ସୀମାରେ ହାଇ ଆଲର୍ଟ ,ଚିନ୍ତାରେ ଚାଷୀ
ପହଲଗାମ୍ ଆତଙ୍କୀ ଆକ୍ରମଣକୁ ନେଇ ଘନ ଘନ ବୈଠକ କରୁଛନ୍ତି ଭାରତ ସରକାର ,ଆକ୍ରମଣ ପରେ ଏବେ ଭାରତ-ପାକିସ୍ତାନ ସୀମାରେ ହାଇ ଆଲର୍ଟ ଜାରି । ପାକିସ୍ତାନ ଏବଂ ଭାରତ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ୱାଘା ସୀମା ନିକଟରେ ରହୁଥିବା ଚାଷୀମାନଙ୍କୁ ବେଶ୍ ପ୍ରଭାବିତ କରିଛି । ଗହମ ଅମଳରେ ବିଳମ୍ବ ହେବାକୁ ବାଧ୍ୟ କରିଛି ପରିସ୍ଥିତି । ଯାହା ଫଳରେ ଚାଷୀ ମାନଙ୍କର ବହୁ ଆର୍ଥିକ କ୍ଷତି ହୋଇଥିବା ଶୁଣିବାକୁ ମିଳୁଛି ।
ସ୍ଥାନୀୟ ଚାଷୀମାନେ ଗତ ଏପ୍ରିଲ ୨୮ରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି । ସେମାନଙ୍କୁ ଦୁଇ ଦିନ ମଧ୍ୟରେ ସେମାନଙ୍କର ଫସଲ ଅମଳ କରିବାକୁ କୁହାଯାଇଥିଲା । ଏହା ପରେ ସୀମା ସମ୍ପୂର୍ଣ୍ଣ ବନ୍ଦ ହୋଇଯିବା ସହ କୌଣସି ଚାଷୀଙ୍କୁ ଫସଲ କାଟିବାକୁ ଅନୁମତି ଦିଆଯିବ ନାହିଁ ବୋଲି କୁହାଯାଇଥିଲା ।
ତେବେ ଚାଷୀଙ୍କ କହିବା କଥା, ସାମରିକ କାର୍ଯ୍ୟକଳାପ ଏବଂ ସୁରକ୍ଷା କଟକଣା ବୃଦ୍ଧି ଯୋଗୁଁ, ପାକିସ୍ତାନର ଚାଷୀମାନଙ୍କୁ ସେମାନଙ୍କ କ୍ଷେତକୁ ଯିବାରୁ ବାରଣ କରାଯାଇଛି । ଯାହା ଫଳରେ ଫସଲ ଅମଳ ହୋଇନାହିଁ । ସୁରକ୍ଷା କାରଣରୁ ଲାଗୁ ହୋଇଥିବା କଟକଣା ଚାଷୀମାନଙ୍କୁ ସେମାନଙ୍କ ଫସଲକୁ ନେଇ ଚିନ୍ତିତ କରିଛି ।

ଚାଷୀମାନେ କହିଛନ୍ତି ଯେ, ଅନେକ ଗାଁ ଲୋକ ଅମଳରେ ସାହାଯ୍ୟ କରିବା ପାଇଁ ସେମାନଙ୍କ ଚାକିରିରୁ ଛୁଟି ନେଇ ଆସିଥିଲେ, କିନ୍ତୁ ବିଳମ୍ବ ହେତୁ ବର୍ତ୍ତମାନ ସେମାନଙ୍କର ଛୁଟି ବେକାର ହୋଇଯାଇଛି । ଭାରତ-ପାକିସ୍ତାନ ଭିତରେ ଚାଲିଥିବା ଉତ୍ତେଜନା ଯୋଗୁଁ ସୀମାନ୍ତ ଅଞ୍ଚଳରେ ବାଧା ସୃଷ୍ଟି ହେବାର ଆଶଙ୍କା ରହିଛି । ଯାହାକୁ ନେଇ ସ୍ଥାନୀୟ ବାସିନ୍ଦା କହିଛନ୍ତି, ଚାଷୀମାନେ ଖାସ୍ କରି ଏଥିରେ ପ୍ରଭାବିତ ହେବେ । ତେଣୁ ଉଭୟ ଦେଶ ପରସ୍ପର ଭିତରେ ଆପୋଷ ବୁଝାମଣା କରି ପରିସ୍ଥିତିକୁ ସୁଧାରିବା ଉଚିତ୍ ବୋଲି ସେମାନେ ମତ ପ୍ରକାଶ କରିଛନ୍ତି ।












Click it and Unblock the Notifications