ମହାକୁମ୍ଭ ପାଇଁ ପ୍ରୟାଗରାଜକୁ ଆକାଶ ଛୁଆ ବଢିଲା ବିମାନ ଭଡ଼ା, ଡିଜିସିଏ ଡକାଇଲା ଗୁରୁତ୍ବପୂର୍ଣ୍ଣ ବୈଠକ
ଉତ୍ତରପ୍ରଦେଶ ପ୍ରୟାଗରାଜ ମହାକୁମ୍ଭରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି । ବର୍ତ୍ତମାନସୁଦ୍ଧା ମହାକୁମ୍ଭରେ ୧୧ କୋଟିରୁ ଅଧିକରୁ ଅଧିକ ଶ୍ରଦ୍ଧାଳୁ ବୁଡ଼ ପକାଇଛନ୍ତି । କେବଳ ଦେଶ ନୁହେଁ ବରଂ ବିଦେଶରୁ ପବିତ୍ର ସ୍ନାନ କରିବା ପାଇଁ ପହଞ୍ଚୁଛନ୍ତି । ମହାକୁମ୍ଭ ପାଇଁ ଲୋକଙ୍କ ଭିଡ଼ ଦେଖି ବିମାନ ଭଡ଼ା ଅଚାନକ ଆକାଶ ଛୁଆଁ ହୋଇଛି ।
ଦିଲ୍ଲୀ କିମ୍ବା ମୁମ୍ବାଇରୁ ପ୍ରୟାଗରାଜ ପାଇଁ ଯିବାକୁ ଥିବା ବିମାନ ଭଡ଼ା ୫୦-୬୦ ହଜାର ହୋଇଛି । ଏହି ଦାମ ବିଦେଶ ଭ୍ରମଣ ଠାରୁ କମ୍ ନୁହେଁ । ଭଡ଼ା ଆକାଶଛୁଆଁ ହେବା ପରେ ଏୟାରଲାଇନ୍ସ ମାନଙ୍କ ସହ ଗୁରୁତ୍ବପୂର୍ଣ୍ଣ ବୈଠକ ଡକାଇଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ସଚିବ । ଆସନ୍ତା ୨୯ରେ ଅମୃତ ସ୍ନାନ ଥିବା ବେଳେ ପ୍ରୟାଗରାଜ ଯିବା ପାଇଁ ବିମାନ ଯାତ୍ରୀଙ୍କ ସଂଖ୍ୟା ଅଧିକ ହେଉଥିବାରୁ ଅଚାନକ ବିଭିନ୍ନ ଏୟାର ଲାଇନ୍ସ ପକ୍ଷରୁ ଯାତ୍ରୀ ଭଡା ବହୁ ଗୁଣା ବଢ଼ାଇ ଦିଆଯାଇଛି ।
ମହାକୁମ୍ଭ ମେଳାରେ ପବିତ୍ର ସ୍ନାନ କରିବା ଦିନ ବିମାନ ଟିକେଟ ଦାମ ସବୁଠାରୁ ଅଧିକ ବଢିଛି । ଚେନ୍ନାଇରୁ ପ୍ରୟାଗରାଜ ଟିକେଟ୍ ଦାମ ୫୩,୦୦୦ ହୋଇଥିବା ବେଳେ ହାଇଦ୍ରାବାଦ, ମୁମ୍ବାଇ, ଦିଲ୍ଲୀରୁ ୪୭,୫୦୦ ଟଙ୍କା ଓ ବେଙ୍ଗାଲୁରୁରୁ ପ୍ରୟାଗରାଜକୁ ବିମାନ ଭଡ଼ା ୫୧,୦୦୦ ଟଙ୍କା ରଖିଛନ୍ତି ବିଭିନ୍ନ ଏୟାର ଲାଇନ୍ସ । ପ୍ରୟାଗରାଜକୁ ପ୍ରାୟ ସମସ୍ତ ଟିକେଟ ବୁକ ହୋଇଯାଇଥିବା ବେଳେ ବଳକା ଥିବା ଟିକେଟ ଦର ଆକାଶ ଛୁଆଁ ହୋଇଛି । ଭୁବନେଶ୍ବରରୁ ପ୍ରୟାଗରାଜକୁ ବିମାନ ଭଡ଼ା ୪୧,୫୦୦ ଟଙ୍କା ରହିଛି ।

ବିମାନ ଯାତ୍ରୀଙ୍କ ଚାହିଦାକୁ ଦେଖି ଚଳିତ ମାସରେ ଦେଶର ବିଭିନ୍ନ ସ୍ଥାନରୁ ପ୍ରୟାଗରାଜକୁ ୮୧ଟି ଅଧିକ ବିମାନ ଚଳାଚଳ ପାଇଁ ଅନୁମତି ଦେଇଥିଲେ ଡିଜିସିଏ । ଏବେ ଦିନକକୁ ପ୍ରୟାଗରାଜକୁ ୧୩୨ଟି ବିମାନ ଚଳାଚଳ କରୁଛି । ତଥାପି ଯାତ୍ରୀଙ୍କ ଚାହିଦା ଅଧିକ ଥିବାକୁ ଏୟାରଲାଇନ୍ସ କମ୍ପାନୀମାନେ ଭଡ଼ା ଅହେତୁକ ଭାବେ ବଢ଼ାଇଛନ୍ତି । ଆସନ୍ତା ୨୯ରେ ଅମୃତ ସ୍ନାନ, ଫେବ୍ରୁଆରୀ ୨ରେ ବସନ୍ତ ପଞ୍ଚମୀ, ଫେବ୍ରୁଆରୀ ୧୨ରେ ମାଘ ପୂର୍ଣ୍ଣିମା ଓ ଫେବ୍ରୁଆରୀ ୨୬ରେ ମହାଶିବରାତ୍ରୀ ପଡ଼ୁଥିବାରୁ ପ୍ରୟାଗରାଜରେ ଭକ୍ତଙ୍କ ଭିଡ଼ ବଢ଼ିବ। ୧୩ ଜାନୁଆରୀରୁ ଆରମ୍ଭ ହୋଇଥିବା ମହାକୁମ୍ଭ ମେଳା ଆସନ୍ତା ୪୫ ଦିନ ଯାଏଁ ଚାଲିବ ।












Click it and Unblock the Notifications