ହର୍ମୁଜ୍ ପ୍ରଣାଳୀ ପାର ହୋଇ ମୁମ୍ବାଇ ପହଞ୍ଚିଲା ପ୍ରଥମ ଭାରତୀୟ ତୈଳ ଟ୍ୟାଙ୍କର୍
ଆଜି ୧୨ ଦିନରେ ପହଞ୍ଚିଛି ମଧ୍ୟପ୍ରାଚ୍ୟ ଯୁଦ୍ଧ। ଏହାରି ମଧ୍ୟରେ ଭାରତ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି। ସାଉଦି ଆରବରୁ ଏକ ଅଶୋଧିତ ତୈଳ ଜାହାଜ ସୁରକ୍ଷିତ ଭାବରେ ମୁମ୍ବାଇରେ ପହଞ୍ଚିଛି। ଏହା ବିପଜ୍ଜନକ ହରମୁଜ୍ ପ୍ରଣାଳୀ ଦେଇ ଯାଇଛି। ଯୁଦ୍ଧ ଯୋଗୁଁ ଭାରତକୁ ଅଶୋଧିତ ତୈଳ ଯୋଗାଣର ଅଭାବ ବିଷୟରେ ଆଲୋଚନା ହୋଇଥିଲା। ଏହି ସମୟରେ, ଏହାକୁ ଏକ ବଡ଼ ଆଶ୍ୱସ୍ତି ବୋଲି ବିବେଚନା କରାଯାଉଛି। ରିପୋର୍ଟ ଅନୁଯାୟୀ ତୈଳ ଟ୍ୟାଙ୍କର୍ ସେନଲଙ୍ଗ (ସୁଏଜମାକ୍ସ) ପ୍ରାୟ ୧୩୫, ୩୩୫ ମେଟ୍ରିକ୍ ଟନ୍ ଅଶୋଧିତ ତୈଳ ନେଇ ସାଉଦି ଆରବରୁ ପ୍ରସ୍ଥାନ କରିଥିଲା।
ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଓ ତାଙ୍କ ଇରାନ ପ୍ରତିପକ୍ଷ ଅବ୍ବାସ ଆରାଘଚିଙ୍କ ମଧ୍ୟରେ ଆଲୋଚନା ପରେ ଇରାନ ଭାରତୀୟ ତୈଳ ଟ୍ୟାଙ୍କରଗୁଡ଼ିକୁ ହର୍ମୁଜ୍ ଷ୍ଟ୍ରେଟ୍ ଅତିକ୍ରମ କରିବାକୁ ଅନୁମତି ଦେବା ପରେ ଏହି ଜାହାଜ ପହଞ୍ଚିଛି ବୋଲି ସୂତ୍ରରୁ ଜଣାପଡ଼ିଛି। ସମ୍ବେଦନଶୀଳ କରିଡରରେ ଯାତ୍ରା କରିବା ପୂର୍ବରୁ ଲାଇବେରିଆର ପତାକା ଥିବା ଟ୍ୟାଙ୍କର୍ ମାର୍ଚ୍ଚ ୧ରେ ରାସ୍ ତନୁରା ଛାଡିଥିଲା।

ହର୍ମୁଜ୍ ପ୍ରଣାଳୀ ହେଉଛି ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ଚୋକ୍ପଏଣ୍ଟ ମଧ୍ୟରୁ ଗୋଟିଏ, ଯାହା ବିଶ୍ୱ ଅଶୋଧିତ ତୈଳ ଓ ପ୍ରାକୃତିକ ଗ୍ୟାସ ପରିବହନର ଏକ ଗୁରୁତ୍ୱପୂର୍ଣ୍ଣ ମାର୍ଗ। ଫେବ୍ରୁଆରି ୨୮ରେ ତେହେରାନ ବିରୋଧରେ ଆମେରିକା-ଇସ୍ରାଏଲ ସାମରିକ ଅଭିଯାନ ଆରମ୍ଭ ହେବା ପରଠାରୁ ଇରାନ ହର୍ମୁଜ୍ ପ୍ରଣାଳୀ ଉପରେ ନିୟନ୍ତ୍ରଣ କଡ଼ାକଡ଼ି କରିବା ସହ ଅନେକ ଜାହାଜ ଉପରେ ଆକ୍ରମଣ କରିଛି, ଯାହା ବିଶ୍ୱ ତୈଳ ଯୋଗାଣରେ ସମ୍ଭାବ୍ୟ ବ୍ୟାଘାତ ବିଷୟରେ ଚିନ୍ତା ବଢାଇଛି। ଏହି ମାର୍ଗ ବନ୍ଦ ହେବା ପରେ ବିଶ୍ୱର ତୃତୀୟ ବୃହତ୍ତମ ତୈଳ ଉପଭୋକ୍ତା ଭାରତକୁ ରୁଷ୍ରୁ ଅଶୋଧିତ ତୈଳ କ୍ରୟ ବୃଦ୍ଧି ସମେତ ବିକଳ୍ପ ଅନୁସନ୍ଧାନ କରିବାକୁ ବାଧ୍ୟ କରିଛି।
ଅନ୍ୟପକ୍ଷରେ ବୁଧବାର ଜାହାଜ ଚଳାଚଳ ମନ୍ତ୍ରାଳୟ କହିଛି ଯେ, ପାରସ୍ୟ ଉପସାଗରୀୟ ଅଞ୍ଚଳରେ ବର୍ତ୍ତମାନ ୨୮ଟି ଭାରତୀୟ ପତାକା ଥିବା ଜାହାଜ ଚଳାଚଳ କରୁଛି। ଏଥିମଧ୍ୟରୁ ୬୭୭ ଜଣ ଭାରତୀୟ ନାବିକଙ୍କୁ ନେଇ ୨୪ଟି ଜାହାଜ ହର୍ମୁଜ୍ ପ୍ରଣାଳୀର ପଶ୍ଚିମରେ ଅବସ୍ଥିତ ଥିବାବେଳେ ୧୦୧ ଜଣ ଭାରତୀୟ ନାବିକଙ୍କୁ ନେଇ ଚାରିଟି ଜାହାଜ ଏହାର ପୂର୍ବରେ ଅବସ୍ଥିତ। ମନ୍ତ୍ରଣାଳୟ କହିଛି ଯେ, ଭାରତୀୟ ଜାହାଜ ଓ ନାବିକମାନଙ୍କ ସୁରକ୍ଷା ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। ବିକାଶ ଉପରେ ନଜର ରଖିବା ଏବଂ ସହାୟତା ସମନ୍ୱୟ କରିବା ପାଇଁ ଫେବ୍ରୁଆରି ୨୮ ତାରିଖରୁ ମନ୍ତ୍ରଣାଳୟ ଓ ଜାହାଜ ଚଳାଚଳ ମହାନିର୍ଦ୍ଦେଶାଳୟରେ ୨୪ ଘଣ୍ଟିଆ କଣ୍ଟ୍ରୋଲ୍ ରୁମ୍ କାର୍ଯ୍ୟକ୍ଷମ ରହିଛି।












Click it and Unblock the Notifications