ଭାରତୀୟ ସେନା ଉପରେ ବିବାଦୀୟ ବୟାନ ଦେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ, କହିଲେ ସେନା-ଆତଙ୍କବାଦୀଙ୍କ ମଧ୍ୟରେ.....
ଶ୍ରୀନଗର : ଭାରତୀୟ ସେନା ଉପରେ ବିବାଦୀୟ ପ୍ରତିକ୍ରିୟା ଦେଲେ ନ୍ୟାସନାଲ କନଫରେନ୍ସ (ଏନସି) ନେତା ଫାରୁକ ଅବଦୁଲ୍ଲା । ସେ କହିଛନ୍ତି ଯେ ଭାରତୀୟ ସେନା ଯବାନ ଓ ଆତଙ୍କବାଦୀଙ୍କ ମଧ୍ୟରେ ଭିତିରିଆ ସଂପର୍କ ରହିଛି । ସୀମାରେ ବ୍ୟାପକ ମୁତୟନ ସତ୍ତ୍ୱେ ଆତଙ୍କବାଦୀମାନେ କିପରି ଅନୁପ୍ରବେଶ କରିବାରେ ସକ୍ଷମ ହେଲେ ବୋଲି ଅବଦୁଲ୍ଲା ପ୍ରଶ୍ନ କରିଛନ୍ତି।
ଫାରୁକ୍ ଅବଦୁଲ୍ଲା ଆହୁରି କହିଛନ୍ତି ଯେ ସେନା ଶତ୍ରୁଙ୍କ ସହ ହାତମିଳାଇଛି। ସେଥିପାଇଁ ବ୍ୟାପକ ମୁତୟନ ସତ୍ତ୍ୱେ ଆତଙ୍କବାଦୀମାନେ ଅନୁପ୍ରବେଶ କରିବାରେ ସକ୍ଷମ ହେଉଛନ୍ତି। ଆମ ସୀମାରେ ବ୍ୟାପକ ସୈନ୍ୟ ମୁତୟନ କରାଯାଇଛି, ଯାହା ବିଶ୍ୱର ସବୁଠାରୁ ବଡ଼ ମୁତୟନ। ଏତେ ବ୍ୟାପକ ଉପସ୍ଥିତି ସତ୍ତ୍ୱେ ଆତଙ୍କବାଦୀମାନେ ଭାରତୀୟ ଅଞ୍ଚଳରେ ଅନୁପ୍ରବେଶ ଜାରି ରଖିଛନ୍ତି। ଏମାନେ ସମସ୍ତେ ସଲାସୁତୁରା କରିଛନ୍ତି ବୋଲି ସେ ବିବାଦୀୟ ଟିପ୍ପଣ୍ଣୀ ଦେଇଛନ୍ତି ।

ସୁଚନାନୁସାରେ ଗତକାଲି ଜମ୍ମୁ-କାଶ୍ମୀରସ୍ଥିତ ଅନନ୍ତନାଗ ଜିଲ୍ଲାରେ ଆତଙ୍କବାଦୀଙ୍କ ଭୀଷଣ ଆକ୍ରମଣରେ ଭାରତର ୨ ଯବାନ ସହିଦ ହୋଇଥିଲେ । ତାହାସହ ଜଣେ ଭାରତୀୟ ଯବାନ ମଧ୍ୟ ଗୁରୁତର ହୋଇଥିଲେ । ଏହାବାଦ ଏହି ଆତଙ୍କବାଦୀ ଆକ୍ରମଣରେ ୨ ଜଣ ସାଧାରଣ ନାଗରିକ ମଧ୍ୟ ଆହତ ହୋଇଥିବା ଜଣା ପଡିଥିଲା । ପୁଲିସର କହିବାନୁସାରେ, ଗତକାଲି ଦ୍ୱିପ୍ରହରରେ ଆତଙ୍କବାଦୀଙ୍କ ସହ ଭାରତୀୟ ଯବାନଙ୍କ ଲଢେଇ ହୋଇଥିଲା ।
ଆତଙ୍କବାଦୀମାନେ ସେନାକୁ ସେହି ସମୟରେ ଟାର୍ଗେଟ କରିଥିଲେ ଯେଉଁ ସମୟରେ କୋକେରନାଗ ଉପଖଣ୍ଡ ଜଙ୍ଗଲରେ ଆତଙ୍କବାଦୀ ବିରୋଧୀ ଅଭିଯାନ ଚଲାଉଥିଲେ ଭାରତୀୟ ସେନା । ସେନାର ବିଶେଷବଳ ପୈରାଟ୍ରୁପ ଏହି ଆତଙ୍କବାଦୀଙ୍କୁ ତଡିବା ପାଇଁ ଅଭିଯାନକୁ ଜୋରସୋର କରିବାରେ ମଧ୍ୟ ଲାଗିଛନ୍ତି । ମାତ୍ର ବାରମ୍ବାର ଆତଙ୍କବାଦୀଙ୍କ ଆକ୍ରମଣ ଓ ଅନୁପ୍ରବେଶ ଲାଗି ରହିଛି । ଆଉ ଏଭଳି ସମୟରେ ଭାରତୀୟ ସେନା ଉପରେ ବିବାଦୀୟ ପ୍ରତିକ୍ରିୟା ଦେଇଛନ୍ତି ଫାରୁକ୍ ଅବଦୁଲା ।












Click it and Unblock the Notifications