ଫ୍ରାନ୍ସ-ଭାରତ ମଧ୍ୟରେ ଚୂଡ଼ାନ୍ତ ହେଲା ବିଭିନ୍ନ କ୍ଷେତ୍ରରେ ୧୦ଟି ନୀତିଗତ ନିଷ୍ପତ୍ତି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ୍ ଭାରତ-ଫ୍ରାନ୍ସ ରଣନୈତିକ ଭାଗିଦାରୀର ସମସ୍ତ ଦିଗ ଉପରେ ଆଲୋଚନା କରିବା ସହ ପ୍ରତିରକ୍ଷା, ବେସାମରିକ ପରମାଣୁ ଶକ୍ତି ଏବଂ ମହାକାଶ ଭଳି ରଣନୈତିକ କ୍ଷେତ୍ରରେ ସହଯୋଗର ସମୀକ୍ଷା କରିଛନ୍ତି। ଗତକାଲି ଦ୍ୱିପାକ୍ଷିକ ଆଲୋଚନା ବେଳେ ଉଭୟ ନେତା ଭାରତ-ଫ୍ରାନ୍ସ ରଣନୈତିକ ଭାଗିଦାରୀ ପ୍ରତି ନିଜର ଦୃଢ଼ ପ୍ରତିବଦ୍ଧତାକୁ ଦୋହରାଇଥିଲେ।
ଦୁଇ ନେତାଙ୍କ ବ୍ୟକ୍ତିଗତ ସମ୍ପର୍କକୁ ପ୍ରତିଫଳିତ କରି ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରାଷ୍ଟ୍ରପତି ମାକ୍ରୋନ୍ ଗତକାଲି ଫ୍ରାନ୍ସ ରାଷ୍ଟ୍ରପତି ବିମାନରେ ପ୍ୟାରିସରୁ ମାର୍ସେଲି ଅଭିମୁଖେ ଏକାଠି ଯାତ୍ରା କରିଥିଲେ। ଦ୍ୱିପାକ୍ଷିକ ସମ୍ପର୍କର ସମ୍ପୂର୍ଣ୍ଣ ଦିଗ ଏବଂ ଗୁରୁତ୍ୱପୂର୍ଣ୍ଣ ବୈଶ୍ୱିକ ଏବଂ ଆଞ୍ଚଳିକ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ । ଏହାପରେ ମାର୍ସେଲିରେ ପହଞ୍ଚିବା ପରେ ପ୍ରତିନିଧି ସ୍ତରୀୟ ଆଲୋଚନା ହୋଇଥିଲା। ପ୍ରଯୁକ୍ତି ବିଦ୍ୟା ଏବଂ ଉଦ୍ଭାବନ କ୍ଷେତ୍ରରେ ସହଯୋଗକୁ ସୁଦୃଢ଼ କରିବା ଉପରେ ମଧ୍ୟ ଉଭୟ ନେତା ଆଲୋଚନା କରିଥିଲେ ।
ନିକଟରେ ଶେଷ ହୋଇଥିବା 'ଏଆଇ ଆକ୍ସନ ଶିଖର ସମ୍ମିଳନୀ ଏବଂ ୨୦୨୬ରେ ହେବାକୁ ଥିବା ଭାରତ-ଫ୍ରାନ୍ସ ନବସୃଜନ ବର୍ଷ ପରିପ୍ରେକ୍ଷୀରେ ଏହି ଭାଗିଦାରୀ କ୍ଷେତ୍ର ଅଧିକ ଗୁରୁତ୍ୱ ବହନ କରୁଛି । ନେତାମାନେ ବାଣିଜ୍ୟ ଓ ନିବେଶ ସମ୍ପର୍କ ବୃଦ୍ଧି ପାଇଁ ଆହ୍ୱାନ ଦେବା ସହ ୧୪ତମ ଭାରତ-ଫ୍ରାନ୍ସ ସିଇଓ ଫୋରମର ରିପୋର୍ଟକୁ ସ୍ୱାଗତ କରିଛନ୍ତି। ସ୍ୱାସ୍ଥ୍ୟ, ସଂସ୍କୃତି, ପର୍ଯ୍ୟଟନ, ଶିକ୍ଷା ଏବଂ ଲୋକ ସମ୍ପର୍କ କ୍ଷେତ୍ରରେ ସହଯୋଗକୁ ନେଇ ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତି ମାକ୍ରୋନ୍ ସନ୍ତୋଷ ବ୍ୟକ୍ତ କରିଛନ୍ତି ।

ଉଭୟ ନେତା ଭାରତ-ପ୍ରଶାନ୍ତ ମହାସାଗରୀୟ ତଥା ଆନ୍ତର୍ଜାତିକ ସ୍ତରରେ ସମ୍ପର୍କକୁ ସୁଦୃଢ଼ କରିବାକୁ ପ୍ରତିଶ୍ରୁତିବଦ୍ଧ ହୋଇଛନ୍ତି। ଆଲୋଚନା ପରେ ଭାରତ-ଫ୍ରାନ୍ସ ସମ୍ପର୍କର ଅଗ୍ରଗତି ନେଇ ଏକ ମିଳିତ ବିବୃତି ଗୃହୀତ ହୋଇଛି ବୋଲି ଆମ ସମ୍ୱାଦଦାତା ସୂଚନା ଦେଇଛନ୍ତି। ପ୍ରଯୁକ୍ତି ବିଦ୍ୟା ଏବଂ ଉଦ୍ଭାବନ, ବେସାମରିକ ପରମାଣୁ ଶକ୍ତି, ତ୍ରିକୋଣୀୟ ସହଯୋଗ, ପରିବେଶ, ସଂସ୍କୃତି ଏବଂ ଲୋକ ସମ୍ପର୍କ କ୍ଷେତ୍ରରେ ୧୦ଟି ନୀତିଗତ ନିଷ୍ପତ୍ତି ଗ୍ରହଣ କରାଯାଇଛି।












Click it and Unblock the Notifications