ପ୍ରକଳ୍ପ
କେନ୍ଦ୍ର ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଆଜିଠୁ ଦିନିକିଆ ଓଡ଼ିଶା ଗସ୍ତରେ । ଏହି ଅବସରରେ ସେ ଓଡ଼ିଶାକୁ ୪ହଜାର କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଭେଟିଦେବେ।
ଗୁରୁବାର ଅପରାହ୍ନରେ ବରମୁଣ୍ଡା ପଡ଼ିଆରେ ଆୟୋଜନ ହେବାକୁ ଥିବା କାର୍ଯ୍ୟକ୍ରମରେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଯୋଗ ଦେଇ ୧୯ଟି ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବେ। ଏଥିରେ ୨୯୦୫କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ୧୩ଟି ଜାତୀୟ ରାଜପଥ, ୪୨୭କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ୪ଟି ସିଆର୍ଆଇଏଫ୍ ବ୍ରିଜ୍ର ଶିଳାନ୍ୟାସ ହେବାକୁ ଥିବାବେଳେ ୮୪୧ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ୨ଟି ଜାତୀୟ ରାଜପଥକୁ ଶ୍ରୀ ଗଡ଼କରୀ ଉଦ୍ଘାଟନ କରିବେ ବୋଲି ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି।

ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦ୍ର ମନ୍ତ୍ରୀଙ୍କୁ ଚିଠି ଲେଖି ଭୁବନେଶ୍ୱରରୁ ପୁରୀ, ମେରାଇନ୍ ଡ୍ରାଇଭ ରୋଡ୍, ପୁରୀରୁ ସାତପଡ଼ା ରାସ୍ତାର ପ୍ରଶସ୍ତୀକରଣ ସହ କେତେକ ୪ଥାକିଆ ରାସ୍ତାକୁ ୬ଥାକିଆ କରିବାକୁ ପୂର୍ବରୁ ଦିଆଯାଇଥିବା ପ୍ରସ୍ତାବ ସମ୍ପର୍କରେ କେନ୍ଦ୍ର ମନ୍ତ୍ରୀଙ୍କୁ ପୁଣି ଅବଗତ କରାଇଛନ୍ତି। ସେହିପରି ଉପକୂଳ ରାଜପଥ ପାଇଁ ଏବେ ଆର୍ଥିକ ଅନୁମତି ମିଳିଛି। କିନ୍ତୁ ପ୍ରାଶାସନିକ ଅନୁମତି ମିଳି ନ ଥିବାରୁ ଟେଣ୍ଡର ବିଳମ୍ବ ହେଉଛି। ଉପକୂଳ ରାଜପଥ, କ୍ୟାପିଟାଲ୍ ରିଜନ୍ ରିଙ୍ଗ୍ ରୋଡ୍ ଭଳି ପ୍ରମୁଖ ରାସ୍ତାର କାମ ଖୁବ୍ ଶୀଘ୍ର ଆରମ୍ଭ ହେବ ବୋଲି ଶ୍ରୀ ହରିଚନ୍ଦନ ସୂଚନା ଦେଇଛନ୍ତି।
ଅପରପକ୍ଷେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ବରମୁଣ୍ଡା ପଡ଼ିଆରେ ହେବାକୁ ଥିବା ସଭାରେ ଯୋଗ ଦେବା ପୂର୍ବରୁ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ସହ ଓଡ଼ିଶାର ବିଭିନ୍ନ ପ୍ରକଳ୍ପ ନେଇ ଆଲୋଚନା କରିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି। ଆସନ୍ତାକାଲିର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଦୁଇ ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂହଦେଓ, ପ୍ରଭାତୀ ପରିଡ଼ା, ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସମେତ ମନ୍ତ୍ରିମଣ୍ଡଳର ସଦସ୍ୟମାନେ ଏବଂ ବିଧାୟକମାନେ ଯୋଗଦେବେ ବୋଲି ଜଣାପଡ଼ିଛି।












Click it and Unblock the Notifications