ମୁହଁ ଖୋଲିଲେ ପୂର୍ବତନ ସେନାମୁଖ୍ୟ; କହିଲେ ପୁସ୍ତକ ପ୍ରକାଶ ପାଇ ନାହିଁ କି ଏହାର କୌଣସି ନକଲ ବଜାରକୁ ଛଡାଯାଇ ନାହିଁ
ନିଜର ଅପ୍ରକାଶିତ ଆତ୍ମଜୀବନୀ ପୁସ୍ତକ 'ଫୋର ଷ୍ଟାର୍ସ ଅଫ୍ ଡେଷ୍ଟିନି'କୁ ନେଇ ବିବାଦ ସୃଷ୍ଟି ହେବା ପରେ ପୂର୍ବତନ ସେନାମୁଖ୍ୟ ନେରାଲ ଏମ୍ଏମ ନରବଣେ ମଙ୍ଗଳବାର ମୁହଁ ଖୋଲିଛନ୍ତି। ଜେନେରାଲ ନରବଣେ ପେଙ୍ଗୁଇନ୍ ୠାଣ୍ଡମ ହାଉସ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ ଏକ ପୋଷ୍ଟକୁ ସେୟାର କରି କହିଛନ୍ତି ଯେ ଏହି ପୁସ୍ତକ ପ୍ରକାଶ ପାଇ ନାହିଁ କି ଏହାର କୌଣସି ନକଲ ବଜାରକୁ ଛଡାଯାଇ ନାହିଁ। ସୋମବାର ପୁସ୍ତକର ପ୍ରକାଶନ ଦାୟିତ୍ବ ନେଇଥିବା ପେଙ୍ଗୁଇନ୍ ୠାଣ୍ଡମ ହାଉସ ଇଣ୍ଡିଆ କହିଥିଲା ଯେ ଏହା ପୁସ୍ତକ ପ୍ରକାଶର ସମ୍ପୂର୍ଣ୍ଣ ଅଧିକାର ହାସଲ କରିଛି। ମାତ୍ର ପୁସ୍ତକକୁ ଏପର୍ଯ୍ୟନ୍ତ ପ୍ରକାଶନ ପାଇଁ ପଠାଯାଇ ନାହିଁ। ସମସ୍ତ ଲେଖା ଏବେ ପାଣ୍ଡୁଲିପି ଆକାରରେ ରହିଛି।

ଏହାର କୌଣସି ଛାପା ପୁସ୍ତକ ଉପଲବ୍ଧ ନାହିଁ। ଏପରି କି ଏହି ପୁସ୍ତକର ଡିଜିଟାଲ ଆକାରରେ ମଧ୍ୟ ଉପଲବ୍ଧ ନାହିଁ। ବଜାରରେ ଏହି ପୁସ୍ତକ ବା ପୁସ୍ତକର କିଛି ଅଂଶ ପ୍ରସାରଣ କରାଯିବା ଉପରେ କପିରାଇଟ୍ ଉଲ୍ଲଙ୍ଘନ ମାମଲା ରୁଜୁ କରାଯିବ ବୋଲି ପେଙ୍ଗୁଇନ ହାଉସ୍ ପକ୍ଷରୁ କୁହାଯାଇଛି। ସଂସଦର ବଜେଟ ଅଧିବେଶନ ଚାଲିଥିବାବେଳେ ରାହୁଲ ଗାନ୍ଧୀ ଉକ୍ତ ଆତ୍ମଜୀବନୀର ପ୍ରଚ୍ଛଦ ପୃଷ୍ଠାକୁ ଲୋକସଭାରେ ସାର୍ବଜନୀନ କରିବା ସହ ସରକାର ଏହି ପ୍ରସଙ୍ଗରେ ଆଲୋଚନା କରନ୍ତୁ ବୋଲି ଦାବି କରିଥିଲେ।
ରାହୁଲଙ୍କ ଏହି ପ୍ରସଙ୍ଗ ଉଠାଇବା ପରେ ସଂସଦ ଏକ ପ୍ରକାର ଅଚଳାବସ୍ଥା ମଧ୍ୟରେ ରହିଛି। ଅପ୍ରକାଶିତ ପୁସ୍ତକର ନକଲ କିପରି ସର୍ବସାଧାରଣରେ ଉପଲବ୍ଧ ହେଲା ତା' ଉପରେ ତଦନ୍ତ କରିବା ଲାଗି ଦିଲ୍ଲୀ ପୁଲିସ ମାମଲା ରୁଜୁ କରିଛି। ସୋମବାର ଦିଲ୍ଲୀ ପୁଲିସ ଏହି ପ୍ରସଙ୍ଗରେ କେତେକ ଅଜଣା ବ୍ୟକ୍ତିଙ୍କ ନାମରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।












Click it and Unblock the Notifications