ଆଣ୍ଟି-ରେଡିଏସନ୍ ମିଜାଇଲ୍ ରୁଦ୍ର ମାର୍କ-ଟୁ ବା ରୁଦ୍ରମ୍-ଟୁର ପରୀକ୍ଷଣ; ଶତ୍ରୁର ରାଡାରକୁ ଉଡାଇବ
ଓଡ଼ିଶା ତଟରେ ସଫଳ ହେଲା ଆଣ୍ଟି-ରେଡିଏସନ୍ ମିଜାଇଲ୍ ରୁଦ୍ର ମାର୍କ-ଟୁ ବା ରୁଦ୍ରମ୍-ଟୁର ପରୀକ୍ଷଣ । DRDO ଆଜି ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟାରେ ଭାରତୀୟ ବାୟୁସେନାର ଏସ୍ୟୁ-୩୦ ଏମକେ-୧ ପ୍ଲାଟଫର୍ମରୁ ଆକାଶରୁ ଭୂପୃଷ୍ଠଗାମୀ କ୍ଷେପଣାସ୍ତ୍ର ରୁଦ୍ରମ-୨ର ସଫଳ ପରୀକ୍ଷଣ କରିଛି ।
ବାୟୁସେନାର ଲଢ଼ୁଆ ବିମାନ ସୁଖୋଇ-30 MKIରୁ ପରୀକ୍ଷଣ କରାଯାଇଛି। ଚାନ୍ଦିପୁର ITR ରୁ ଏହାର ପ୍ରପଲ୍ସନ ସିଷ୍ଟମ, କଣ୍ଟ୍ରୋଲ ଓ ଗାଇଡାନ୍ସ ଆଲଗରିଦିମ୍ ଆଦି ପରୀକ୍ଷା କରାଯାଇଛି । ଆଣ୍ଟି ରେଡିଏସନ ମିଜାଇଲ୍ ଶତ୍ରୁପକ୍ଷର ରାଡାର୍, ଜାମର୍ ଓ ରେଡିଓ ସିଷ୍ଟମ ଆଦିକୁ ଚିହ୍ନଟ କରି ଧ୍ୱଂସ କରିଥାଏ ଓ ଯୋଗାଯୋଗ କ୍ଷମତାକୁ ନଷ୍ଟ କରିଥାଏ ।
ରୁଦ୍ରମ୍ -୨ ହେଉଛି ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏକ କଠିନ ଚାଳିତ କ୍ଷେପଣାସ୍ତ୍ର ପ୍ରଣାଳୀ ଯାହା ଅନେକ ପ୍ରକାର ଶତ୍ରୁ ସମ୍ପତ୍ତିକୁ ନିଷ୍କ୍ରିୟ କରିବା ପାଇଁ ଆକାଶରୁ ଭୂପୃଷ୍ଠକୁ କ୍ଷେପଣ ପାଇଁ ଉଦ୍ଦିଷ୍ଟ । DRDO ର ବିଭିନ୍ନ ପରୀକ୍ଷାଗାର ଦ୍ୱାରା ବିକଶିତ ଅନେକ ଅତ୍ୟାଧୁନିକ ସ୍ୱଦେଶୀ ଜ୍ଞାନକୌଶଳକୁ ଏହି କ୍ଷେପଣାସ୍ତ୍ର ପ୍ରଣାଳୀରେ ଅନ୍ତର୍ଭୁକ୍ତ କରାଯାଇଛି ।

ଭାରତର ପ୍ରଥମ ସ୍ୱଦେଶୀ ଆଣ୍ଟି ରେଡିଏସନ୍ ମିଜାଇଲ୍ ରୁଦ୍ରମ୍-ୱାନ୍ ୨୦୨୦ରେ ପରୀକ୍ଷଣ ହୋଇଥିବା ବେଳେ, ୪ ବର୍ଷ ପରେ ଏହାର ଉନ୍ନତ ଭର୍ସନ ରୁଦ୍ରମ୍-ଟୁ ପରୀକ୍ଷଣ ହୋଇଛି । ଏବେ ଭାରତୀୟ ସେନା ବ୍ୟବହାର କରୁଥିବା ରୁଷର ଆଣ୍ଟି ରେଡିଏସନ୍ ମିଜାଇଲ୍ କେଏଚ୍-୩୧ର ସ୍ଥାନ ନେବ ରୁଦ୍ରମ୍-ଟୁ ।
ପ୍ରତିରକ୍ଷା ଗବେଷଣା ଓ ଉନ୍ନୟନ ବିଭାଗର ସଚିବ ତଥା ଡିଆରଡିଓ ଅଧ୍ୟକ୍ଷ ଡ. ସମୀର ଭି କାମାତ ସଫଳ ଉଡ଼ାଣ ପରୀକ୍ଷଣରେ ଡିଆରଡିଓ ଗୋଷ୍ଠୀର ଅକ୍ଳାନ୍ତ ଉଦ୍ୟମ ଓ ଅବଦାନକୁ ପ୍ରଶଂସା କରିଛନ୍ତି।












Click it and Unblock the Notifications