ହେମନ୍ତ ସୋରେନଙ୍କୁ ଆଶ୍ୱସ୍ତି ; ହାଇକୋର୍ଟରୁ ମିଳିଲା ଜାମିନ
ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଏମଏମ ନେତା ହେମନ୍ତ ସୋରେନ ଶୁକ୍ରବାର ହାଇକୋର୍ଟରୁ ଏକ ବଡ଼ ଆଶ୍ୱସ୍ତି ପାଇଛନ୍ତି। ଜମି ଦୁର୍ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ ଝାଡଖଣ୍ଡ ହାଇକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି। କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି ଇଡି ଜାନୁଆରୀ ୩୧ରେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ନେତା ସୋରେନଙ୍କୁ ଗିରଫ କରିଥିଲା।

ତା'ପରେ ସେ ଇଡି ହେପାଜତରେ ଥିବାବେଳେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଏବଂ ଏହାର ଦାୟିତ୍ୱ ତାଙ୍କର ଘନିଷ୍ଠ ସହଯୋଗୀ ଚମ୍ପଇ ସୋରେନଙ୍କୁ ଦେଇଥିଲେ। ବର୍ତ୍ତମାନ, ଝାଡଖଣ୍ଡରେ ବିଧାନସଭା ନିର୍ବାଚନ ପୂର୍ବରୁ ହେମନ୍ତ ସୋରେନଙ୍କୁ ଜାମିନ ମିଳିବା ଦଳ ପାଇଁ ଏକ ବଡ଼ ଆଶ୍ୱସ୍ତିକର ଖବର।
ଜାନୁଆରୀ ୩୧ରେ ଅର୍ଥ ହେରଫେର ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ଗିରଫ କରିଥିଲା। ପୂର୍ବରୁ ୯ ଥର ସମନ ପଠାଇବା ପରେ ଶେଷରେ ଦିଲ୍ଲୀ ସ୍ଥିତ ତାଙ୍କ ବାସଭବନରୁ ଗିରଫ କରିଥିଲା ଇଡି। ଏହାପୂର୍ବରୁ ସୋରେନ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଇସ୍ତଫା ଦେବାର କିଛି ସମୟ ମଧ୍ୟରେ ଇଡି ତାଙ୍କୁ ଗିରଫ କରିଥିଲା।
ସେବେଠାରୁ ଏହି ମାମଲା ବିଭିନ୍ନ କୋର୍ଟ ସମେତ ସୁପ୍ରିମକୋର୍ଟରେ ପହଞ୍ଚି ଥିବାବେଳେ ଆଜି ହାଇକୋର୍ଟ ତାଙ୍କୁ ଜାମିନ ଦେଇଛନ୍ତି।
କୋର୍ଟରେ ଯୁକ୍ତି ବାଢିବା ସମୟରେ, ସୋରେନ୍ ରାଞ୍ଚିରେ ବେଆଇନ ଭାବେ ୮.୮୬ ଏକର ଜମି ହଡ଼ପ କରିଥିବା ଅଭିଯୋଗ କରିଥିଲା ଇଡି। ସେ ଜମି ଜାଲିଆତି ପାଇଁ ତାଙ୍କ ପଦବୀର ଦୂରୁପୋଯଗ କରିଥିବା ଅଭିଯୋଗ ଇଡି କହିଥିଲା।
ଇଡି ଅଭିଯୋଗକୁ ଖଣ୍ଡନ କରି, ସୋରେନଙ୍କ ଗିରଫଦାରୀ ରାଜନୈତିକ ଉଦ୍ଦେଶ ପ୍ରଣୋଦିତ ଓ ମିଥ୍ୟା ମାମଲାରେ କରାଯାଇଛି ବୋଲି ହେମନ୍ତ ସୋରେନଙ୍କ ଓକିଲ କହିଥିଲେ। ଉଭୟ ପକ୍ଷଙ୍କୁ ଶୁଣିବା ପରେ ହାଇକୋର୍ଟ ସୋରେନଙ୍କୁ ବେଲ୍ ପ୍ରଦାନ କରିଛନ୍ତି।












Click it and Unblock the Notifications